ପ୍ରଶାସନର ଅବହେଳା ଯୋଗୁ ମଣିଷ ଶୁନ୍ୟ ହୋଇଗଲା ଗାଁ । ହୀରାକୁଦ ଡ୍ୟାମ ନିର୍ମାଣ ଯୋଗୁ ବିସ୍ଥାପିତ ହୋଇଥିଲେ ଝାରସୁଗୁଡ଼ା ଘୁନଘୁଟିପାଲି ଗ୍ରାମବାସୀ

95

କନକ ବ୍ୟୁରୋ : ମଣିଷ ନଥିବା ଗାଁ । ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ । ପ୍ରଶାସନର ଅବହେଳା ଯୋଗୁ ଏବେ ଘୁନଘୁଟପାଲି ଗାଁ ମଣିଷ ଶୁନ୍ୟ ହୋଇଯାଇଛି । ହୀରକୁଦ ନଦୀ ବନ୍ଧ ନିର୍ମାଣ ଯୋଗୁ ୬୦ ବର୍ଷ ତଳେ ପାଣି ଆସି ଗାଁ ବୁଡେଇ ଦେଇଥିଲା । ପରେ ଗାଁ ଲୋକେ ଅଳ୍ପ ଦୂର ଜଙ୍ଗଲ ପାଖ ଉଚ୍ଚ ଜାଗାରେ ରହିଲେ । ହେଲେ ୨୦୦୯ରେ ଜଙ୍ଗଲରେ ନିଆଁ ଲାଗି ପୁରା ଜଳିଗଲା । କିନ୍ତୁ କୌଣସି ପ୍ରକାରର ସରକାରୀ ସହାୟତା ସେମାନଙ୍କୁ ମିଳିଲା ନାହିଁ । ଏଠାରେ ରହୁଥିବା ଲୋକେ ଗାଁ ଛାଡି ପଳାଇଗଲେ । ଫଳରେ ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଅନ୍ତର୍ଗତ ଘୁନଘୁଟପାଲିର ଗାଁ ଏବେ ଜଙ୍ଗଲ ଭିତରେ ହଜିବାକୁ ବସିଲାଣି ।

ହୀରାକୁଦ ବିସ୍ଥାପିତ ଭାବରେ ଘୁନଘୁଟପାଲି ଗାଁକୁ ରାଜସ୍ୱ ଗ୍ରାମ ଘୋଷଣା କରାଯାଇଛି । ସେମାନଙ୍କୁ ସରକାରୀ ପଟା ଦିଆଯାଇଛି ସତ କିନ୍ତୁ ସେ ଜାଗା କେଉଁଠି ଅଛି କେହି ଜାଣି ନଥବା କହିଛନ୍ତି । ବିଜୁଳି, ଶିକ୍ଷା, ସ୍ୱାସ୍ଥ୍ୟ ସୁବିଧା ତ ଦୂରର କଥା ଏଗାଁକୁ ରାସ୍ତା ଖଣ୍ଡିଏ ବି ନାହିଁ । ସ୍ଥାନୀୟ ସରପଂଚ ଏନେଇ ଜିଲ୍ଳା ପ୍ରଶାସନକୁ ଅବଗତ କରିଥିବା ବେଳେ ଗାଁ ଲୋକେ ଚାହିଁଲେ ମୌଳିକ ସୁବିଧା ସହ ସେମାନଙ୍କୁ ଫେରାଇ ଅଣାଯାଇପାରିବ ବୋଲି କହିଛନ୍ତି ଜିଲ୍ଲାପାଳ ।

ଏବେ ଘୁନଘୁଟପାଲି ଲୋକଙ୍କ ଭିଟା ମାଟିରେ କେବଳ ପୁରୁଣା ଘର, କୂଅର ଭଗ୍ନାବଶେଷ ପାଟଲିଯାଇଛି । ସେତେବେଳେ ଲଗାଇଥିବା ଚାରା ଆଜି ବିଶାଳ ବୃକ୍ଷହୋଇ ହୀରାକୁଦ ବିସ୍ଥାପନ ଯନ୍ତ୍ରଣାର କାହାଣୀ ବଖାଣୁଛି ।