ବିିଜେଡି-ବିଜେପିକୁ ଘେରିବା ପାଇଁ ନୂଆ ରଣନୀତି: ଆସନ୍ତା ୧୧ରେ କଂଗ୍ରେସ କରାଇବ ଅନ୍ନପ୍ରାସନ

154

କନକ ବ୍ୟୁରୋ: ବିଜେଡି ବିଜେପି ମେଂଟ ଚର୍ଚ୍ଚା ପରେ ଦୁଇ ଦଳକୁ ଘେରିବାକୁ କଂଗ୍ରେସ ନୂଆ ରଣନୀତି ଆପଣାଉଛି । ବିଜେଡି ବିଜେପି ଏକ ବୋଲି ବାରମ୍ବାର ଅଭିଯୋଗ କରି କିଛି ଦିନ ପୂର୍ବରୁ ଦୁଇ ଦଳର ବିବାହ କରାଇଥିଲା କଂଗ୍ରେସ । ଏବେ ଦୁଇ ଦଳର ଭାଗିଦାରୀରୁ ଚିଟଫଣ୍ଡ ଓ ଖଣି ଦୁର୍ନୀତି ସହ ଶୋଷଣ ଓ ଦରଦାମ ବୃଦ୍ଧି ଜନ୍ମ ନେଇଥିବା ଅଭିଯୋଗ କରି ପ୍ରତିକାତ୍ମକ ଅନ୍ନପ୍ରାସନ୍ନ କରିବାକୁ ଘୋଷଣା କରିଛି କଂଗ୍ରେସ ।

ବିଜେପି ଓ ବିଜେଡି ମଧ୍ୟରେ ମେଂଟ ନେଇ ଚର୍ଚ୍ଚା ଆରମ୍ଭରେ କିଛି ଏଭଳି ବ୍ୟଙ୍ଗାତ୍ମକ ରଣନୀତି ଆପଣାଇଥିଲା ରାଜ୍ୟ କଂଗ୍ରେସ । ଉଭୟ ଦଳ ମଧ୍ୟରେ ଘନିଷ୍ଠ ସଂପର୍କ ଥିବା ଅଭିଯୋଗ କରି, ଦୁଇ ଦଳ ମଧ୍ୟରେ ପ୍ରତିକାତ୍ମକ ବାହାଘର କରାଇଥିଲା । ସାରା ରାଜ୍ୟରେ ଏଭଲି ବିବାହ ଉତ୍ସବ ଆୟୋଜନ କରି ଦୁଇ ଦଳକୁ କଟାକ୍ଷ କରିଥିଲା କଂଗ୍ରେସ । ଆଉ ଏବେ ଯେତେବେଳେ ଦୁଇ ଦଳ ମଧ୍ୟରେ ବିଧିବଦ୍ଧ ମେଂଟ ହେବା ଏକପ୍ରକାର ସ୍ପଷ୍ଟ ହୋଇଗଲାଣି, ପୁଣି ଆଉପାଦେ ଆଗେଇଛି କଂଗ୍ରେସ । ଅଭିଯୋଗ କରିଛି, ଉଭୟ ବିଜେପି ଓ ବିଜେଡିର ଭାଗିଦାରୀରେ ଜନ୍ମ ନେଇଛନ୍ତି ଚିଟଫଣ୍ଡ ଦୁର୍ନୀତି, ଖଣି ଦୁର୍ନୀତି, ଦାଦନ ସମସ୍ୟା, ଚାକିରି ବିକ୍ରି, ଚୋରା ମଦ ବେପାର ଭଳି ସମସ୍ୟା । ଆଗାମୀ ୧୧ ତାରିଖରେ ଏମାନଙ୍କର ପ୍ରତିକାତ୍ମକ ଅନ୍ନପ୍ରାସନ କରାଇବ ରାଜ୍ୟ କଂଗ୍ରେସ । କଂଗ୍ରେସ ଭବନ ପରିସରରେ ଏଭଳି ରାଜନୈତିକ କଟାକ୍ଷର ଆୟୋଜନ କରିଛି ଦଳ ।

କଂଗ୍ରେସର ଆୟୋଜନ ଅନୁସାରେ – ପୂଜାରୀ ଆସିବେ, ଖିରି ଖୁଆଇବେ ଓ ନାମକରଣ କରିବେ । ଠିକ ଯେମିତି ବାହାଘର ସମୟରେ କରାଯାଇଥିଲା ସେହିଭଳି, କଂଗ୍ରେସ ଭବନରେ ଟେଂଟ ବନ୍ଧାଯିବ, ବିଧି ଅନୁଯାୟୀ ପୂଜାର୍ଚ୍ଚନା ହେବ, ସବୁ ବରିଷ୍ଠ ନେତା ଯୋଗଦେବେ, ଅନ୍ନପ୍ରାସନ ପରେ ଭୋଜି ଖାଇବେ ଲୋକ । ଏପରିକି ଏହି କାର୍ଯ୍ୟକ୍ରମରେ ସାମିଲ ହେବାକୁ ସାଧାରଣ ଲୋକଙ୍କୁ ଅନୁରୋଧ କରିଛି ରାଜ୍ୟ କଂଗ୍ରେସ । ଏଥିପାଇଁ ଏକ ନିମନ୍ତ୍ରଣ ପତ୍ର କରାଯାଇଥିବାବେଳେ ଏହାକୁ ଶନିବାରଠାରୁ ବାଂଟିବେ ଦଳୀୟ ନେତା ଓ କର୍ମୀ ।

ବିଜେପି ଓ ବିଜେଡି ମଧ୍ୟରେ ଦୀର୍ଘଦିନରୁ ଅଘୋଷିତ ସଂପର୍କ ରହିଥିବା ଅଭିଯୋଗ କରିଆସୁଛି କଂଗ୍ରେସ । ଏବେ ଯେତେବେଳେ ଦୁଇଦଳ ମଧ୍ୟରେ ମେଂଟ ଚୂଡାନ୍ତ ରୂପ ନେବାକୁ ଯାଉଛି ଆହୁରି ଆକ୍ରମଣାତ୍ମକ ହୋଇଛି ରାଜ୍ୟ ସଂଗ୍ରେସ ।