ଭାରତରେ ଉପଲବ୍ଧ କରୋନା ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ ? ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କଲେ ରାଜ୍ୟର ପ୍ରମୁଖ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ।

133

କନକ ବ୍ୟୁରୋ : ଗୋଟିଏ ପଟେ ଦେଶରେ ବଢ଼ୁଛି କୋଭିଡ଼ ସଂକ୍ରମଣ । ଅନ୍ୟପଟେ କରୋନା ଓ ଟିକାକୁ ନେଇ ଏବେ ମଧ୍ୟ ସାଧାରଣ ଲୋକଙ୍କ ମଧ୍ୟରେ ଦ୍ୱନ୍ଦ୍ୱ ରହିଛି । ସେହିପରି ଭାରତରେ ଉପଲବ୍ଧ ଟିକା କେତେ ସୁରକ୍ଷିତ ଓ କେତେ ପ୍ରଭାବୀ ସେ ସମ୍ପର୍କରେ ଲୋକଙ୍କ ପାଖରେ ସଠିକ ତଥ୍ୟ ନାହିଁ । ଏଭଳି ପ୍ରସଙ୍ଗରେ ଅଶ୍ୱିନୀ ହସ୍ପିଟାଲର ସ୍ୱାସ୍ଥ୍ୟ ସମ୍ମିଳନୀରେ ବିଶଦ ଭାବେ ଆଲୋଚନା କରିଥିଲେ ରାଜ୍ୟର ପ୍ରମୁଖ ପ୍ରଶାସନିକ କର୍ମକର୍ତ୍ତା, ଡାକ୍ତର ଓ ଗଣମାଧ୍ୟମ ପ୍ରତିନିଧି ।

ଅଶ୍ୱିନୀ ହସ୍ପିଟାଲର ୧୫ ବର୍ଷ ପୂର୍ତ୍ତି ଅବସରରେ ଗତ ଶନିବାରରେ ଅୟୋଜନ କରାଯାଇଥିବା ଅଶ୍ୱିନୀ ସ୍ୱାସ୍ଥ୍ୟ ସମ୍ମିଳନୀରେ ରାଜ୍ୟର ବହୁ ବିଶିଷ୍ଠ ଚିକିତ୍ସକ ଯୋଗଦେଇ ଏସମ୍ପର୍କରେ ମତାମତ ରଖିଛନ୍ତି । ଏଥିରେ ଅଶ୍ୱିନୀ ହସ୍ପିଟାଲର ଛାତିରୋଗ ବିଶେଷଜ୍ଞ ଡାକ୍ତର ସମ୍ପତ ଦାଶ କହିଛନ୍ତି, ନୂଆ ଷ୍ଟ୍ରେନକୁ ରୋକିବା ପାଇଁ ଆମକୁ ସଂକ୍ରମଣ ହାରକୁ କମାଇବାକୁ ପଡିବ । କରୋନା ପାଇଁ ଥିବା ନିୟମାବଳୀକୁ ମାନିବାକୁ ହେବ ।

ଏସସିବି ମେଡିକାଲ କଲେଜର ମେଡିସିନ ବିଭାଗ ମୁଖ୍ୟ ଡାକ୍ତର ଜୟନ୍ତ ପଣ୍ଡାଙ୍କ କହିବା ହେଲା, ପରିବର୍ତ୍ତିତ ଷ୍ଟ୍ରେନ ମହାମାରୀର ଏକ ଅଂଶ । ଭୂତାଣୁ ଜୀବିତ ରହିବା ପାଇଁ ଷ୍ଟ୍ରେନ ପରିବର୍ତନ କରେ । ଟିକା ନେବା ସହ କରୋନା ମାର୍ଗଦର୍ଶିକା ପାଳନ କଲେ ଏହାର ମୁକାବିଲା ହୋଇପାରିବ । ସେପଟେ ଆତ୍ମସନ୍ତୁଷ୍ଟି ଯୋଗୁଁ କୋଭିଡ ପୁଣି ଫେରିଥିବା ମତ ରଖିଛନ୍ତି ଜନସ୍ୱାସ୍ଥ୍ୟ ବିଭାଗର ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ।

ତେବେ କରୋନା ମୁକାବିଲା ପାଇଁ ଟିକାକରଣ ଉପରେ ଗୁରୁତ୍ୱ ଦେଇଛନ୍ତି ବିଶେଷଜ୍ଞ ଡାକ୍ତର । ଆମ୍ରି ହସପିଟାଲର ଡାକ୍ତର ସମୀର ସାହୁ କହିଛନ୍ତି, ଟିକାକରଣର ବ୍ୟାପକ ପ୍ରଚାରପ୍ରସାର ହେବା ଦରକାର । ଟିକାକୁ ନେଇ କୌଣସି ଦ୍ୱନ୍ଦ୍ୱ ରହିବା ଅନୁଚିତ ବୋଲି କହିଛନ୍ତି ଆରଏମଆରସିର ନିର୍ଦ୍ଦେଶିକା ଡାକ୍ତର ସଂଘମିତ୍ରା ପତି । ସମ୍ମିଳନୀରେ କୋଭିଡ ସମୟରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇଥିବା ରାଜ୍ୟ ପ୍ରଶାସନର ବରିଷ୍ଠ ଅଧିକାରୀ ଓ ଡାକ୍ତରମାନଙ୍କୁ କୋଭିଡ ଯୋଦ୍ଧା ଭାବେ ସମ୍ମାନିତ କରାଯାଇଥିଲା ।