ସରଗରମ ଚାନ୍ଦବାଲି ରାଜନୀତି । ପୂର୍ବତନ ବ୍ଲକ ଅଧ୍ୟକ୍ଷା ମାନସୀ ସାହୁଙ୍କ ଭାଇରାଲ ଭିଡିଓକୁୁ ନେଇ ଚର୍ଚ୍ଚା ଜୋର

5,372

କନକ ବ୍ୟୁରୋ : ଚର୍ଚ୍ଚାରେ ଚାନ୍ଦବାଲି ରାଜନୀତି । ଚାନ୍ଦବାଲି ବ୍ଲକର ପୂର୍ବତନ ଅଧ୍ୟକ୍ଷା ମାନସୀ ସାହୁଙ୍କ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଚିକିତ୍ସାଧିନ ଅବସ୍ଥାରେ ଥିବା ମାନସୀ ସାହୁ ଏହି ଭିଡିଓରେ କହୁଛନ୍ତି, ଯଦି ତାଙ୍କର ମୃତ୍ୟୁ ହୋଇଯାଏ, ଏଥିପାଇଁ ଚାନ୍ଦବାଲି ବିଧାୟକ ବାପି ରାୟ ଓରଫ୍ ବ୍ୟୋମକେଶ ରାୟ ଏବଂ ତାଙ୍କ ସ୍ୱାମୀ ରଞ୍ଜନ ସାହୁ ଦାୟୀ ରହିବେ । ତେବେ ମାନସୀ କାହିଁକି ଏବଂ କେଉଁ ଉଦ୍ଦେଶ୍ୟରେ ଏଭଳି କହୁଛନ୍ତି, ତାହା ସ୍ପଷ୍ଟ ହୋଇନଥିଲେ ମଧ୍ୟ ଏଥିରେ ରାଜନୈତିକ ସଂପୃକ୍ତି ଥାଇପାରେ ବୋଲି ସନ୍ଦେହ କରାଯାଉଛି । ମାନସୀ ସାହୁଙ୍କ ସ୍ୱାମୀ ରଞ୍ଜନ ସାହୁ ହେଉଛନ୍ତି ଭଦ୍ରକ ଜୋନ୍ -୨ର ଜିଲ୍ଲା ପରିଷଦ ସଦସ୍ୟ । ରଞ୍ଜନ ସାହୁ ବିଜେଡି ଛାଡ଼ି ବିଜେପିରେ ଯୋଗ ଦେବା ପାଇଁ ପ୍ରସ୍ତୁତ ହେଉଥିଲେ । ୩ ହଜାର କର୍ମୀଙ୍କ ସହ ବିଜେପିରେ ସାମିଲ ହେବା ପାଇଁ ଯୋଜନା ପ୍ରସ୍ତୁତ କରିବା ସହ ମଂଚ ତିଆରି ଚାଲିଥିଲା । ହେଲେ ଦଳ ଛାଡ଼ିବା ପୂର୍ବରୁ ବିଜେଡିର ବଡ଼ ବଡ଼ ନେତା ରଞ୍ଜନଙ୍କ ମାନଭଂଜନ କରିବା ପାଇଁ ଉଦ୍ୟମ କରିଥିଲେ । ଏମିତି କି ବିଜେଡି ସଂଗଠନ ସଂପାଦକ, ପ୍ରଣବ ପ୍ରକାଶ ଦାସଙ୍କ ସହ ରଞ୍ଜନ ସାହୁ ଥିବା ଏକ ଫଟୋକୁ ଚାନ୍ଦବାଲି ବିଧାୟକ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଛନ୍ତି । ତେବେ ମୋବାଇଲରୁ ମୋବାଇଲ ଘୁରି ବୁଲୁଥିବା ଭିଡିଓ ପଛର କାହାଣୀ କ’ଣ ତାହା ସ୍ପଷ୍ଟ ହୋଇପାରିନାହିଁ । ମାନସୀଙ୍କ ସ୍ୱାମୀ ରଞ୍ଜନ ସାହୁ ଏବେ କେଉଁଠି ଅଛନ୍ତି ତାହା ମଧ୍ୟ ସ୍ପଷ୍ଟ ହୋଇପାରିନି ।