ବଢ଼ିଲା ଆଶାକର୍ମୀଙ୍କ ଦରମା । ଭୁବନେଶ୍ୱର ଲୋୟର ପିଏମ୍ଜିରେ ଅସନ୍ତୁଷ୍ଟ ଆଶାକର୍ମୀଙ୍କ ଧାରଣା

1,082

କନକ ବ୍ୟୁରୋ : କେନ୍ଦ୍ର ଓ ରାଜ୍ୟ ସରକାର ବିରୋଧରେ ବର୍ଷିଲେ ଆଶାକର୍ମୀ । ଦରମା ବଢିଲା କିନ୍ତୁ ଅସନ୍ତୁଷ୍ଟ ହେଲେ ଆଶା କର୍ମୀ । ଆଗାମୀ ସାଧାରଣ ନିର୍ବ।।ଚନ ପୂର୍ବରୁ ରାଜ୍ୟସରକାର ବିଭିନ୍ନ ଅନୁଷ୍ଠାନର ଭତା ଓ ଦରମା ବଢାଉଥିବାବେଳେ ଆଶାକର୍ମୀଙ୍କ ପାରିଶ୍ରମିକ ବି ବଢାଇଛନ୍ତି । ମାସକୁ ୪ ହଜାର ୫୦୦ ଟଙ୍କା ପାରିଶ୍ରମିକ ପାଉଥିବା ଆଶା କର୍ମୀଙ୍କ ପାଉଣାକୁ ୭ ହଜାର କରିଦେଇଛନ୍ତି ରାଜ୍ୟ ସରକାର । ତା ସାଙ୍ଗକୁ ସେବା ନିବୃତି ପ୍ରୋତ୍ସାହନ ରାଶି ୫୦ ହଜାର ଟଙ୍କାରୁ ୧ ଲକ୍ଷ ଟଙ୍କାକୁ ବୃଦ୍ଧି ହୋଇଛି । ବର୍ଧିତ ପାରିଶ୍ରମିକ ବିଜେଡିର ଭୋଟ ବ୍ୟାଙ୍କ ବଢାଇବା ପାଇଁ ସହାୟକ ହେବ ବୋଲି ରାଜ୍ୟ ସରକାର ଆଶା କରୁଛନ୍ତି । ହେଲେ ସରକାରଙ୍କ ଘୋଷଣା ପରେ ଅସନ୍ତୁଷ୍ଟା ଆଶାକର୍ମୀ ଏହାର ଜବାବ ଆଗାମୀ ନିର୍ବାଚନରେ ଦେବେ ବୋଲି କହିଛନ୍ତି ।

ଆଶାକର୍ମୀଙ୍କୁ ପାରିଶ୍ରମିକ ନୁହଁ ବରଂ ମାସକୁ ୨୬ ହଜାର ଟଙ୍କା ଦରମା ଦେବାକୁ ଦାବି କରିଆସୁଥିଲା ସଂଘ । ମାତ୍ର ୭ ହଜାର ଟଙ୍କା ଦେବାର ଘୋଷଣା କରି ରାଜ୍ୟସରକାର ଆଶା କର୍ମୀଙ୍କୁ ଠକି ଦେଇଥିବା ଅଭିଯୋଗ ହୋଇଛି । ସେହିପରି ଗ୍ରାଚ୍ୟୁଇଟି ଓ ମୃତ୍ୟୁକାଳୀନ ସହାୟତା ବାବଦକୁ ୮ ଲକ୍ଷ ଦାବି କରାଯାଇଥିଲେ ବି ପେନସନ କଥା ସରକାର ଭୂଲିଗଲେ ବୋଲି କହିଛି ସଂଘ ।
ରାଜ୍ୟ ସରକାର ଆଶା କର୍ମୀଙ୍କ ପାରିଶ୍ରମିକ ଓ ସେବା ନିବୃତ ପ୍ରୋତ୍ସାହନ ରାଶି ବାବଦକୁ ବର୍ଷକୁ ଖର୍ଚ୍ଚ କରିବେ ୨୦୮ କୋଟି ଟଙ୍କା । ଏଥିରେ ଉପକୃତ ହେବେ ୪୯ ହଜାର ୫୨୨ ଜଣ ଆଶା କର୍ମୀ । ତେବେ ପ୍ରଶ୍ନ ଉଠୁଛି , ବର୍ଧିତ ପାରିଶ୍ରମିକରେ ସନ୍ତୁଷ୍ଟ ନଥିବା ଆଶାକର୍ମୀ ଆଗାମୀ ନିର୍ବାଚନକୁ ପ୍ରଭାବିତ କରିବେ ନାହିଁ ତ?