ଚିନ୍ତାରେ ମକା ଚାଷୀ । କ୍ୱିଂଟାଲ ପିଛା ହଜାରେ ଟଙ୍କା କ୍ଷତିରେ ବିକୁଛନ୍ତି ଶସ୍ୟ, ମଣ୍ଡି ନଥିବାରୁ ଦଲାଲ ଉଠାଉଛନ୍ତି ଲାଭ

85

କନକ ବ୍ୟୁରୋ : ଚାଷୀଙ୍କ ବିକାଶ ପାଇଁ ସରକାର ବିଭିନ୍ନ ଯୋଜନା କରୁଥିଲେ ମଧ୍ୟ ବାସ୍ତବ ଚିତ୍ର କିଛି ଅଲଗା । କଳାହାଣ୍ଡି କୋକଶରା ବ୍ଲକର ୨୨ ଟି ପଂଚାୟତର ପ୍ରାୟ ୫ ହଜାର ହେକ୍ଟର ଜମିରେ ଚାଷୀମାନେ ମକା ଚାଷ କରୁଛନ୍ତି । ପୂର୍ବ ବର୍ଷଗୁଡିକ ତୁଳନାରେ ଉତ୍ପାଦନ ମଧ୍ୟ ବୃଦ୍ଧି ପାଉଛି । କିନ୍ତୁ ଉପଯୁକ୍ତ ମୂଲ୍ୟ ପାଉନଥିବାରୁ ଚାଷୀମାନେ କ୍ଷତି ସହୁଛନ୍ତି । ବଜାରରେ ମକା କ୍ୱଂଟାଲ ପିଛା ଦର ଅଢେଇ ହଜାର ଟଙ୍କାରୁ ଅଧିକ ଥିବା ବେଳେ ଚାଷୀ ୧୫ ଶହରୁ ୧୬ ଶହ ଟଙ୍କାରେ ବିକୁଛନ୍ତି । ମଣ୍ଡିର ବ୍ୟବସ୍ଥା ନଥିବାରୁ ବାଧ୍ୟରେ କ୍ୱଂଟାଲ ପିଛା ହଜାରରୁ ଅଧିକ ଟଙ୍କା କ୍ଷତି ସହୁଛନ୍ତି ।
କୋକଶରା ଅଂଚଳର ଲୋକେ ଅଣଜଳସେଚିତ ଜମିରେ ଧାନ ଚାଷ କରି ଅଧିକାଂଶ ସମୟରେ ମରୁଡିର ସମ୍ମୁଖୀନ ହେଉଥିଲେ । ତେଣୁ ଆମପାଣି, ବଡ଼ପୋଡାଗୁଡ଼ା, ଗୋତୋମୁଣ୍ଡା, ସାନପୋଡାଗୁଡ଼ା, ଖଂଟୁିଆ ଆଦି ପଂଚାୟତର ଚାଷୀମାନେ ମକା ଚାଷକୁ ଆପଣାଇ ନେଇଥିଲେ । ମକା ଚାଷ ପାଇଁ କମ ଜଳ ଆବଶ୍ୟକ ଥିବାରୁ ମକା ଚାଷର ଚାହିଦା ମଧ୍ୟ ବୃଦ୍ଧି ପାଇଛି । ହେଲେ ଋଣ କରି ଚାଷ କରୁଥିବା ଚାଷୀ ଉପଯୁକ୍ତ ପାଉଣା ପାଇପାରୁନାହିଁ । ମଣ୍ଡି ନଥିବାରୁ ବେଳେ ବେଳେ ଶାଗମାଛ ଦରରେ ମକା ବିକିବାକୁ ବାଧ୍ୟ ହେଉଛି ଚାଷୀ ।

ବିକ୍ରି ହୋଇପାରୁନଥିବାରୁ ଖଳା ଠୁ ରାସ୍ତା କଡ ସବୁଠି ମକା ପଡିରହିଛି । ଯାହାର ଫାଇଦା ଦଲାଲଙ୍କୁ ଯାଉଛି । ସରକାର ଯଦି ମଣ୍ଡି ଖୋଲନ୍ତେ ତେବେ ଚାଷୀ ଲାଭବାନ ହେବା ସହ ମକା ଚାଷ ପ୍ରତି ଆଗ୍ରହ ଆହୁରୀ ବୃଦ୍ଧି ହୁଅନ୍ତା ।