ଜୀବନ ନେଉଛି ଅନଲାଇନ୍ ଗେମ୍ । ଏହା ବିରୋଧରେ ଆସିବ କଡା ଆଇନ୍ ।

191

କନକ ବ୍ୟୁରୋ: ଅନଲାଇନ୍ ଗେମ୍ ଖେଳ ପାଲଟୁଛି କାଳ । ଅନଲାଇନ୍ ଗେମ୍ ଖେଳି ଅପରାଧ ପ୍ରବଣ ହେବା ସହ ମାନସିକ ଭାରସାମ୍ୟ ହରାଇ ପ୍ରାଣ ହାରୁଛନ୍ତି ଅନେକ । ଏନେଇ ଅନେକ ସମୟରେ ଅନେକ ଖବର ଗଣମାଧ୍ୟମରେ ପ୍ରକାଶ ପାଉଛି । ଏପରି ଆଉ ଏକ ଘଟଣା ଘଟିଛି ମଧ୍ୟପ୍ରଦେଶ ଭୋପାଳରେ । ଏଠିକାର ଜଣେ ୧୧ ବର୍ଷର ବାଳକ ଅନଲାଇନ୍ ଖେଳ ଖେଳି ଆତ୍ମହତ୍ୟା କରିଛି । ଏହାପରେ ଚେତିଛନ୍ତି ରାଜ୍ୟ ସରକାର । ଏପରି ଗେମ୍ ଉପରେ କଟକଣା ଲଗାଇବାକୁ ଖୁବ ଶିଘ୍ର କଡା ଆଇନ ବ୍ୟବସ୍ଥା କରିବାକୁ ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଭୋପାଳର ଏହି ୧୧ ବର୍ଷର ବାଳକ ପରିବାର ଲୋକଙ୍କ ଅଜାଣତରେ ଅନଲାଇନ୍ ଗେମ୍ ଖେଳି ଅନେକ ଟଙ୍କା ହରାଇବା ପରେ ଡରିଯାଇଥିଲା । ଫଳରେ ଆତ୍ମହତ୍ୟା କରିଛି । ଆସିବାକୁ ଥିବା ଆଇନରେ ଅନଲାଇନ୍ ଗେମିଂ, ଜୁଆ, ଏବଂ ବେଟିଂକୁ ଅପରାଧ ଭାବରେ ଘୋଷଣା କରିଯିବ ।ଏହା ଖେଳ ନୁହେଁ ବରଂ ଏକ ନିଶା । ଏପରି ଖେଳ ଆୟୋଜନ କରୁଥିବା ୱେବସାଇଟ୍ ଏବଂ ଆପ୍ଲିକେସନ ଗୁଡିକ ନିଷିଦ୍ଧ କରାଯିବ । ଏହି ଆପ୍ କରୁଥିବା ବ୍ୟକ୍ତି କିମ୍ବା ସଂସ୍ଥା ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଏମାନଙ୍କୁ ଜେଲ ଦଣ୍ଡ ଏବଂ ଜୋରିମାନା ମଧ୍ୟ ବ୍ୟବସ୍ଥା ଲାଗୁ କରାଯିବ ବୋଲି ମଧ୍ୟପ୍ରଦେଶ ଆଇନ ମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି ।

ପୋଲିସର ସୂଚନା ମୁତାବକ, ଭୋପାଲର ଶଙ୍କରାଚାର୍ୟ୍ୟ କଲୋନୀରେ ରହୁଥିବା ୧୧ ବର୍ଷୀୟ ସୂର୍ୟ୍ୟକାନ୍ତ ଓଝା ଅନଲାଇନରେ ଗେମ ଖେଳି ୬ ହଜାର ଟଙ୍କା ହରାଇଥିଲେ। ଏକଥା ତାଙ୍କ ବାପା ମା’ ଆଦୌ ଜାଣି ପାରି ନଥିଲେ। ତେବେ ଟଙ୍କା ହାରି ଯାଇଥିବାରୁ ସୂର୍ୟ୍ୟକାନ୍ତ ଭୟରେ ଆତ୍ମହତ୍ୟା କରିଛନ୍ତି ।