ମଣିପୁର ହିଂସା ପରେ ସେନାର ଫ୍ଲାଗମାର୍ଚ୍ଚ । ୮ ଜିଲ୍ଲାରେ କର୍ଫ୍ୟୁ, ମୋବାଇଲ ଇଣ୍ଟରନେଟ୍ ବନ୍ଦ

335

କନକ ବ୍ୟୁରୋ : ଅନୁସୂଚିତ ଜନଜାତି ଲୋକଙ୍କ ଆବେଦନ ଓ କୋର୍ଟଙ୍କ ଆଦେଶକୁ ନେଇ ଆଦିବାସୀ ସମୁହ ବିରୋଧ ପ୍ରଦର୍ଶନ ଓ ଏହାକୁ ନେଇ ହିଂସା ପରେ ସେନା ହିଂସା ପ୍ରଭାବିତ ଅଞ୍ଚଳରେ ଫ୍ଲାଗମାର୍ଚ୍ଚ କରିଛି । ଇମ୍ଫାଲରେ ହିଂସା ପରେ ଗତ ରାତିରେ ମଣିପୁରର ୮ ଜିଲ୍ଲାରେ କର୍ଫ୍ୟୁ ଲଗାଯାଇଛି । ମଣିପୁର ସରକାର ଆଗାମୀ ୫ ଦିନ ଯାଏ ପୁରା ମଣିପୁରରେ ମୋବାଇଲ ଇଣ୍ଟରନେଟ୍ ବନ୍ଦ କରିଛନ୍ତି । ବଢୁଥିବା ହିଂସାକୁ ରୋକିବା ପାଇଁ ମଣିପୁର ସରକାର ସେନା ଓ ଆସାମ ରାଇଫଲକୁ ଡାକିଛି । ହିଂସା ପରେ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪ହଜାର ଲୋକଙ୍କୁ ସେନା ଶିବିର ଓ ସରକାରୀ କାର୍ଯ୍ୟାଳୟରେ ଆଶ୍ରୟ ଦିଆଯାଇଛି ।

ମୌତେଇ ସମୁଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ କରିବା ଦାବିକୁ ବିରୋଧ କରି ଏକ ଛାତ୍ର ସଂଗଠନ ଦ୍ୱାରା ଆହ୍ୱାନ ଦିଆଯାଇଥିଲା । ଏହି ଆଦିବାସୀ ଏକତା ମଂଚ ଦ୍ୱାରା ହିଂସା ଆରମ୍ଭ କରାଯାଇଥିଲା । ଅଲ୍ ଟ୍ରାଇବାଲ ଷ୍ଟୁଣ୍ଡେଣ୍ଟସ୍ ୟୁନିୟନ ଅଫ୍ ମଣିପୁର ତରଫରୁ କୁହାଯାଇଛି କି, ମୌତେଇ ସମୁଦାୟକୁ ଆଦିବାସୀ ଶ୍ରେଣୀରେ ସାମିଲ କରିବା ନେଇ ଯେଉଁ ଦାବି ହେଉଛି ତା ବିରୋଧରେ ସେମାନେ ସଂଗଠିତ ହୋଇଛନ୍ତି ।

ଜଣେ ବରିଷ୍ଠ ପୋଲିସ ଅଧିକାରୀଙ୍କ କହିବା ମୁତାବକ ଏହି ରାଲିରେ ହଜାର ହଜାର ଆନ୍ଦୋଳନକାରୀ ସାମିଲ ହୋଇଥିଲେ । ଏହି କ୍ରମରେ ତୋରବଂଗ ଅଞ୍ଚଳରେ ଆଦିବାସୀ ଓ ଅଣ ଆଦିବାସୀଙ୍କ ମଧ୍ୟରେ ହିଂସା ଦେଖିବାକୁ ମିଳିଥିଲା । ଭିଡ ହିଂସାକୁ ନିୟନ୍ତ୍ରଣ କରିବାକୁ ପୋଲିସ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ।