ବନ୍ୟା ଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ । ହୀରାକୁଦର ମୁଖ୍ୟଯନ୍ତ୍ରୀ କହିଲେ ବୈଠକ ପାଇଁ ଚିଠି ଦେଲେ ବି ଆସୁନି ଉତ୍ତର । ସେପଟେ ହୀରାକୁଦ ଛାଡିଲା ବର୍ଷର ପ୍ରଥମ ବନ୍ୟା ଜଳ

84

କନକ ବ୍ୟୁରୋ: ହୀରାକୁଦ ଡ୍ୟାମରୁ ଆଜି ନିଷ୍କାସିତ ହୋଇଛି ଚଳିତ ବର୍ଷର ପ୍ରଥମ ବନ୍ୟାଜଳ । ପୂଜାର୍ଚ୍ଚନା ପରେ ପ୍ରଥମେ ୭ ନମ୍ବର ଗେଟ୍ ଖୋଲାଯାଇଛି । ଏହାପରେ ପର୍ଯ୍ୟାୟ କ୍ରମେ ୫ଟି ଗେଟ୍ ଖୋଲା ଯାଇଥିଲା । ତେବେ ଜଳ ପରିଚାଳନା ନେଇ ହୀରାକୁଦ ଡ୍ୟାମର ମୁଖ୍ୟଯନ୍ତ୍ରୀ ଯେଉଁ ତଥ୍ୟ ରଖିଛନ୍ତି ତାହା ଅତ୍ୟନ୍ତ ଚିନ୍ତାଜନକ । ଡ୍ୟାମର ମୁଖ୍ୟ ଯନ୍ତ୍ରୀ ଆନନ୍ଦ ଚନ୍ଦ୍ର ସାହୁ କହିଛନ୍ତି, ବନ୍ୟା ଜଳ ନିଷ୍କାସନ ନେଇ ସହଯୋଗ କରୁନି ଛତିଶଗଡ । ୨୦୧୯ରୁ ବନ୍ୟା ଜଳକୁ ନେଇ କୌଣସି ତଥ୍ୟ ଦେଉନାହିଁ ପଡୋଶୀ ରାଜ୍ୟ ।

ପାରମ୍ପରିକ ଢଙ୍ଗରେ ପୂଜାପାଠ ସାରିବା ପରେ ୭ନମ୍ବର ଗେଟରୁୁ ଛଡ଼ା ଯାଇଥିଲା ବନ୍ୟାଜଳ । ଉପରମୁଣ୍ଡର ବର୍ଷା, ଡ୍ୟାମର ଜଳଧାରଣା କ୍ଷମତା ଏବଂ ପାଣିପାଗ ବିଭାଗର ସମ୍ଭାବ୍ୟ ଆକଳନକୁ ଦୃଷ୍ଟିରେ ରଖି ନିଷ୍କାସିତ ହୋଇଛି ବନ୍ୟାଜଳ । କିନ୍ତୁ ଏସବୁ ଭିତରେ ବନ୍ୟାଜଳ ନିୟନ୍ତ୍ରଣ ଓ ଜଳ ପରିଚାଳନା ସମ୍ପର୍କରେ ପଡ଼ୋଶୀ ଛତିଶଗଡ଼ର ଅସହଯୋଗ ନେଇ ଅସନ୍ତୋଷ ପ୍ରକାଶ କରିଛନ୍ତି ମୁଖ୍ୟଯନ୍ତ୍ରୀ ।

  • ଜଳ ପରିଚାଳନା ନେଇ ସହଯୋଗ କରୁନି ଛତିଶଗଡ଼
  • ୨୦୧୯ରୁ ବନ୍ୟା ଜଳ ନେଇ କୌଣସି ତଥ୍ୟ ଦେଉନାହିଁ
  • ଡ୍ୟାମରେ କେତେ ପାଣି ଗଚ୍ଛିତ ଅଛି ସୂଚନା ଦେଉନି
  • ଏନସିଡିଏସ ବୈଠକ ଡାକୁନି କିମ୍ବା ବୈଠକକୁ ଆସୁନି

ବନ୍ୟାଜଳ ନିଷ୍କାସନ ପୂର୍ବରୁ ଡ୍ୟାମ କର୍ତୃପକ୍ଷ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସୂଚନା ଦିଆଯାଇଥିଲା । ତେବେ ବର୍ଷା ଜଳ ନିଷ୍କାସନ ପରେ ତଳିଆ ଅଞ୍ଚଳ ପ୍ରତି ଭୟ ନଥିବା କହିଛନ୍ତି ଉତରାଞ୍ଚଳ ରାଜସ୍ୱ କମିଶନର । ଏହାରି ଭିତରେ ହୀରାକୁଦ ଡ୍ୟାମରୁ ବନ୍ୟାଜଳ ନିଷ୍କାସନ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଥିଲା ।

ଗତବର୍ଷ ଜୁଲାଇ ୧୮ ତାରିଖରେ ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସନ ହୋଇଥିଲା । ସେହି ସମୟରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩ ଫୁଟ ରହିଥିଲା । ଗତବର୍ଷ ତୁଳନାରେ ୫ ଦିନ ପରେ ବନ୍ୟାଜନ ନିଷ୍କାସନ ହୋଇଥିଲେ ସୁଦ୍ଧା ଛତିଶଗଡ଼ର ଆଭିମୁଖ୍ୟ ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି ।