ପ୍ରଭାବିତ ହେବ କି କେନ୍ଦ୍ରାପଡା ରାଜନୀତି? ବଢ଼ିବ କି ବିଜେଡିର ଭୋଟ ପ୍ରତିଶତ? 

144

କନକ ବ୍ୟୁରୋ : ରାଜନଗରର ପୂର୍ବତନ ବିଧାୟକ ଅଂଶୁମାନ ମହାନ୍ତିଙ୍କ ପରେ ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଜିଲ୍ଳାର ଦୁଇ ଯୁବ ନେତା ବିଜେଡିରେ ସାମିଲ ହେବା ପରେ, କେନ୍ଦ୍ରାପଡା ଲୋକସଭା ନିର୍ବାଚନକୁ ଏହା କେମିତି ପ୍ରଭାବିତ କରିବ, ସେ ନେଇ ଆରମ୍ଭ ହୋଇଛି ଆଲୋଚନା ।..

କେନ୍ଦ୍ରାପଡା ଜିଲ୍ଳାର ଦୁଇ ବରିଷ୍ଠ ରାଜନେତା । ବିଜୁ ବାବୁଙ୍କ ସମୟରେ ଏହି ଦୁଇ ନେତାଙ୍କର କେନ୍ଦ୍ରାପଡା ଜିଲ୍ଲା ସମେତ ପଡୋଶୀ ଜିଲ୍ଳାର ନିର୍ବାଚନ ମଣ୍ଡଳୀ ଉପରେ ରହିଥିଲା ରାଜନୈତିକ ପ୍ରଭାବ । ଏପରିକି ଏବେ ବି ସେମାନଙ୍କର ବହୁ ସଂଖ୍ୟାରେ ସମର୍ଥକ ରହିଥିବା କୁହାଯାଏ । ଆଉ ଏବେ ଯେତେବେଳେ ଉଭୟ ନେତାଙ୍କ ପୁଅ ବିଜେଡିରେ ସାମିଲ ହୋଇଛନ୍ତି ସେତେବେଳେ, ଜିଲ୍ଲା ରାଜନୀତିକୁ ଏହା କେମିତି ପ୍ରଭାବିତ କରିବ ସେ ନେଇ ଆରମ୍ଭ ହୋଇଛି ଆଲୋଚନା ।

ଅଂଶୁମାନ ଓ ଅରବିନ୍ଦ ବିଜେଡିରେ ମିଶିବା ପରେ, ଏହାର ବଡ ପ୍ରଭାବ ଜିଲ୍ଲା ରାଜନୀତି ଉପରେ ପଡିବ ବୋଲି ଚର୍ଚ୍ଚା ହେଉଛି । କୁହାଯାଉଛି, ଅଂଶୁମାନଙ୍କର ରାଜନଗର ସମେତ ଅନ୍ୟ ନିର୍ବାଚନମଣ୍ଡଳୀରେ ସମର୍ଥକ ରହିଛନ୍ତି । ତେଣୁ ସେ କଂଗ୍ରେସ ଛାଡି ବିଜେଡିରେ ଯୋଗ ଦେବା ପରେ ତାଙ୍କ ସମର୍ଥକମାନେ ବିଜେଡିକୁ ସମର୍ଥନ ଦେବେ । ସେହିପରି ଉଭୟ ମହାକାଳପଡା ଓ ପାଟକୁରାରେ ବିଜୟଙ୍କର ସଂଗଠନ ରହିଥିବାରୁ ଆଗାମି ନିର୍ବାଚନରେ ତାର ପ୍ରଭାବ ଦେଖିବାକୁ ମିଳିବ ବୋଲି କୁହାଯାଉଛି । ତେବେ ଏହାକୁ ଏହାକୁ ଗ୍ରହଣ କରି ନାହାନ୍ତି କଂଗ୍ରେସର ବରିଷ୍ଠ ନେତା ।

ଏସବୁ ଭିତରେ ଏବେ ନଜର ଅଟକିଛି, ଜିଲ୍ଲାର ପୁରୁଣା ବିଜେଡି ନେତା ଓ କର୍ମୀଙ୍କ ଉପରେ । ଯେଉଁମାନେ ବର୍ଷ ବର୍ଷ ଧରି ଏହି ବିଜେଡି ପାଇଁ କାମ କରି ଆସୁଥିଲେ, ସେମାନେ ଏହି ଦୁଇ ନେତାଙ୍କୁ କେମିତି ଗ୍ରହଣ କରିବେ, ନା ବିକଳ୍ପ ବାଟ ବାଛିବେ ତାହା ବେଶ ଗୁରୁତ୍ୱପୂର୍ଣ୍ଣ । ତେବେ ସୁପ୍ରିମୋଙ୍କ ନିର୍ଦ୍ଦେଶ ଯାହା ହେବ ତାହା ମାନିବେ ବୋଲି କହିଛନ୍ତି ବିଜେଡି ନେତା ସଞ୍ଜୟ ଅଗ୍ରୱାଲ । କେନ୍ଦ୍ରାପଡା ଲୋକସଭା କ୍ଷେତ୍ର ଏକ ଗୁରୁତ୍ୱପୂର୍ଣ୍ଣ ଆସନ ହୋଇଥିବାରୁ, ଏହା ଉପରେ ସମସ୍ତଙ୍କ ନଜର ରହିଛି ।