ନିୟମ : କାହା ପାଇଁ କେମିତି? ସାଧାରଣ ଲୋକ ଓ ରାଜନୈତିକ ଦଳର ନେତାଙ୍କ ପାଇଁ କରୋନା ନିୟମ ଭିନ୍ନ କି?

159

କନକ ବ୍ୟୁରୋ :ଚର୍ଚ୍ଚ ପାଇଁ ଗୋଟିଏ ନିୟମ, ରାଜନୈତିକ ଦଳଙ୍କ ପାଇଁ ଆଉ ଗୋଟିଏ ନିୟମ । ଏପଟେ ଓମିକ୍ରନ ସଂକ୍ରମଣ ଭୟରେ କଟକଣା ଲଗାଇଛନ୍ତି ସରକାର । ରାଲି, ଶୋଭାଯାତ୍ରା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ଅଂକୁଶ ଲଗାଯାଇଛି । ହେଲେ ସେପଟେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଚଳବିହାରୀ ବାଜପେୟୀଙ୍କ ଜୟନ୍ତୀରେ ବିଜେପି ପାଳନ କରୁଛି ସୁଶାସନ ଦିବସ । ଶହଶହ କର୍ମୀଙ୍କୁ ଧରି ନେତା ଭୁବନେଶ୍ୱର ଶିଶୁପାଳ ଗଡରେ ଶକ୍ତି ପ୍ରଦର୍ଶନ କରୁଛନ୍ତି । ସେପଟେ ବିଜେପିର କାର୍ଯ୍ୟକ୍ରମକୁ କାଉଣ୍ଟର କରିବା ପାଇଁ ବିଜେଡି କରୁଛି ତେଲ ଦର ବୃଦ୍ଧି ପ୍ରତିବାଦରେ ଆନ୍ଦୋଳନ ।

ଏଠି ପ୍ରଶ୍ନ ଉଠୁଛି, ରାଜନୈତିକ ଦଳର ସମାବେଶ, ପ୍ରତିବାଦ ସଭାରେ କଣ ଓମିକ୍ରନ ବ୍ୟାପିବ ନାହିଁ କି? ଏଭଳି ସମାବେଶ ଓ ପ୍ରତିବାଦ ଆଳରେ କାହିଁକି ସାଧାରଣ ଲୋକଙ୍କ ଜୀବନକୁ ବିପଦ ମୁହଁକୁ ଠେଲୁଛନ୍ତି ରାଜନୈତିକ ଦଳର ନେତା । ଆଉ ସବୁଠୁ ବଡ କଥା ହେଲା, ଓମିକ୍ରନ ଦ୍ରୁତ ଗତିରେ ବ୍ୟାପୁଥିବା ବେଳେ ମାସ୍କ ପିନ୍ଧିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି । କିନ୍ତୁ ରାଜନୈତିକ ଦଳର ପଦଯାତ୍ରା ଓ ପ୍ରତିବାଦ ସଭାରେ ଅଧିକାଂଶ ନେତାଙ୍କ ମୁହଁରେ ମାସ୍କ ରହୁନାହିଁ । ଏଭଳି କରି ସାଧାରଣ ଲୋକଙ୍କୁ କରୋନା ଗାଇଡଲାଇନ ଉଲ୍ଲଂଘନ କରିବାକୁ ପରୋକ୍ଷରେ ବାର୍ତ୍ତା ଦେଉନାହାନ୍ତି କି ରାଜନୈତିକ ଦଳର ନେତା । ଯଦି ସାଧାରଣ ଲୋକଙ୍କ ପାଇଁ ନିୟମ, ତେବେ ନେତାଙ୍କ ପାଇଁ କାହିଁକି ନୁହେଁ । ଏମାନଙ୍କ ବିରୋଧରେ କଣ କାର୍ଯ୍ୟାନୁଷ୍ଠାନ ନେବ ପ୍ରଶାସନ?