ଜଗନ୍ନାଥ ନଗରରେ ସିରିଜ ଲୁଟ! ପୋଛି ନେଲେ ସୁନା ଗହଣା!

528

କନକ ବ୍ୟୁରୋ: କମିଶନରେଟ ପୁଲିସକୁ ପୁଣି ବଡ଼ ଚ୍ୟାଲେଂଜ । ରାଜଧାନୀରେ ପୁଣି ମାତିଲେ ଝରକା ତଡ଼ା ଗ୍ୟାଙ୍ଗ । ଗତରାତିରେ ରାଜଧାନୀର ଜଗନ୍ନାଥ ନଗରର ୩ଟି ଘରେ ପଶି ଲୁଟ କରିଛନ୍ତି ଲୁଟେରା ଗ୍ୟାଙ୍ଗ । ଗୋଟିଏ ଘରର ବେଡରୁମର କପବୋର୍ଡ ତାଡି ପ୍ରାୟ ୪ ଲକ୍ଷର ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଛନ୍ତି । ଭୁବନେଶ୍ୱରରେ ଏହି ଝରକା ତଡା ଗ୍ୟାଙ୍ଗ କମିଶନରେଟ ପୁଲିସର ନିଦ ହଜାଇ ଦେଇଛି ।

ରାଜଧାନୀରେ ପୁଣି ମାତିଲେ ଝରକା ତଡା ଗ୍ୟାଙ୍ଗ । ଏଥର ମଂଚେଶ୍ୱର ଥାନା ଅଧିନ ଜଗନ୍ନାଥ ନଗରକୁ ଟାର୍ଗେଟ । ଘରେ ମାଲିକ ଶୋଇଥିବା ଅବସ୍ଥାରେ ବିଳମ୍ବିତ ରାତିରେ ପଶି ବୁଲାଇଲେ କଳାକନା । ପାଖାପାଖି ୩ଟି ଘରେ ପଶିଛନ୍ତି ଏହି ଲୁଟେରା ଗ୍ୟାଙ୍ଗ । ଗୋଟିଏ ଘରର ବେଡରୁମର କପବୋର୍ଡ ତାଡି ପ୍ରାୟ ୪ ଲକ୍ଷର ସୁନା ଗହଣା ଲୁଟି ନେଇ ଚମ୍ପଟ ମାରିଛନ୍ତି । ପାଖରେ ଥିବା ପଡୋଶୀ ଘରର ଝରକା ତାଡି ଘର ଭିତରେ ପଶିଥିବା ବେଳେ, କିଛି ଦାମି ଜିନିଷ ଚୋରୀ ହୋଇଥିବା ଅଭିଯୋଗ ହୋଇଛି । ସେହିପରି ଅନ୍ୟ ଏକ ଘରର ଝରକା ତାଡିଛନ୍ତି ସତ କିନ୍ତୁ ଘର ଭିତରେ ଲୁଟେରାମାନେ ପଶି ପାରି ନଥିବା ଅନୁମାନ କରାଯାଉଛି । ପୁଲିସ ପହଂଚି ଘଟଣାର ଖୋଳତାଡ ଆରମ୍ଭ କରିଛି ।

ଜଗନ୍ନାଥ ନଗର ଅଂଚଳରୁ ଏକ ସିସିଟିଭି ଫୁଟେଜ ଏବେ ସାମନାକୁ ଆସିଛି । ବେଶ କିଛି ଦିନ ହେବ ଏହି ଲୁଟେରାମାନେ ବିଳମ୍ବିତ ରାତିରେ ବିଭିନ୍ନ ଘରକୁ ରେକି କରୁଥିବାର ଦେଖିବାକୁ ମିଳିଛି । ଲୁଟେରାମାନେ ଘରର ପାଚେରୀ ଡେଇଁ ଝରକା ତାଡୁଥିବା ଲୋକମାନେ ଅଭିଯୋଗ କରିଛନ୍ତି । ତେବେ ପ୍ରଥମଥର ପାଇଁ ଲୁଟେରାଙ୍କ ଖୋଲାମୁହଁ ଦେଖିବାକୁ ମିଳିଛି । ଲୁଟେରାଙ୍କ ଏହି ଫୁଟେଜକୁ ନେଇ ପୁଲିସ ଖୋଳତାଡ କରିବା ଆରମ୍ଭ କରିଛି ।

ଭୁବନେଶ୍ୱରରେ ଏହି ଝରକା ତଡା ଗ୍ୟାଙ୍ଗ କମିଶନରେଟ ପୁଲିସର ନିଦ ହଜାଇ ଦେଇଛି । ଏମାନେ କେତେବେଳେ କାହା ଘରର ଝରକା ତାଡିବେ ତାହା କହିବା ମୁସକିଲ । କିନ୍ତୁ ଏହି ଗ୍ୟାଙ୍ଗ କେଉଁଠୁ ଆସିଛନ୍ତି, ଆଉ ଲୁଟପାଟ ପରେ କେମିତି ଛୁ ମାରୁଛନ୍ତି ତାହା କେହି ବୁଝି ପାରୁ ନାହାଁନ୍ତି । କିନ୍ତୁ ଏହି ଘଟଣାକ୍ରମ ଦେଖିବା ପରେ, ରାତି ହେଲେ ରାଜଧାନୀବାସୀଙ୍କ ଛାତି ଧଡଧଡ କରିବା ଆରମ୍ଭ କରି ଦେଇଛି ।