କରୋନା କାଳରେ କେମିତି ହେବ ପାଠପଢା ଓ ପରୀକ୍ଷା? ନୂଆ ପଦ୍ଧତି ଜାରି କଲା ମାଧ୍ୟମିକ  ଶିକ୍ଷା ପରିଷଦ । 

818

କନକ ବ୍ୟୁରୋ : କରୋନା  ପାଇଁ ଗତବର୍ଷ ସ୍କୁଲ ମାନଙ୍କରେ ପରୀକ୍ଷା ବାତିଲ ହୋଇଯାଇଥିଲା  । ଏହାପରେ ସ୍ୱତନ୍ତ୍ର ମୂଲ୍ୟାୟନ ପଦ୍ଧତିରେ ଛାତ୍ରଛାତ୍ରଙ୍କ ପରୀକ୍ଷା ଫଳ ପ୍ରକାଶ କରାଗଲା   । ତେବେ ଆଗକୁ ଯେପରି ଏଭଳି ଅସୁବିଧା ନଉପୁଜେ ସେଥିପାଇଁ ନୂଆ ପରୀକ୍ଷା ପଦ୍ଧତି କାର୍ଯ୍ୟକାରୀ କରିବାକୁ ଯୋଜନା ହୋଇଛି  । ନବମ ଓ ଦଶମ ଶ୍ରେଣୀ ପାଇଁ ନୂଆ ପରୀକ୍ଷା ପଦ୍ଧତି ଯୋଜନା କରିଛି ମାଧ୍ୟମିକ ଶିକ୍ଷା ପରିଷଦ  ।

୨୦୨୧-୨୨ର ଶିକ୍ଷାବର୍ଷ ଜୁଲାଇରୁ ଆରମ୍ଭ ହୋଇ ଏପ୍ରିଲରେ ସରିବ  । ଏହାକୁ ଦୁଇଟି ଟର୍ମରେ ବିଭକ୍ତ କରାଯାଇଛି   ।  ପ୍ରଥମ ଟର୍ମ ଜୁଲାଇରୁ ନଭେମ୍ବର ଓ ଦ୍ୱିତୀୟ ଟର୍ମ ଡିସେମ୍ବରରୁ ଏପ୍ରିଲ ଯାଏଁ ଚାଲିବ  । ପାଠ୍ୟକ୍ରମର ୫୦ ପ୍ରତିଶତ ପ୍ରତି ଟର୍ମରେ ପଢ଼ାଯିବ  । ଗତବର୍ଷ ଭଳି ପାଠ୍ୟକ୍ରମ କମ୍ ରହିବ  । ତେବେ ପାଠ୍ୟକ୍ରମ କେତେ ରହିବ ଓ କ’ଣ ରୁପରେଖ ରହିବ, ସେନେଇ ବୋର୍ଡ ଖୁବଶୀଘ୍ର ବିଜ୍ଞପ୍ତି ଜାରି କରିବ  ।

 ସ୍କୁଲରେ ପିଲାଙ୍କ ପାଠପଢ଼ା ନେଇ  ସମୟ ସମୟରେ ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କରାଯିବ  ।  ଚୂଡ଼ାନ୍ତ ପରୀକ୍ଷା ଫଳ ପ୍ରକାଶରେ ଆଭ୍ୟନ୍ତରୀଣ ମୂଲ୍ୟାୟନ ୨୦ ପ୍ରତିଶତ ମାର୍କ ବହନ କରିବ  । ସେହିଭଳି ପ୍ରଥମ ଟର୍ମର ପରୀକ୍ଷାର ଫଳ ଚୂଡ଼ାନ୍ତ ପରୀକ୍ଷା ଫଳରେ ୩୦ ପ୍ରତିଶତ ମାର୍କ ବହନ କରିବ  । ତେବେ ଦ୍ୱିତୀୟ ଟର୍ମର ପରୀକ୍ଷା ଫଳ ଚୂଡ଼ାନ୍ତ ପରୀକ୍ଷାଫଳ ପ୍ରକାଶ ସମୟରେ ୫୦ ପ୍ରତିଶତ ରହିବ  । ପ୍ରତି ଟର୍ମ ଶେଷରେ ଏକ ପରୀକ୍ଷା କରାଯିବ  । ବୋର୍ଡ ସିଧାସଳଖ ଏହି ପରୀକ୍ଷା କରାଇବ  । ଆଉ ଏଥିପାଇଁ ପିଲାଙ୍କୁ ଅନଲାଇନରେ ଫର୍ମ ପୂରଣ କରିବାକୁ ପଡ଼ିବ  । ନଭେମ୍ବର ଶେଷ ସପ୍ତାହରେ ପ୍ରଥମ ଟର୍ମ ପରୀକ୍ଷା ହେବ  । ଏପ୍ରିଲ ଦ୍ୱିତୀୟ ସପ୍ତାହରେ ଦ୍ୱିତୀୟ ଟର୍ମ ପରୀକ୍ଷା ହେବ  ।