ଭୁବନେଶ୍ୱର ନୟାପଲ୍ଲୀରେ ଭଡାଟିଆଙ୍କୁ ଆକ୍ରମଣ ଘଟଣା । ୧୭ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୁଲିସ । ଡିସିପି କହିଲେ, ଏତଲାରେ ଥିବା ସମସ୍ତ ବ୍ୟକ୍ତି ହେବେ ତଦନ୍ତ ପରିସର ଭୁକ୍ତ ।

663

କନକ ବ୍ୟୁରୋ : ଭଡାଟିଆଙ୍କ ଘରେ ମରଣାନ୍ତକ ଆକ୍ରମଣ ଓ ଭଙ୍ଗାରୁଜା ମାମଲାରେ ୧୭ ଜଣ ଅଭିଯୁକ୍ତ ଗିରଫ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ଜଣେ ପୁଲିସ ହାବିଲଦାର ରହିଛନ୍ତି । ପିସିଆର ଭ୍ୟାନ ଡ୍ରାଇଭର କମିଶନରେଟ୍ ପୁଲିସର ହାବିଲଦାର ଘଟଣାସ୍ଥଳରେ ଉପସ୍ଥିତ ଥାଇ ବି ପୁଲିସକୁ ଖବର ଦେଇନଥିଲେ । ଗିରଫ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରିଛି ନୟାପଲ୍ଲୀ ଥାନା ପୁଲିସ । ସେମାନଙ୍କ ବିରୋଧରେ ଆଇପିସିର ଧାରା ୩୯୫ ଓ ୪୫୦ରେ ମାମଲା ରୁଜୁ ହୋଇଛି ।

ପ୍ରାୟ ୪୦ରୁ ୫୦ ଜଣ ଏକ ଜିପରେ ଆସି ଆଇଆରସି ଭିଲେଜରେ ଭଡାରେ ରହୁଥିବା ପ୍ରଣବ ରାୟଙ୍କୁ ଆକ୍ରମଣ କରିବା ସହିତ ଲୁହା ରଡ୍ ଓ କାଠ ଫାଳିଆରେ ପିଟି ଘରର ଆସବାବପତ୍ର ଭଙ୍ଗାରୁଜା କରିଥିଲେ । ପ୍ରାୟ ଅଧଘଂଟାରୁ ଅଧିକ ସମୟ ଧରି ଉନ୍ମତ କାଣ୍ଡ ଘଟାଇ ଥିବା ନେଇ ନୟାପଲ୍ଲୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଆହତ ପ୍ରଣବଙ୍କ ଝିଅ ତାନ୍ୟା ରାୟ । ତାଙ୍କ ଏତଲାକୁ ଆଧାର କରି ଜିପକୁ ଜବତ କରିବା ସହ ୧୭ ଜଣଙ୍କୁ ଗିରଫ କରିବା ସହ ତଦନ୍ତ ଜାରି ରଖିଛି ପୁଲିସ ।

ଏହି ଘଟଣାରେ ଯାହାର ସଂପୃକ୍ତି ବାହାରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏତଲାରେ ଯେଉଁମାନଙ୍କ ନାମ ଲେଖା ଅଛି, ଆଉ ଯେଉଁମାନଙ୍କ ନାମ ଲେଖା ନାହିଁ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବ ବୋଲି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାସ କହିଛନ୍ତି । ବ୍ରହ୍ମଗିରିର ପୂର୍ବତନ ବିଧାୟକ ସ୍ୱର୍ଗତ ଲୁଲୁ ମହାପାତ୍ରଙ୍କ ଝିଅ ଉପାସନା ମହାପାତ୍ର ଓ ତାଙ୍କ ସ୍ୱାମୀ ଶୁଭ୍ରାଂଶୁ ବିଶ୍ୱାଳ ନିଜେ ଉପସ୍ଥିତ ରହି ଏହି ଯୁବକମାନଙ୍କୁ ଭଙ୍ଗାରୁଜା କରିବାକୁ ନିର୍ଦ୍ଦେଶ ଦେଉଥିଲେ ବୋଲି ଏତଲାରେ ଉଲ୍ଲେଖ ରହିଛି ।