ଦୁଇମାସରେ କେମିତି ବଦଳିଲା ଚିତ୍ର? କାହିଁକି ଆକ୍ରମଣାତ୍ମକ ହେଲେ ମୋଦି?

3,563

କନକ ବ୍ୟୁରୋ: ସମ୍ବଲପୁର ଓ ଚଣ୍ଡିଖୋଲରେ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଥିବା ମୋଦୀଙ୍କ ସ୍ୱର ବ୍ରହ୍ମପୁର ଓ ନବରଙ୍ଗପୁରରେ ବଦଳିଗଲା କାହିଁକି । ଦଳୀୟ ସୂତ୍ରରୁ ମିଳୁଥିବା ସୂଚନା ଅନୁସାରେ, ମୋଦୀ ଭୁବନେଶ୍ୱର ବିମାନ ବନ୍ଦରରେ ପହଂଚିବା ପରେ ରାଜ୍ୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଥିଲେ । ଓଡ଼ିଶାରେ ସାଂଗଠନିକ ସ୍ଥିତି, ବିଜେପିର ବିଜୟ ସମ୍ଭାବନା ଭଳି ବିଭିନ୍ନ ମାନକକୁ ନେଇ ପ୍ରସ୍ତୁତ ହୋଇଥିଲା ସ୍କ୍ରିପ୍ଟ ।

ଗୋଟିଏ ମଂଚରେ ମୋଦି-ନବୀନ ବସିବା ଓ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ପ୍ରଂଶସାରୁ ଅନୁମାନ କରାଯାଉଥିଲା ନିର୍ବାଚନ ପୂର୍ବରୁ ରାଜ୍ୟରେ ବିଜେପି-ବିଜେଡି ମଧ୍ୟରେ ମେଂଟ ହେବାକୁ ଯାଉଛି । କିନ୍ତୁ ମେଂଟ ଚର୍ଚ୍ଚାରେ ବିରାମ ଲାଗିବା ପରେ ଦୁଇ ମାସରେ ଚିତ୍ର ବଦଳିଛି । ମୋଦି ହଠାତ୍ ବ୍ରହ୍ମପୁର ସଭାରେ ନବୀନଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି ।

କୁହାଯାଉଛି ଏପ୍ରିଲ ୨୬ରେ ଅମିତ ଶାହାଙ୍କ ଭୁବନେଶ୍ୱର ଗସ୍ତ ସମୟରେ କାର୍ଯ୍ୟକର୍ତ୍ତାଙ୍କ ସହ ରୁଦ୍ଧଦ୍ୱାର ବୈଠକ ହୋଇଥିଲା । ଆଉ ଏହି ବୈଠକ ପରେ ବଦଳିଯାଇଥିଲା ବିଜେପିର ଆଭିମୁଖ୍ୟ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ନିର୍ବାଚନୀ ସଭା ହୋଇଥିଲା ବ୍ରହ୍ମପୁରରେ । ଏହାର ପୂର୍ବଦିନ ଭୁବନେଶ୍ୱରରେ ରାତ୍ରି ଯାପନ କରିଥିଲେ ପ୍ରଧାନମନ୍ତ୍ରୀ । ଆଉ ଏହି ସମୟରେ ହଁ ରାଜ୍ୟ ସରକାରଙ୍କୁ ଆକ୍ରମଣ କରିବା ପାଇଁ ଲେଖାଯାଇଥିଲା ସ୍କ୍ରିପଟ ।

-ପ୍ରଥମେ ବିମାନବନ୍ଦରରେ ପହଂଚିବା ପରେ ୧୫ ମିନିଟ କାଳ ରାଜ୍ୟ ନେତାଙ୍କ ସହ ଆଲୋଚନା କରିଥିଲେ
-ରାଜ୍ୟର ସାଂପ୍ରତିକ ରାଜନୈତିକ ସ୍ଥିତି ଉପରେ ଆଲୋଚନା କରିଥିଲେ
– କେନ୍ଦ୍ରର ଯୋଜନା ଲୋକଙ୍କ ପାଖରେ ପଂହଚୁଛି କି ନାହିଁ ପଚାରି ବୁଝିଥିଲେ
-ବିଜେପିର ସାଙ୍ଗଠନିକ ସ୍ଥିତି ଉପରେ ବି ତଥ୍ୟ ନେଇଥିଲେ
-ରାଜ୍ୟ ବିଜେପିର ବଡ ନେତାଙ୍କ ସହ ଆଲୋଚନା ହୋଇଥିଲା

ବିମାନବନ୍ଦରରେ ଫିଡବ୍ୟାକ ନେଲା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଜଭବନରେ ରାତ୍ରିଯାପନ କରିଥିଲେ । ସକାଳେ ବ୍ରହ୍ମପୁର ସମାବେଶ ସ୍ଥଳରେ ପଂହଚିବା ପରେ ରାଜ୍ୟ ସରକାରଙ୍କ ଉପରେ କରିଥିଲେ ଘନଘନ ଆକ୍ରମଣ । ବ୍ରହ୍ମପୁରରେ ବିଜେଡି ସରକାରର ଏକ୍ସପାରି ତାରିଖ ୪ ଜୁନ କହି ବର୍ଷିଥିଲେ ମୋଦି ।

ଏବେ ମୋଦି ୧୦ ଓ ୧୧ ତାରିଖରେ ଓଡିଶା ଆସୁଛନ୍ତି । ଏହି ସମୟରେ ଭୁବନେଶ୍ୱରରେ ବିଶାଳ ରୋଡ ଶୋ କରିବେ । ବଲାଙ୍ଗୀର ଓ କନ୍ଧମାଳ ସଭାରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି । ଏଠାରେ ବି ପ୍ରଧାନମନ୍ତ୍ରୀ ରାଜ୍ୟ ସରକାରଙ୍କ ବିରୋଧରେ ସମାନ ଆଭିମୁଖ୍ୟ ଦେଖାଇବେ ବୋଲି ଆକଳନ କରୁଛନ୍ତି ରାଜନୈତିକ ବିଶେଷଜ୍ଞ ।