ପଦ୍ମପୁରରେ ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କଲେ ଅଶ୍ୱିନୀ ବୈଷ୍ଣବ । କଂଗ୍ରେସକୁ ବି ଛାଡିଲେନି ।

87

କନକ ବ୍ୟୁରୋ: ପଦ୍ମପୁର ଉପନିର୍ବାଚନ ପାଇଁ ଆଜି ପାୱାର ଶୋ’ କରିଛି ବିଜେପି । ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କ ପାଇଁ ଭୋଟ ଅପିଲ କରିିବାକୁ ପାଇକମାଳରେ ପ୍ରଚାର ମୈଦନାକୁ ଓହ୍ଲାଇଛନ୍ତି କେନ୍ଦ୍ରର ଦୁଇ ବଡ ମନ୍ତ୍ରୀ । ଏହି କ୍ରମରେ ରେଳ ପ୍ରକଳ୍ପକୁ ନେଇ ରାଜ୍ୟ ସରକାରଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କହିଲେ ଏଯାଏଁ ରାଜ୍ୟ ସରକାର ପ୍ରକଳ୍ପ ପାଇଁ ଆଗ୍ରହୀ ହୋଇନାହାଁନ୍ତି । ଜାଗା ରାଜ୍ୟ ସରକାରଙ୍କର , ତେଣୁ ଜାଗା ନଦେଲେ କାମ କିପରି ହେବ? ରାଜ୍ୟ ସରକାର କାଲି ଜାଗା ଦେଲେ ପରଦିନ କାମ ଆରମ୍ଭ ହେବ । ବରଗଡରୁ ନୂଆପଡା ରେଲୱେ ଲାଇନ୍ କାମ ହେବ’ ।

ଖାଲି ଏତିକି ନୁହେଁ ବିଜେଡି ସରକାରଙ୍କ କ୍ୟାବିନେଟରେ ଥିବା ମନ୍ତ୍ରୀଙ୍କୁ ବି ଟାର୍ଗେଟ କଲେ ଅଶ୍ୱିନୀ ବୈଷ୍ଣବ । ମନ୍ତ୍ରୀ ଟୁକୁନି ସାହୁ, ପ୍ରସନ୍ନ ଆଚାର୍ଯ୍ୟ କାହିଁକି ମିଛ କହିଲେ ବୋଲି ସେ ପ୍ରଶ୍ନ କରିଛନ୍ତି । ଏହାସହ ସେ କହିଛନ୍ତି ଯେ, ‘ରେଳ ସେବା ପାଇବା ଲୋକଙ୍କ ଅଧିକାର । ସେ ଅଧିକାରକୁ କେହି ଛଡାଇନେଇପାରିବେ ନାହିଁ । ପ୍ରଧାନମନ୍ତ୍ରୀ ମୋଦୀ ଓଡିଶା ପ୍ରତି ଥିବା ତାଙ୍କର ସଙ୍କଳ୍ପକୁ ନିଶ୍ଚୟ ପୂରଣ କରିବେ’ ।

ରେଳ ପ୍ରକଳ୍ପକୁ ନେଇ କଂଗ୍ରେସକୁ ମଧ୍ୟ ଟାର୍ଗେଟ କରିଛନ୍ତି ଅଶ୍ୱିନୀ ବୈଷ୍ଣବ । କହିଲେ ’୬୦ ବର୍ଷରେ କଂଗ୍ରେସ ଯାହା କରିନଥିଲା ତାହା ମୋଦୀ ସରକାର କରୁଛନ୍ତି’ । ଏହାସହ ଦାଦନ ସମସ୍ୟାକୁ ନେଇ ମଧ୍ୟ ଉଭୟ ଦଳ ଉପରେ ବର୍ଷିଛନ୍ତି ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ।