ତେନ୍ତୁଳି ଉତ୍ପାଦନରେ ରାୟଗଡ଼ା ଆଗୁଆ: ତେନ୍ତୁଳି ବିକ୍ରି କରି ଜୀବିକା ନିର୍ବାହ କରନ୍ତି ଆଦିବାସୀ

105

କନକ ବ୍ୟୁରୋ: ଜିଲ୍ଲାରେ ତେନ୍ତୁଳିର ଅମଳ ଆରମ୍ଭ ହେଲାଣି । ଏହାକୁ କିଣିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନି । ଫଳରେ ତେନ୍ତୁଳି ଉତ୍ପାଦନ କରୁଥିବା ଚାଷୀଙ୍କୁ ବିକ୍ରି କରିବା ପାଇଁ ଆନ୍ଧ୍ର ଦଲାଲଙ୍କ ଉପରେ ନିର୍ଭର କରିବାକୁ ପଡୁଛି । ଯାହାରିଫଳରେ ତେନ୍ତୁଳିର ଉଚିତ ମୂଲ୍ୟ ନପାଇ ଦଲାଲାଙ୍କ ଶୋଷଣର ଶିକାର ହବାକୁ ପଡୁଛି ଆଦିବାସୀଙ୍କୁ । ଏଠି ପ୍ରଶ୍ନ ଉଠୁଛି ସରକାରଙ୍କ ଲାଭ ଯୋଜନା କାହାପାଇଁ ?

ଆଦିବାସୀ ଅଧ୍ୟୁଷିତ ରାୟଗଡା ଜିଲ୍ଲାରେ ବନଯାତ ଦ୍ରବ୍ୟ ଆଦିବାସୀଙ୍କ ଆର୍ଥୀକ ଉନ୍ନତିରେ ସହାୟକ ହୋଇଥାଏ । ବିଶେଷ କରି ଆଦିବାସୀ ମହିଳା ମାନେ ବନଯାତ ଦ୍ରବ୍ୟକୁ ବିକ୍ରି କରି ରୋଜଗାରକ୍ଷମ ହୋଇଥାନ୍ତି । କିଛି ଦିନ ତଳେ ସରକାର ଲାଭ ଯୋଜନାରେ ଆଦିବାସୀଙ୍କ ଦ୍ୱାରା ସଂଗୃହିତ ବନଯାତ ଦ୍ରବ୍ୟକୁ କିଣିବା ପାଇଁ ନିଷ୍ପତି ନେଇଥିଲେ । କିନ୍ତୁ ରାୟଗଡା ଜିଲ୍ଲାରେ ଏହା ବର୍ତମାନ ପର୍ଯ୍ୟନ୍ତ କାର୍ଯ୍ୟକାରୀ ହୋଇନାହିଁ । ଜିଲ୍ଲାର ସୀମାନ୍ତବର୍ତୀ ଅଚଂଳରେ ପ୍ରଚୁର ପରିମାଣରେ ତେନ୍ତୁଳି ସଂଗ୍ରହ ହଉଥିବା ବେଳେ ଏହାକୁ ବିକ୍ରି କରିବା ପାଇଁ ଆନ୍ଧ୍ର ଦଲାଲଙ୍କ ଶୋଷଣର ଶିକାର ହେଉଛନ୍ତି ଆଦିବାସୀ । ସରକାରୀ ଦର ଅନୁଯାୟୀ ତେନ୍ତୁଳିର ସର୍ବନିମ୍ନ ସହାୟକ ମୂଲ୍ୟ କିଲୋ ପିଛା ୩୬ ଟଙ୍କା ୫୦ ପଇସା ଥିବାବେଳେ ଆନ୍ଧ୍ର ଦଲାଲ କିଲୋ ପିଛା ୩୦ ଟଙ୍କାରେ କିଣି ନେଉଥିବାରୁ ଆଦିବାସୀ ମହିଳା ମାନେ ତେନ୍ତୁଳିର ଉଚିତ୍ ମୂଲ୍ୟ ପାଇପାରୁନାହାନ୍ତି । ତେଣୁ ଯଥାଶିଘ୍ର ତେନ୍ତୁଳି ବିକ୍ରି ପାଇଁ ବଜାର ବ୍ୟବସ୍ଥା କରିବା ସହ ସେମାନଙ୍କ ଠାରୁ ତେନ୍ତୁଳି କିଣିବା ପାଇଁ ଦାବୀ କରିଛନ୍ତି ତେନ୍ତୁଳି ସଂଗ୍ରହକାରୀ । ଅନ୍ୟପଟେ ରାୟଗଡା ଓର୍ମାସ୍ ଡେପୁଟି ସିଇଓ କହିଛନ୍ତି ଆସନ୍ତା ୧୫ ତାରିଖରେ ଲାଭ ଯୋଜନା ମାଧ୍ୟମରେ ତେନ୍ତୁଳି କିଣାଯିବାର ଲକ୍ଷ୍ୟ ରଖାଯାଇଛି । ଚଳିତ ବର୍ଷ ୨୦୦ରୁ ୨୫୦ ଟନ୍ ତେନ୍ତୁଳି କିଣାଯିବା ପାଇଁ ଲକ୍ଷ୍ୟ ରଖାଯାଇଥିବା କହିଛନ୍ତି ଓର୍ମାସ୍ ଅଧିକାରୀ ।

ଜିଲ୍ଲାର ରାୟଗଡା ସଦର ସମେତ କାଶୀପୁର, ବିଷମକଟକ, କଲ୍ୟାଣସିଂହପୁର, କୋଲନରା, ମୁନିଗୁଡା, ରାମନାଗୁଡା ବ୍ଳକର ଗ୍ରାମାଂଳରେ ବହୁଳ ଭାବରେ ତେନ୍ତୁଳି ସଂଗୃହିତ ହୋଇଥାଏ । ଦକ୍ଷିଣାଚଂଳ ରାଜ୍ୟରେ ତେନ୍ତୁଳିକୁ ବହୁଳ ଭାବେ ଦୈନିକ ଖାଦ୍ୟପେୟରେ ବ୍ୟବହୃତ ହଉଥିବାରୁ ସେଠାକାର ବ୍ୟବସାୟୀ ଏହି ଗାଁକୁ ଆସି ଲୋକଙ୍କଠାରୁ ସାଗ ମାଛ ଦରରେ ତେନ୍ତୁଳି କିଣିନିଅନ୍ତି । ଯାହାଫଳରେ ତେନ୍ତୁଳି ସଂଗ୍ରହକାରୀ ଠକାମିର ଶିକାର ହୋଇଥାନ୍ତି ।

ତେନ୍ତୁଳି ହଉଛି ଆଦିବାସୀ ମହିଳାଙ୍କର ରୋଜଗାରର ପନ୍ଥା । ଦଲାଲଙ୍କୁ ବିକ୍ରି କରି ସେମାନେ ଅଧିକ ଶୋଷଣର ଶିକାର ହେବା ପୂର୍ବରୁ ଜିଲ୍ଲା ପ୍ରଶାସନ ଯଥା ଶୀଘ୍ର ସରକାରଙ୍କ ଲାଭ ଯୋଜନା ଆରମ୍ଭ କରି ତେନ୍ତୁଳି କିଣିଲେ ଆଦିବାସୀ ମହିଳାଙ୍କ ଆର୍ଥୀକ ସ୍ଥିତି ସୁଦୃଢ ହୋଇପାରନ୍ତା ।