ପଦ୍ମପୁର ପ୍ରଚାର ମୈଦାନରୁ ତୋମାରଙ୍କ ତୀର । ଫସଲବୀମା ଟଙ୍କା କେନ୍ଦ୍ର ରିଲିଜ କରିଛି, ବିଜେଡି ଚାଷୀଙ୍କୁ ଭୁଆଁ ବୁଲାଉଛି ।

89

କନକ ବ୍ୟୁରୋ : ପଦ୍ମପୁର ପ୍ରଚାର ମୈଦାନରୁ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର । ଫସଲବୀମା ଟଙ୍କାକୁ ନେଇ ରାଜ୍ୟ ସରକାରଙ୍କୁ ବାଣ ମାରିଛନ୍ତି କେନ୍ଦ୍ର କୃଷି ମନ୍ତ୍ରୀ । ଫସଲବୀମା ଟଙ୍କା ବାବଦକୁ ନିଜର ଭାଗ କେନ୍ଦ୍ର ରିଲିଜ କରି ସାରିଛି । କିନ୍ତୁ ବିଜେଡି କର୍ମୀ ଫସଲବୀମାକୁ ନେଇ ଅପପ୍ରଚାର କରୁଛନ୍ତି । ରାଜ୍ୟ ସରକାରଙ୍କ ଉପରେ ଚାପ ପକାନ୍ତୁ ଫସଲବୀମା ଅର୍ଥ ମିଳିବ ବୋଲି କେନ୍ଦ୍ର କୃଷିମନ୍ତ୍ରୀ କହିଛନ୍ତି । କେନ୍ଦ୍ର ନିଜର ଭାଗ ଅର୍ଥ ରିଲିଜ କରିଥିବା ବେଳେ କମ୍ପାନି ଚୟନ ରାଜ୍ୟ କରିଥିଲା । ତେଣୁ ରାଜ୍ୟ ସରକାର ଚାଷୀଙ୍କୁ ଭୁଆଁ ନ ବୁଲାଇ ଟଙ୍କା ଦିଅନ୍ତୁ ବୋଲି କହିଛନ୍ତି କୃଷିମନ୍ତ୍ରୀ ।

ଏହାସହ ତୋମାର କହିଛନ୍ତି ଗରିବ ଲୋକଙ୍କ ପାଇଁ ମୋଦୀ ସରକାର ଆବାସ ଦେଇଛନ୍ତି । ମନେରଗାରେ ଲକ୍ଷ ଲକ୍ଷ ଲୋକଙ୍କୁ କାମ, ପ୍ରତି ଘରେ ଶୌଚାଳୟ ନିର୍ମାଣ ପାଇଁ ମୋଦୀ ସରକାର ଟଙ୍କା ଦେଇଛନ୍ତି । ମୋଦୀ ସରକାରରେ ଉଜ୍ଜଳା ଯୋଜନାରେ ପ୍ରତି ଘରକୁ ଗ୍ୟାସ୍ ଯୋଗାଇ ଦିଆଯାଇଛି, ପ୍ରତି ଗାଁରେ ସଡକ ନିର୍ମାଣ ହେଉଛି, ଗାଁ ଲୋକଙ୍କୁ ବିଶୁଦ୍ଧ ଜଳ ଯୋଗାଇବା ପାଇଁ ଜଳଜୀବନ ମିଶନ ଆରମ୍ଭ କରିଛନ୍ତି ମୋଦୀ ସରକାର । ଏହାସହ ପଦ୍ମପୁରବାସୀଙ୍କୁ କହିଛନ୍ତି, ଆପଣଙ୍କ ପାଇଁ ପ୍ରଦୀପ ପୁରୋହିତ ନୂଆ ନୁହଁନ୍ତି । ଆଗରୁ ମଧ୍ୟ ପ୍ରଦୀପଙ୍କୁ ବିଧାୟକ ବାଛି ସାରିଛନ୍ତି ପଦ୍ମପୁରବାସୀ । ଆଉ ବିଧାୟକ ଥିବା ସମୟରେ ପଦ୍ମପୁର ପାଇଁ ଅନେକ କିଛି କାର୍ଯ୍ୟ କରିଛନ୍ତି ପ୍ରଦୀପ । ତେଣୁ ତାଙ୍କୁ ଆଉ ଥରେ ସୁଯୋଗ ପଦ୍ମପୁରବାସୀ ଦିଅନ୍ତୁ ବୋଲି ଅପିଲ କରିଛନ୍ତି ନରେନ୍ଦ୍ର ସିଂ ତୋମାର ।