ସମ୍ମାନ ପାଇ ଦିଲ୍ଲୀରୁ ଫେରିବା ପରେ ନବୀନଙ୍କୁ ଭବ୍ୟ ସ୍ୱାଗତ: ରାଜଧାନୀରେ ସୃଷ୍ଟି ହେଲା ନିର୍ବାଚନର ହାୱା

81

କନକ ବ୍ୟୁରୋ: ଦିଲ୍ଲୀରେ କ୍ୟାପିଟାଲ ଫାଉଣ୍ଡେସନ ଦ୍ୱାରା ଜୀବନବ୍ୟାପୀ ସାଧନା ସମ୍ମାନ ପାଇ ଫେରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲୋକପ୍ରିୟ ମୁଖ୍ୟମନ୍ତ୍ରୀ ତଥା ବିଜେଡିର ସର୍ବମାନ୍ୟ ନେତାଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ଭବ୍ୟ ଆୟୋଜନ କରିଥିଲା ବିଜେଡି । ନିକଟରେ ନିର୍ବାଚନ ହେବାର ନାହିଁ । ତଥାପି ବିଜେଡିର ଏହି ସ୍ୱାଗତ ରାଲିକୁ ଦେଖି ନିର୍ବାଚନ ଭଳି ଭ୍ରମ ସୃଷ୍ଟି ହୋଇଛି । ନବୀନଙ୍କ ଲୋକପ୍ରିୟତାକୁ ପୁଞ୍ଜି କରି ଏକପ୍ରକାର ଶକ୍ତି ଦେଖାଇଛି ଦଳ । ମୁଖ୍ୟମନ୍ତ୍ରୀ ମଧ୍ୟ ମଝିରେ ମଝିରେ ବସରୁ ବାହାରକୁ ବାହାରି ସମ୍ବୋଧନ କରିଛନ୍ତି । ଠିକ ଯେମିତି ୨୦୧୯ ନିର୍ବାଚନ ପ୍ରଚାରବେଳେ ଭୋଟରଙ୍କୁ ସମ୍ବୋଧନ କରୁଥିଲେ ।

ସାଂସଦ, ବିଧାୟକ ଓ ଦଳୀୟ ନେତାଙ୍କ ସହ ହଜାର ହଜାର କର୍ମୀ ପାରମ୍ପରିକ ବାଦ୍ୟ, ନୃତ୍ୟର ତାଳେତାଳେ ମୁଖ୍ୟମନ୍ତ୍ରୀଙ୍କୁ ସ୍ୱାଗତ କରିଛନ୍ତି । ଓଡିଶାରେ ପହଂଚିବା ପରେ ପାଇଥିବା ସମ୍ମାନକୁ ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ସମର୍ପିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ନବୀନଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ପାଇଁ ସାରାରାଜ୍ୟରୁ ପ୍ରାୟ ୫୦ ହଜାର ଲୋକ ରାଜଧାନୀରେ ଏକାଠି ହୋଇଥିଲେ । ନିଜ ନିଜ ଅଂଚଳରୁ ନେତାମାନେ ନବୀନଙ୍କୁ ସ୍ୱାଗତ କରିବା ପାଇଁ ସମର୍ଥକଙ୍କୁ ଧରି ପହଂଚିଥିଲେ । ଶକ୍ତି ପ୍ରଦର୍ଶନରେ ଯେମିତି କେହି ପଛରେ ନପଡନ୍ତି ସେଥିପାଇଁ ଏକପ୍ରକାର ପ୍ରତିଯୋଗିତା ଲାଗିଥିଲା ।

ଟ୍ରାଫିକ ବ୍ୟବସ୍ଥା ସହ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିଲା । ଏଥିପାଇଁ ରାଜଧାନୀରେ ୪୦ ପ୍ଲାଟୁନଫୋର୍ସ ମୁତୟନ ହୋଇଥିଲେ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରର ଦୁଇଟି ରାସ୍ତାରୁ ଗୋଟିଏ ଲୋକଙ୍କ ପାଇଁ ଖୋଲା ରହିଥିବାବେଳେ ଅନ୍ୟଟି କର୍ମୀଙ୍କ ପାଇଁ ରଖାଯାଇଥିଲା । ବିରାଟ ପଟୁଆରରେ ମୁଖ୍ୟମନ୍ତ୍ରୀ ନବୀନ ନିବାସରେ ପହଂଚିଥିଲେ ।