ଭାରତୀୟଙ୍କ ରଙ୍ଗର ରୂପକୁ ନେଇ କଂଗ୍ରେସ ନେତା ପିଟ୍ରୋଡାଙ୍କ ବୟାନ । ରାଗିଲେ ମୋଦୀ, ରାହୁଲଙ୍କଠୁ ମାଗିଲେ ଜବାବ

94

କନକ ବ୍ୟୁରୋ : ବରିଷ୍ଠ କଂଗ୍ରେସ ନେତା ତଥା ଇଣ୍ଡିଆନ ଓଭରସିଜ୍ କଂଗ୍ରେସର ଅଧ୍ୟକ୍ଷ ସାମ୍ ପିଟ୍ରୋଡାଙ୍କ ଆଉ ଏକ ବୟାନକୁ ନେଇ ରାଜନୈତିକ ମାହୋଲ ଏବେ ସରଗରମ । ଜାତୀୟ ଗଣମାଧ୍ୟମକୁ ପିଟ୍ରୋଡାଙ୍କ ସାକ୍ଷାତକାରର ଭିଡ଼ିଓ ସାମ୍ନାକୁ ଆସିଥିବା ବେଳେ ଶାସକ-ବିରୋଧୀଙ୍କ ମଧ୍ୟରେ ବୟାନବାଜି ଆରମ୍ଭ ହୋଇଛି । ତେଲେଙ୍ଗାନା ବାରଂଗଲର ଏକ ନିର୍ବାଚନୀ ସଭାରୁ ଏହି ପ୍ରସଙ୍ଗ ଉଠାଇ କଂଗ୍ରେସ ଉପରେ ବର୍ଷିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ରାହୁଲ ଗାନ୍ଧୀଙ୍କ ମାର୍ଗଦର୍ଶକ କୁହାଯାଉଥିବା ସାମ ପିଟ୍ରୋଡା ଭାରତୀୟଙ୍କ ଚମଡାର ରଙ୍ଗକୁ ନେଇ ଅପମାନଜନକ ବୟାନ ଦେଇଛନ୍ତି ବୋଲି ମୋଦି ଅଭିଯୋଗ କରିଛନ୍ତି ।

ବିବାଦର ଅନ୍ୟନାମ ସାମ୍ ପିଟ୍ରୋଡା, ଉତରାଧିକାରୀ କର ପରେ ଏବେ ଭାରତୀୟଙ୍କ ରଙ୍ଗ ଓ ରୂପ ଉପରେ ବୟାନ ଦେଇ ଫସିଛନ୍ତି କଂଗ୍ରେସର ଏହି ବରିଷ୍ଠ ନେତା । ଦ ଷ୍ଟେଟସମ୍ୟାନକୁ ଦେଇଥିବା ସାକ୍ଷାତକାରରେ ଭାରତକୁ ବିବିଧତାର ଦେଶ ଭାବେ ବର୍ଣ୍ଣନା କରିଛନ୍ତି ପିଟ୍ରୋଡା । ଏହି ଅବସରରେ ସେ ପୂର୍ବ ଭାରତର ଲୋକଙ୍କୁ ଚାଇନିଜ୍, ପଶ୍ଚିମ ଭାରତର ଲୋକଙ୍କୁ ଆରବୀୟ, ଉତର ଭାରତର ଲୋକଙ୍କୁ ଗୋରା ଏବଂ ଦକ୍ଷିଣ ଭାରତର ଲୋକଙ୍କୁ ଆଫ୍ରିକୀୟଙ୍କ ସହ ତୁଳନା କରିଛନ୍ତି । ଯାହାକୁ ନେଇ ରାଜନୈତିକ ବିବାଦ ଘନେଇଛି ।

କିଛି ଦିନ ପୂର୍ବରୁ ଉତରାଧିକାରୀ କର ଉପରେ ମନ୍ତବ୍ୟ ଦେଇ ବିବାଦକୁ ଆସିଥିଲେ ସାମ୍ ପିଟ୍ରୋଡା । ଆମେରିକା ଭଳି ଭାରତରେ ମଧ୍ୟ ଏଭଳି କର ଲାଗୁ କରାଯିବାର ଆବଶ୍ୟକତା ରହିଥିବା ସେ ଜୋର୍ ଦେଇଥିଲେ ।