ଶିଳ୍ପୀଙ୍କ ହାତର ସ୍ପର୍ଶରେ କଥା କହୁଛି ପଥର ମୂର୍ତ୍ତି, ମୂର୍ତ୍ତି ତିଆରି କରି ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଏହି ଶିଳ୍ପୀ

71

କନକ ବ୍ୟୁରୋ : ପଥର ଦେହରେ ଜୀବନ ଭରୁଛନ୍ତି ଶିଳ୍ପୀ ପ୍ରମୋଦ । ତାଙ୍କ ହାତର ସ୍ପର୍ଶରେ ପଥର ବି କଥା କହୁଛି । ସୂନ୍ଦର ସୂନ୍ଦର ପଥର ମୂର୍ତି ଗୁଡ଼ିକ ବେଶ ଜୀବନ୍ତ ଦିଶୁଛନ୍ତି । ଦୀର୍ଘ ୪୦ ବର୍ଷ ଧରି ନିରବଛିନ୍ନ ଭାବେ ସେ ସୃଷ୍ଟି କରୁଛନ୍ତି ଅନନ୍ୟ କଳାକୃତି । ତାଙ୍କ ହାତ ତିଆରି ମାଟି, ପ୍ରସ୍ତର ଏବଂ ବ୍ରୋଞ୍ଜ ମୂର୍ତିର ରହିଛି ସ୍ୱତନ୍ତ୍ର ଚାହିଦା । ଯାହା ତାଙ୍କୁ ଆଣିଦେଇଛି ଆନ୍ତର୍ଜାତୀୟ ସ୍ତରର ଖ୍ୟାତି । କଳାରେ ଡିଗ୍ରୀ ହାସଲ କରିବା ପରେ ଚାକିରି ପଛରେ ନଗୋଡ଼ାଇ ନିଜେ ଆତ୍ମନିର୍ଭରଶୀଳ ହେବା ସହିତ ସୃଷ୍ଟି କରିଛନ୍ତି ୫ଶହରୁ ଉଦ୍ଧ୍ୱର୍ କାରିଗର । କେନ୍ଦୁଝର ଘସିପୁରା ବ୍ଲକ ଅଳତୀ ଗାଁ । ଯେଉଁଠି ରହିଛି ଶିଳ୍ପୀ ପ୍ରମୋଦ ବରାଳଙ୍କର ପ୍ରୟୋଗଶାଳା । ପଥରରେ ତିଆରି ବିଭିନ୍ନ ପ୍ରକାରର ମୂର୍ତ୍ତି ଏଠାରେ ସୌନ୍ଦର୍ଯ୍ୟ ବୃଦ୍ଧି କରୁଛି । ବିଭିନ୍ନ ଦେବାଦେବୀଙ୍କ ପ୍ରତିମୂର୍ତି ସହିତ ମହାପୁରୁଷଙ୍କ ପ୍ରତିମୂର୍ତି, ଲୋକଙ୍କ ଅବିକଳ ପ୍ରତିମର୍ତ୍ତିର୍ ନିଜ ହାତରେ ଗଢ଼ୁଛନ୍ତି ପ୍ରମୋଦ ।

ପିଲାଟି ଦିନରୁ କଳାପ୍ରତି ରୁଚି ରଖିଥିବା ପ୍ରମୋଦ ୧୯୮୭ ମସିହାରେ ଖଲ୍ଲିକୋଟ ଚାରୁ ଓ ଚିତ୍ରକଳା ମହାବିଦ୍ୟାଳୟରୁ କଳା ଓ ଫାଇନ୍ ଆର୍ଟରେ ଡିଗ୍ରୀ ହାସଲ କରିଥିଲେ । ୧୯୯୨ରୁ ସେ ତାଙ୍କର ଅଧ୍ୟବସାୟ ଜାରି ରଖିଛନ୍ତି । ଅଏଲ ପେଣ୍ଟିଙ୍ଗ, ୱାଟର କଲର ପେଂଟିଙ୍ଗ ଭଳି ସୁକ୍ଷ୍ମ କଳାକୃତି କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ଯାହା ରାଜ୍ୟ ତଥା ରାଜ୍ୟ ବାହାରେ ବେଶ ଆଦୃତି ଲାଭ କରିଛି ।

ଓଡ଼ିଶା ବିଧାନସଭାରେ ଶୋଭାପାଉଥିବା ହରେକୃଷ୍ଣ ମହତାବଙ୍କ ପ୍ରତିମୂର୍ତି, ଖଦୀ ବୋର୍ଡ ପରିସରରେ ପଥରରେ ନିର୍ମିତ ଅରଟ ଚଳାଉଥିବା ଗାନ୍ଧିଜୀଙ୍କ ପ୍ରତିମର୍ତ୍ତିିର୍ ଠାରୁ ଆରମ୍ଭ କରି ଦେଶ ବିଦେଶର ଅନେକ ସ୍ଥାନରେ ପ୍ରମୋଦ ବରାଳଙ୍କ ହାତ ତିଆରି ମୂର୍ତି ଶୋଭାପାଉଛି ।