ବିଶ୍ୱ ବଜାରରୁ କରୋନା ଟିକା ଫେରାଇ ନେବ ଆଷ୍ଟ୍ରେଜେନିକା । କୋଭିସିଲ୍ଡ ଉପରେ କଟକଣା, ଟିକାର ପାଶ୍ୱର୍ପ୍ରତିକୟା ଅଭିଯୋଗକୁ କମ୍ପାନୀର ସ୍ୱିକାର

127

କନକ ବ୍ୟୁରୋ : ପାଶ୍ୱର୍ ପ୍ରତିକ୍ରିୟା ନେଇ ବିବାଦ ଘେରକୁ ଆସିଛି ବ୍ରିଟେନର ଟିକା ନିର୍ମାଣକାରୀ କମ୍ପାନୀ ଆଷ୍ଟ୍ରାଜେନିକା । ଏବେ କୋଭିଶିଲ୍ଡ ଟିକାର ଭାଗ୍ୟ କଣ ହେବ ତାକୁ ନେଇ ଭାରତର ଚିକିତ୍ସା ବିଜ୍ଞାନ କ୍ଷେତ୍ରରେ ଚର୍ଚ୍ଚା ଆରମ୍ଭ ହୋଇଛି । ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ଆଷ୍ଟ୍ରାଜେନିକାର ଟିକା ପ୍ରତ୍ୟାହାର ଘୋଷଣା । ମାତ୍ର ଟିକା ନେବାର ୪ ବର୍ଷ ପରେ ପାଶ୍ୱର୍ ପ୍ରତିକ୍ରିୟାର ସମ୍ଭାବନା କମ୍ ଥିବା ଦର୍ଶାଇଛନ୍ତି ସ୍ୱାସ୍ଥ୍ୟ ବିଶେଷଜ୍ଞ । ଏକ ସପ୍ତାହ ପୂର୍ବରୁ ଆଷ୍ଟ୍ରାଜେନିକାର ଏହି ଟିକାରେ ବିରଳ ପାଶ୍ୱର୍ ପ୍ରତିକ୍ରିୟା ଥିବା ନେଇ ବ୍ରିଟେନର ଏକ କୋର୍ଟରେ ତଥ୍ୟ ଦାଖଲ କରାଯାଇଥିଲା । ଟିକା ନେବା ପରେ କିଛି ରୋଗୀଙ୍କ ଠାରେ ଥ୍ରମ୍ବୋସିସ୍ ୱିଥ୍ ଥ୍ରମ୍ବୋସାଇଟୋପେନିଆର ଲକ୍ଷଣ ଦେଖାଯାଉଥିଲା । ଏହାର ପ୍ରଭାବରେ ମଣିଷ ଶରୀରରେ ରକ୍ତଜମାଟ ବାନ୍ଧିବା ଏବଂ ପ୍ଲେଟଲେଟର ମାତ୍ରା ହ୍ରାସ ପାଇବାର ଆଶଙ୍କା ଥିବା କୋର୍ଟରେ ଦାଖଲ କରିଥିବା ତଥ୍ୟରେ ସ୍ୱୀକାର କରିଥିଲା କମ୍ପାନୀ । ମାତ୍ର ବର୍ତମାନ ଏହି ଟିକା ନିର୍ମାଣକାରୀ କମ୍ପାନୀ ବଜାରରୁ ଟିକା ଫେରାଇନେବାର କିଛି ଅନ୍ୟ କାରଣ ଦର୍ଶାଇଛି ।

କେବଳ କୋଭିଶିଲ୍ଡ ନୁହେଁ ଭାରତ ବାୟୋଟେକ୍ ଦ୍ୱାରା ସ୍ୱଦେଶୀ ଜ୍ଞାନକୌଶଳରେ ପ୍ରସ୍ତୁତ କୋଭାକ୍ସିନ ଟୀକାକୁ ନେଇ ମଧ୍ୟ ଏବେ ସନ୍ଦେହ ବଢିଛି । ତେବେ ଏହି ଟିକାରେ କୌଣସି ପାଶ୍ୱର୍ ପ୍ରତିକ୍ରିୟା ନଥିବା କମ୍ପାନୀ ପକ୍ଷରୁ ଦାବି କରାଯାଇଛି ।

୨୦୨୦ ମସିହାରେ କରୋନାର କରାଳ କାୟାରେ କବଳିତ ହୋଇଥିଲା ସାରା ବିଶ୍ୱ । ମହାମାରୀର ଚିକିତ୍ସା କ୍ଷେତ୍ରରେ ସଂଜୀବନି ସାଜିଥିବା କରୋନା ଟିକା ଏବେ ପାଶ୍ୱର୍ ପ୍ରତିକ୍ରିୟାର ବିବାଦ ମଧ୍ୟରେ ଛନ୍ଦି ହୋଇଯାଇଛି ।