ସଂସଦରେ ହାଲ ଝଡ଼: ଲୋକସଭାରେ ରାହୁଲଙ୍କୁ ଜବାବ ଦେଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ, କହିଲେ ସଂସଦରେ ହାଲକୁ ନେଇ ରଖିଛନ୍ତି ସଂପୂର୍ଣ୍ଣ ତଥ୍ୟ

107

କନକ ବ୍ୟୁରୋ: ହାଲ ପ୍ରସଙ୍ଗରେ ରାହୁଲ ଗାନ୍ଧି- ନିର୍ମଳା ସୀତାରମଣଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ ପରେ ଆଜି ଲୋକସଭାରେ ହଙ୍ଗାମା ହୋଇଛି । ରାଫେଲ ନେଇ ଲୋକସଭାରେ ପୁଣି ବୟାନ ଦେଇଛନ୍ତି ନିର୍ମଳା ସୀତାରମଣ । ହାଲକୁ ଦିଆଯାଇଥିବା ଅର୍ଡର ଉପରେ ସେ ସଫେଇ ରଖିଛନ୍ତି । ନିର୍ମଳା ସୀତାରମଣ କହିଛନ୍ତି, ପାର୍ଲାମେଂଟରେ ରାଫେଲ ନେଇ ଆଲୋଚନା ସମୟରେ ଦିଆଯାଇଥିବା ତଥ୍ୟରେ କୌଣସି ତ୍ରୁଟି ନାହିଁ । ଏ ନେଇ ରାହୁଲ ଗାନ୍ଧି ଯାହା କହୁଛନ୍ତି ତାହା ଠିକ ନୁହେଁ ଓ ସେ ଦେଶକୁ ବିଭ୍ରାନ୍ତ କରୁଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ନିର୍ମଳା ସୀତାରମଣ ।

ହାଲକୁ ଏକ ଲକ୍ଷ କୋଟି ଟଙ୍କାର ଅର୍ଡର ଦିଆଯାଇଥିବା କଥାକୁ ମିଛ ବୋଲି କହିଥିଲେ ରାହୁଲ ଗାନ୍ଧି । ଏହାକୁ ନେଇ ରାହୁଲ ଓ ସୀତାରମଣଙ୍କ ମଧ୍ୟରେ ଟ୍ୱିଟ ଯୁଦ୍ଧ ହୋଇଥିଲା । ଟ୍ୱିଟରରେ ରାହୁଲ ଲେଖିଛନ୍ତି ସଂସଦରେ ପ୍ରତିରକ୍ଷା ମନ୍ତ୍ରୀ ମିଛ କହିଛନ୍ତି । ହାଲ ସଂପର୍କିତ ବିବୃତିକୁ ପ୍ରମାଣିତ କରିବା ପାଇଁ ଆଜି ଲୋକସଭାରେ ଦସ୍ତାବିଜ ଉପସ୍ଥାପିତ କରିବାକୁ ରାହୁଲ ଚ୍ୟାଲେଞ୍ଜ ଦେଇଥିଲେ । ଏହା ପରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ଲୋକସଭାରେ ପୁଣି ବୟାନ ଦେଇଛନ୍ତି ।