ବିଜେଡିରେ ମିଶିବା ପରେ ମୁଖ୍ୟମନ୍ତ୍ରୀଙ୍କ ଆଶୀର୍ବାଦ ନେଲେ ଅରବିନ୍ଦ ମହାପାତ୍ର । ବିଜୟଙ୍କ ପୁଅ କହି ଦଳକୁ ସ୍ୱାଗତ କଲେ ନବୀନ

353

କନକ ବ୍ୟୁରୋ : ରାଜନୀତିରେ କେହି କାହାର ଶତ୍ରୁ ନୁହଁନ୍ତି । ରାଜନୀତିରେ କିଛି ଅସମ୍ଭବ ନୁହେଁ । ଏହି ଦୃଶ୍ୟ ତାହାକୁ ପୁଣି ଥରେ ପ୍ରମାଣିତ କରିଛି । ବିଜେଡିରେ ସାମିଲ ହେବା ପରେ ନବୀନ ନିବାସରେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଆର୍ଶୀବାଦ ନେଉଛନ୍ତି ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର । ଆଉ ନବୀନ ବି ହସି ହସି ଅରବିନ୍ଦଙ୍କୁ ତାଙ୍କ ଦଳକୁ ସ୍ୱାଗତ କରିବା ସହ ଶୁଭକାମନା ଜଣାଇଛନ୍ତି । ଏଥିସହ ପୁଅ ମାଧ୍ୟମରେ ବିଜୟଙ୍କୁ ମଧ୍ୟ ଶୁଭେଛା ଜଣାଇଛନ୍ତି ନବୀନ ।

ଦୀର୍ଘ ଦିନ ହେବ ଚର୍ଚ୍ଚା ହେଉଥିଲା ବିଜୟ ମହାପାତ୍ର ଓ ତାଙ୍କ ପୁଅ କେଉଁ ଦଳରୁ ନିର୍ବାଚନ ଲଢ଼ିବେ । ଏବେ ସେହି ଚର୍ଚ୍ଚାରେ ପୂର୍ଣ୍ଣଛେଦ ପଡିଛି । ବିଜୟ ମହାପାତ୍ର ଯୋଗ ଦେଇନଥିଲେ ବି ବିଜେଡିରେ ବିଧିବଧ ଭାବେ ସାମିଲ ହୋଇଛନ୍ତି, ପୁଅ ଅରବିନ୍ଦ ମହାପାତ୍ର । ନବୀନ ନିବାସରେ, ସୁପ୍ରିମୋ ନବୀନ ପଟ୍ଟନାୟକ ଓ ଦଳର ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିିତିରେ, ସେ ଓ ତାଙ୍କର ସମର୍ଥକମାନେ ବିଜେଡିରେ ଯୋଗ ଦେଇଛନ୍ତି । ବିଜେଡିରେ ସାମିଲ ହେବା ପରେ, ବିଜେଡି ମୁଖ୍ୟ କାର୍ଯ୍ୟାଳୟ ଶଙ୍ଖ ଭବନରେ ଆୟୋଜିତ କାର୍ଯ୍ୟକ୍ରମରେ ଦଳୀୟ ନେତାଙ୍କ ସହ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ପାଟକୁରା ଓ କେନ୍ଦ୍ରାପଡ଼ାର ବିକାଶ ପାଇଁ ଯାହା ଦାୟିତ୍ୱ ମିଳିବ ସଠିକ ଭାବେ ତୁଲାଇବେ ବୋଲି କହିଛନ୍ତି ଅରବିନ୍ଦ ।

ବିଜୁଙ୍କ ଏକାନ୍ତ ଅନୁଗତଙ୍କ ମଧ୍ୟରେ ରହିଥିଲେ ବିଜୟ ମହାପାତ୍ର, ନଳିନୀ ମହାନ୍ତି ଓ ଦିଲ୍ଲୀପ ରାୟ । ଯେଉଁମାନେ ନାଟକୀୟ ମୋଡରେ ବିଜେଡିରୁ ବାହାରି ଯାଇଥିଲେ । କିନ୍ତୁ ସମୟ ବଦଳିବା ସହିତ ରାଜନୈତିକ ସମୀକରଣ ବଦଳିଛି । ଆଉ ଏବେ ନଳିନୀଙ୍କ ପୁଅ ଅଂଶୁମାନ ମହାନ୍ତି, ବିଜୟ ମହାପାତ୍ରଙ୍କ ପୁଅ ଅରବିନ୍ଦ ମହାପାତ୍ର ବିଜେଡିରେ ସାମିଲ ହୋଇଛନ୍ତି । ଆଗକୁ ମଧ୍ୟ ଦିଲ୍ଲୀପ ରାୟଙ୍କ ପୁଅ ଶଙ୍ଖ ଧରିବେ ବୋଲି ଚର୍ଚ୍ଚା ହେଉଛି ।