ବାବୁଙ୍କ ପାଖରେ ବିପିଏଲ୍ କାର୍ଡ: ଚଞ୍ଚକତା କରି ବିପିଏଲ୍ କାର୍ଡ ହାତେଇ ରିହାତି ଦରରେ ପଟା ହାତେଇଛନ୍ତି ସହକାରୀ ଜିଲ୍ଲାପାଳ

565

କନକ ବ୍ୟୁରୋ: ସହକାରୀ ଜିଲ୍ଲାପାଳଙ୍କ ପତ୍ନୀଙ୍କ ନାଁରେ ବିପିଏଲ କାର୍ଡ । ଚଂଚକତା କରି ବିପିଏଲ କାର୍ଡ ହାତେଇ ବସ୍ତି ମିଶନ ଯୋଜନାରେ ରିହାତି ଦରରେ ପଟ୍ଟା ହାତେଇ ଥିବା ଅଭିଯୋଗ । ମାଲକାନଗିରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଜରୁରୀକାଳିନ ଅଧିକାରୀ ଭାବେ କାର୍ଯ୍ୟରତ ଲଳିତ କୁମାର ମଣ୍ଡଳଙ୍କ ନାଁରେ ଆସିଛି ଏପରି ସାଂଘାତିକ ଅଭିଯୋଗ । ସହରାଂଚଳରେ ବସବାସ କରୁଥିବା ବସ୍ତିବାସିନ୍ଦାଙ୍କୁ ଥଇଥାନ କରିବା ଲାଗି ରାଜ୍ୟ ସରକାର ୧ରୁ ୪ ଡେସିମିଲ ଜାଗା ପ୍ରଦାନ କରିବା ଲାଗି ଜାଗା ମିଶନ ଯୋଜନାରେ ବ୍ୟବସ୍ଥା ରହିଛି ।

ବିପିଏଲ ଶ୍ରେଣୀର ଲୋକଙ୍କୁ ରିହାତି ଦରରେ ଜମି ଯୋଗାଇ ଦିଆଯାଉ ଥିବା ବେଳେ ଏପିଏଲ ବର୍ଗର ଲୋକଙ୍କୁ ଏଥିପାଇଁ ପ୍ରତି ଡେସିମିଲ ପିଛା ଅର୍ଥ ପୈଠ କରିବାକୁ ପଡେ । ତେବେ ପ୍ରାୟ ୫୦ ହଜାର ଖଜଣା ଟଙ୍କାକୁ ଫାଙ୍କିବା ପାଇଁ ଲଳିତ ମଣ୍ଡଳ ତାଙ୍କ ପତ୍ନୀ ବିନତୀ ରାଣି ମଣ୍ଡଳଙ୍କ ନାଁ ମାଲକାନଗିରି ପୌରପରିଷଦରେ ବିପିଏଲ କାର୍ଡ ପ୍ରସ୍ତୁତ କରାଯାଇଥିବା ଅଭିଯୋଗ ହୋଇଛି । ତେବେ ଶ୍ରୀ ଲଳିତ ମଣ୍ଡଳ ପୂର୍ବରୁ ଜିଲ୍ଲା ବାହାରେ ଚାକିରି କରୁଥିଲେ । କେବେ ତାଙ୍କ ପତ୍ନୀଙ୍କ ନାଁରେ ବିପିଏଲ କାର୍ଡ ପ୍ରସ୍ତୁତ ହୋଇଛି, ସେ ସମ୍ପର୍କରେ ଅବଗତ ନ ଥିବା କହିଛନ୍ତି ସହକାରୀ ଜିଲ୍ଲାପାଳ ଲଳିତ ମଣ୍ଡଳ ।