ସୁବର୍ଣ୍ଣରେଖାରେ ଆସୁଛି ବଡ଼ ବନ୍ୟା । ଗାଲୁଡିହ ଡ୍ୟାମର ସବୁ ଗେଟ୍ ଖୋଲିଦେଲା ଝାଡ଼ଖଣ୍ଡ । ବିପଦ ସଙ୍କେତ ଉପରେ ଉଛୁଳିଲା ଜଳସ୍ତର ।

179

କନକ ବ୍ୟୁରୋ: ଉପକୂଳ ଓଡିଶାର ଲୋକେ ବନ୍ୟାର ଦୁର୍ଦ୍ଦଶାରୁ ମୁକୁଳି ନାହାନ୍ତି । ସେପଟେ ଉତ୍ତର ଓଡିଶାରେ ବଡ ବନ୍ୟା ଆଶଙ୍କା ଲୋକଙ୍କୁ ଡରାଇଲାଣି । ଝାଡଖଣ୍ଡ ଗାଲୁଡିହ ଡ୍ୟାମରୁ ୧୮ଟି ଗେଟ୍ ଦେଇ ୭ ଲକ୍ଷ କ୍ୟୁସେକ ଜଳ ସୁବର୍ଣ୍ଣରେଖା ନଦୀରେ ଓଡିଶା ଆସୁଛି । ଯାହା ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାର ନଦୀ ଅବବାହିକାରେ ଥିବା ଅଞ୍ଚଳରେ ତାଣ୍ଡବ ରଚାଇପାରେ । ଯାହା ଫଳରେ ଆଜି ରାତିରେ ତଳିଆ ଅଞ୍ଚଳ ଜଳମଗ୍ନ ହେବ ବୋଲି ଆକଳନ କରାଯାଇଛି ।

ଯେତିକି ଜୋରରେ ଗର୍ଜନ କରି ଝାଡ଼ଖଣ୍ଡ ଗାଲୁଡ଼ିହ ଡ୍ୟାମରୁ ପାଣି ନିଷ୍କାସନ ହେଉଛି, ସେତିକି ଭୟ ବଢ଼ୁଛି ବାଲେଶ୍ୱର ଓ ମୟୂରଭଞ୍ଜର ତଳିଆ ଅଞ୍ଚଳରେ । ଗତକାଲି ଠାରୁ ଗୋଟିଏ ପରେ ଗୋଟିଏ ପରେ ୧୮ଟି ଗେଟ୍ ଖୋଲି ଦେଇଛି ଝାଡ଼ଖଣ୍ଡ ଆଉ ଗର୍ଜନ କରି ତଳ ମୁଣ୍ଡକୁ ପାଣି ମାଡିଆସୁଛି । ପାଖାପାଖି ୭ ଲକ୍ଷ କ୍ୟୁସେକ୍ ବନ୍ୟାଜଳ ପ୍ରବାହିତ ହେଉଛି । ପ୍ରତି ମିନିଟରେ ସୁବର୍ଣ୍ଣରେଖାର ଜଳସ୍ତର ବଢ଼ିଚାଲିଛି । ଆଉ ଏକ ନିଶ୍ଚିତ ବନ୍ୟାର କରାଳ ରୂପ ଦେଖିବାକୁ ଯାଉଛି ବାଲେଶ୍ୱରର ୪ଟି ବ୍ଲକ । ଆଜି ରାତିରୁ ମୟୁରଭଞ୍ଜ ସହ ବାଲେଶ୍ୱରର ବାଲିଆପାଳ, ଭୋଗରାଇ ଓ ଜଳେଶ୍ୱରରେ ତାଣ୍ଡବ ରଚାଇପାରେ ବନ୍ୟାଜଳ ।

  • ସୁବର୍ଣ୍ଣରେଖାରେ ହେବାକୁ ଯାଉଛି ବଡ଼ ବନ୍ୟା
  • ଜିଲ୍ଲାପାଳଙ୍କୁ ଦିଆଗଲା ଏସ୍ଆରସି କ୍ଷମତା

ଯେତେବେଳେ ବନ୍ୟା ପରିସ୍ଥିତି ସୃଷ୍ଟି ହୁଏ, ସେତେବେଳେ ବେଶ ସତର୍କତାର ସହ ସ୍ୱଳ୍ପ ବନ୍ୟା, ମଧ୍ୟମ ଧରଣର ବନ୍ୟା, ଏହିପରି କହିଥାନ୍ତି ସରକାର । କାରଣ ଲୋକଙ୍କ ମନରେ ଅଧିକ ଭୟ ସୃଷ୍ଟି କରିବାକୁ ଚାହିଁନଥାନ୍ତି । କିନ୍ତୁ ଗତକାଲି ରାତିରୁ ଟ୍ୱିଟ୍ କରି ସୁବର୍ଣ୍ଣରେଖା ସିଷ୍ଟମରେ ବଡ଼ ବନ୍ୟା ହେବ ବୋଲି କହି ସାରିଛନ୍ତି ସ୍ୱତନ୍ତ୍ର ରିଲିଫ୍ କମିସନର । ଏହାର ଅର୍ଥ ହେଉଛି ଯେତିକି ବନ୍ୟାଜଳ ସୁବର୍ଣ୍ଣରେଖା ସିଷ୍ଟମରେ ପ୍ରବାହିତ ହେଉଛି, ତାହା ବଡ଼ ବନ୍ୟା କରିବା ଏକପ୍ରକାର ନିଶ୍ଚିତ ।

ସୁବର୍ଣ୍ଣରେଖା ନଦୀର ଜଳସ୍ତର ବହୁ ଉପରେ ପ୍ରବାହିତ ହେଉଛି । ଅପରାହ୍ଣରେ ଜାମସୋଳା ଘାଟରେ ବିପଦ ସଙ୍କେତ ଠାରୁ ପ୍ରାୟ ୪ମିଟର ଉପରେ ପ୍ରବାହିତ ହେଉଥିଲା ଜଳସ୍ତର । ସମୟ ଗଡ଼ିବା ସହ ବଢୁଛି ନଦୀର ଜଳସ୍ତର । ନଈକୂଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଛନକା ପଶିଛି । ସରକାର ମଧ୍ୟ ଏହାର ମୁକାବିଲା ପାଇଁ ଜୋରଦାର ପ୍ରସ୍ତୁତି କରିଛନ୍ତି ।

ସବୁଠୁ ବଡ଼ କଥା ହେଉଛି ବାଲେଶ୍ୱର ଜିଲ୍ଲାପାଳଙ୍କୁ ଦିଆଯାଇଛି ଏସଆରସି ବା ସ୍ୱତନ୍ତ୍ର ରିଲିଫ୍ କମିସନରଙ୍କ କ୍ଷମତା । ଏହାର ଅର୍ଥ ହେଉଛି ଜିଲ୍ଲାପାଳଙ୍କୁ କୌଣସି ନିଷ୍ପତ୍ତି ନେବାରେ ଆଉ ଅପେକ୍ଷା କରିବାକୁ ପଡ଼ିବ ନାହିଁ । ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର, ଉଦ୍ଧାର କାର୍ଯ୍ୟ, ରିଲିଫ୍ ଯୋଗାଣ, ବନ୍ୟା ମୁକାବିଲା ପାଇଁ ଯାହା ଯାହା ଆବଶ୍ୟକ, ତାହା ସିଧାସଳଖ ନିଷ୍ପତି ନେଇପାରିବେ ଜିଲ୍ଲାପାଳ । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ବାଲେଶ୍ୱର ଜିଲ୍ଲାପାଳ ସିନ୍ଦେ ଦତାତ୍ରେୟଙ୍କୁ ଏହି କ୍ଷମତା ଦିଆଯାଇଥିବା ନେଇ ସ୍ୱତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଟୁଇଟ କରି ସୂଚନା ଦେଇଛନ୍ତି । ଏଥିସହ ଜରୁରୀକାଳୀନ ପରିସ୍ଥତିର ମୁକାବିଲା କରିବାକୁ ଏକ ହେଲିକ୍ୟାପ୍ଟର ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏନଡିଆରଏଫ୍ ସହ ବାଲେଶ୍ୱର ଏବଂ ମୟୁରଭଞ୍ଜକୁ ୫୮ଟି ଓଡ୍ରାଫ୍ ଏବଂ ଅଗ୍ନିଶମ ଟିମ୍ ପଠାଯାଇଛି । ବାଲେଶ୍ୱରରେ ଲୋକଙ୍କ ଉଦ୍ଧାର ପାଇଁ ୪୦ଟି ଅପରେସନ୍ ଟିମ୍ ସଜାଗ ରହିଥିବା ଏସଆରସି କହିଛନ୍ତି ।

୨୦୦୮ ପରଠୁ ଏଭଳି ବନ୍ୟା ଲୋକେ ଦେଖିନଥିବେ ବୋଲି କହିଛନ୍ତି ଏସଆରସି । ତେବେ ଯେପରି କୌଣସି ଜୀବନହାନୀ ନ ହେବ ତାହା ଉପରେ ସରକାର ଗୁରୁତ୍ୱ ଦେଇଛନ୍ତି । ବନ୍ୟା ବେଳେ ସତର୍କ ରହିବାକୁ ଏସଆରସି ଜନସାଧାରଣଙ୍କୁ ପରାମର୍ଶ ଦେଇଛନ୍ତି । ବୈତରଣୀ ନଦୀର ଜଳସ୍ତର ବିପଦ ସଙ୍କେତ ଉପରେ ରହିଥିଲେ ମଧ୍ୟ ବଡ଼ ବନ୍ୟାର ସମ୍ଭବନା ନ ଥିବା କୁହାଯାଇଛି । ସୁବର୍ଣ୍ଣଦେଖା ଏବଂ ବୈତରଣୀ ନଦୀରେ ବନ୍ୟ।। ଆସୁଥିବାରୁ ଯାଜପୁର, ଭଦ୍ରକ, ବାଲେଶ୍ୱର ଜିଲ୍ଲାକୁ ହାଇ ଆଲର୍ଟରେ ରଖାଯାଇଛି । ବାଲେଶ୍ୱର ସବୁଠୁ ଅଧିକ ପ୍ରଭାବିତ ହେବା ଆଶଙ୍କା ଥିବାରୁ ସ୍ଥିତି ସମୀକ୍ଷା ପାଇଁ ମନ୍ତ୍ରୀ ପ୍ରତାପ ଦେବଙ୍କୁ ଦାୟିତ୍ୱ ଦିଆଯାଇଛି । ସେପଟେ ସୁବର୍ଣ୍ଣରେଖାରେ ପାଣି ଯେତିକି ବଢୁଛି, ଜଳେଶ୍ୱର, ବାଲିଆପାଳ, ଭୋଗରାଇ ଆଦି ଅଞ୍ଚଳରେ ଭୟ ସେତିକି ବଢ଼ି ଚାଲିଛି । ଏପଟେ ପ୍ରଶାସନ ମଧ୍ୟ ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର କରିବା ପ୍ରକ୍ରିୟାକୁ ଜୋରଦାର କରିଛି ପ୍ରଶାସନ । ବଡ଼ ବନ୍ୟା ଆସୁଥିବାରୁ ଲୋକଙ୍କୁ ତୁହାକୁ ତୁହା ସତର୍କ କରାଯାଉଛି ।