ଏସିଆ କପ୍ ଆୟରୁ ଗୋଟିଏ ବି ଟଙ୍କା ନିଏନି ବିସିସିଆଇ । ବଡ ଖୁଲାସା କଲେ ପୂର୍ବତନ କ୍ରିକେଟର । ଜାଣନ୍ତୁ, ସେ କଣ କହିଲେ…

430

କନକ ବ୍ୟୁରୋ: ଚଳିତ ବର୍ଷର ଏସିଆ କପ୍ ଆୟୋଜନକୁ ନେଇ ଲାଗି ରହିଥିବା ବିବାଦ ଏବେ ଶେଷ ହୋଇସାରିଛି । ଏସିସିର ନିଷ୍ପତ୍ତି ମୁତାବକ ଏଥର ଏସିଆ କପର କିଛି ମ୍ୟାଚ୍ ପାକିସ୍ତାନ ଏବଂ ବାକି ମ୍ୟାଚ୍ ଶ୍ରୀଲଙ୍କାରେ ଖେଳାଯିବ । ତେବେ ଏଥର ଏସିଆ କପ୍ ଆୟୋଜନ ପାକିସ୍ତାନ ପାଖରେ ଥିଲା, ହେଲେ ଟିମ୍ ଇଣ୍ଡିଆ ପାକିସ୍ତାନ ଯିବାକୁ ମନା କରିଦେବାରୁ, ଏହାକୁ ନେଇ ବିବାଦ ଠିଆ ହେଇଥିଲା । ହେଲେ ଏହି ବିବାଦ ଥମିବା ପରେ, ଏସିଆ କପକୁ ନେଇ ପୂର୍ବତନ କ୍ରିକେଟର ଏକ ରୋମାଞ୍ଚକର କଥା ସାମ୍ନାକୁ ଆଣିଛନ୍ତି । ତାଙ୍କ କହିବା ମୁତାବକ, ଏସିଆ କପ୍ ଆୟୋଜନରୁ ଯେତିକି ବି ଟଙ୍କା ରୋଜଗାର ହେଇଥାଏ, ସେହି ଟଙ୍କାକୁ ଗ୍ରହଣ କରିନଥାଏ ବିସିସିଆଇ ।

ଟିମ୍ ଇଣ୍ଡିଆର ପୂର୍ବତନ କ୍ରିକେଟର ତଥା କ୍ରିକେଟ୍ ଭାଷ୍ୟକାର ଆକାଶ ଚୋପଡା ନିଜ ୟୁଟ୍ୟୁବ୍ ଚାନେଲରେ ଖୁଲାସା କରି କହିଛନ୍ତି ଯେ, ଶେଷରେ ଏସିଆ କପ୍ ବିବାଦ ଶେଷ ହେଇଗଲା । ହେଲେ ଗୋଟିଏ କଥା କହି ରଖିବାକୁ ଚାହେଁ ଯେ, ଏସିଆ କପ୍ ଇତିହାସରେ ଯେତେବେଳେ ଏସିଆ କପ୍ ହେଇଛି, ଆଉ ସେଥିରୁ ଯେତିକି ରୋଜଗାର ହେଇଛି । ସେ ମଧ୍ୟରୁ ବିସିସିସିଆଇ ଗୋଟିଏ ଟଙ୍କା ବି ନିଜେ ରଖିନି । ଏସିଆ କପର ଆୟ ମୁଖ୍ୟତଃ ପ୍ରସାରଣରୁ ହିଁ ଆସିଥାଏ । ହେଲେ ବିସିସିଆଇ କିନ୍ତୁ ଏହି ଟଙ୍କାକୁ ନିଜ ପାଖରେ ରଖିନଥାଏ ବୋଲି ଖୁଲାସା କରିଛନ୍ତି ଆକାଶ ଚୋପଡା ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଅନ୍ୟ ଦେଶମାନଙ୍କରେ ଏସିଆ କପ୍ ଆୟୋଜନ ହେଲେ, ଏହାର ପ୍ରସାରଣ ଟଙ୍କା ତାଙ୍କ ପାଖରେ ରହିଥାଏ । ହେଲେ ଭାରତ ଭାଗରେ ରହୁଥିବା ଟଙ୍କାକୁ କିନ୍ତୁ ସେ ନିଜେ ନରଖି , ଏସିସିକୁ ପ୍ରଦାନ କରିଥାଏ । ଏହି ଟଙ୍କାରେ ଅନ୍ୟ ଦେଶରେ କ୍ରିକେଟ୍ କେମିତି ଉନ୍ନତି କରିବ, ସେଇ କଥାକୁ ଦୃଷ୍ଟିରେ ରଖି ବିସିସିଆଇ ଏପରି କରିଆସୁଛି ବୋଲି ଆକାଶ ଚୋପଡା କହିଛନ୍ତି ।

ସୂଚନାଯୋଗ୍ୟ ଯେ, ବିଶ୍ୱର ସବୁଠୁ ଧନୀ କ୍ରିକେଟ୍ ବୋର୍ଡ ହେଉଛି ବିସିସିଆଇ । ରିପୋର୍ଟ ମୁତାବକ, ବିସିସିଆଇର ନେଟୱର୍ଥ ହେଉଛି ୨ ବିଲିୟନ୍ ଡଲାର । ଯାହାକି ଭାରତୀୟ ଟଙ୍କାରେ ଦେଖିବାକୁ ଗଲେ ୧୬ ହଜାର କୋଟି । ବିସିସିଆଇ ସବୁଠୁ ଅଧିକ ଆୟ କରିଥାଏ ଇଣ୍ଡିଆନ୍ ପ୍ରିମିୟର ଲିଗ୍ ମାଧ୍ୟମରେ । ଯେଉଁ କାରଣରୁ ଏସିଆ କପ୍ ଭଳି ଟୁର୍ଣ୍ଣାମେଣ୍ଟରୁ ବିସିସିଆଇକୁ ଯଥେଷ୍ଟ ଟଙ୍କା ମିଳୁଥିଲେ ବି, ଏହାକୁ ଏସିସିକୁ ଦେଇ ଦେଇଥାଏ ବିସିସିଆଇ ।