ଇଞ୍ଜିନିୟରିଂ ପାସ୍ କରିବା ପରେ ଦୀର୍ଘ ଦିନ ଧରି ବାହାର ରାଜ୍ୟରେ ଚାକିରି କରୁଥିଲେ: ନିଜସ୍ୱ ଉଦ୍ୟମରେ ରୋଜଗାର କରିବା ପାଇଁ ଗାଁରେ ଖୋଲିଛନ୍ତି ବେକରୀ ୟୁନିଟ୍

110

କନକ ବ୍ୟୁରୋ: ବାଙ୍କୀ ନରଗାଙ୍ଗ ଗାଁର ଯୁବ ଇଞ୍ଜିନିଅର ଚାକିରୀ ଛାଡି ବେକରୀ ୟୁନିଟ୍ କରି ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି । ହାଇଦ୍ରାବାଦ ଭଳି ସହରରେ ମୋଟା ଅଙ୍କର ଦରମା ଛାଡ଼ି ଗାଁରେ ଏକ ବେକରୀ ୟୁନିଟ୍ ତିଆରି କରି ନିଜେ ସ୍ୱାବଲମ୍ବୀ ହୋଇଛନ୍ତି । ଇଞ୍ଜିନିଅରିଂ ଚାକିରୀ କରିଥିଲେ ମଧ୍ୟ ନିଜ ଭିଟାମାଟି ପ୍ରତି ତାଙ୍କର ଥିଲା ଦୁର୍ବଳତା । ସେଥିପାଇଁ ଗାଁରେ ଏକ ବେକରୀ ୟୁନିଟ୍ ଖୋଲି ନିଜେ ସ୍ୱାବଲମ୍ବୀ ହେବା ସହିତ ଯୁବ ପୀଢ଼ିଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ବିଶ୍ୱଜିତ ।

ଯୁବ ଇଞ୍ଜିନିୟରଙ୍କ ବେକରୀ ୟୁନିଟ୍ । ଗାଁରେ କେକ୍, ବିସ୍କୁଟ୍ ଭଳି ବିଭିନ୍ନ ପ୍ରକାରର ଖାଦ୍ୟ ସାମଗ୍ରୀ ୟୁନିଟ୍ ବସାଇ ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଖାଇଛନ୍ତି ରୋଜଗାରର ରାସ୍ତା ।
କଟକ ଜିଲ୍ଲା ବାଙ୍କୀ ନରଗାଙ୍ଗ ଗାଁର ବିଶ୍ୱଜିତ ପଟ୍ଟନାୟକ । ଇଞ୍ଜିନିଅରିଂ ପାସ୍ କରିବା ପରେ ଦୀର୍ଘ ବର୍ଷ ଧରି ହାଇଦ୍ରାବାଦର ଏକ ଘରୋଇ କମ୍ପାନୀରେ କାମ କରୁଥିଲେ । ହେଲେ ସେଠାରେ ତାଙ୍କ ମନ ଲାଗିନଥିଲା । ସ୍ୱାଧୀନ ଭାବେ ରୋଜଗାର କରିବା ଓ ଅନ୍ୟମାନଙ୍କୁ ରୋଜଗାରର ବାଟ ଦେଖାଇବା ପାଇଁ ସେ ଗାଁକୁ ଫେରି ଏଭଳି ଏକ ଛୋଟିଆ ଉଦ୍ୟୋଗ କରିବା ପାଇଁ ମନସ୍ଥ କରିଥିଲେ । ବ୍ୟାଙ୍କରୁ କିଛି ରୁଣ ନେଇ ନିଜସ୍ୱ ଉଦ୍ୟମରେ ଆରମ୍ଭ କଲେ ବେକରୀ ୟୁନିଟ୍ । ଏହି ୟୁନିଟରେ ଦୈନିକ ୪୫ ପ୍ରକାରର ବିସ୍କୁଟ୍ ଓ କେକ୍ ପ୍ରସ୍ତୁତ କରାଯାଉଛି । ବଜାରରେ ମଧ୍ୟ ତାଙ୍କ ପ୍ରଡକ୍ଟର ଚାହିଦା ବଢ଼ୁଛି ।

ବିଶ୍ୱଜିତଙ୍କର ଏହି ବ୍ୟବସାୟ ବିଷୟରେ କିଛି ଅଭିଜ୍ଞତା ନଥିବାରୁ ପ୍ରଥମେ ପ୍ରଥମେ ଆଶା ଆଶାଙ୍କାରେ ରହିଥିଲେ । ୨ ବର୍ଷ ତଳୁ ଆରମ୍ଭ ହୋଇଥିବା ଏହି ୟୁନିଟ୍ ଏବେ ଭଲ ଲାଭ ଦେଉଛି । ବ୍ୟାଙ୍କରୁ ୩ଲକ୍ଷ ଟଙ୍କା ରୁଣ ଆଣି ଆରମ୍ଭ ହୋଇଥିବା ଏହି ବ୍ୟବସାୟ ଏବେ ମାସକୁ ଲକ୍ଷାଧିକ ଟଙ୍କାର ରୋଜଗାର ଦେଉଛି । ତାଙ୍କ ସହ ୧୨ କର୍ମଚାରୀ ଏହି ୟୁନିଟ୍ରେ କାମ କରି ଆତ୍ମନିର୍ଭର ହୋଇପାରୁଛନ୍ତି । ଏହି କାମରେ ବିଶ୍ୱଜିତଙ୍କୁ ତାଙ୍କ ପତ୍ନୀ ପୁର୍ଣ୍ଣ ସହଯୋଗ କରୁଛନ୍ତି ।

ବଜାରରେ ଏହିସବୁ ବିସ୍କୁଟ୍ ଓ କେକ୍ ଆଇଟମର ଚାହିଦା ଦିନକୁ ଦିନ ବଢ଼ିବାକୁ ଲାଗିଥିବା ବେଳେ ଏହାକୁ ଦୃଷ୍ଟିରେ ରଖି ନୂଆ ନୂଆ ଭେରାଇଟର ବିସ୍କୁଟ ପ୍ରସ୍ତୁତ କରାଯାଉଛି । ସେଗୁଡିକ କିଭଳି ଶୀଘ୍ର ନଷ୍ଟ ନହେବ ସେଥିପ୍ରତି ଅଧିକ ଗୁରୁତ୍ୱ ଦିଆଯାଉଛି । ଉନ୍ନତମାନର ଜାର ଭିତରେ ତାକୁ ପ୍ୟାକେଜିଂ କରିବା ପରେ ଏହି ସବୁ ବେକରୀ ଆଇଟମକୁ ବାଙ୍କୀ, ଆଠଗଡ଼, ଖୋର୍ଦ୍ଧା ଓ ନୟାଗଡ ଅଂଚଳର ବ୍ୟବସାୟୀଙ୍କୁ ବିକ୍ରି କରାଯାଉଛି । ବିଶ୍ୱଜିତ ଗାଁରେ ଏହି ବେକରୀ ୟୁନିଟ ବସାଇ ନିଜେ ସ୍ୱାବଲମ୍ବୀ ହେବା ସହିତ ଅନ୍ୟ ଯୁବକ ମାନଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।