ମରଣଯନ୍ତା ପାଲଟିଛି ଭୁବନେଶ୍ୱରର ପଳାଶୁଣୀ ଛକ । ରାସ୍ତା ପାର ହେଉଥିବା ବେଳେ ଚାଲିଗଲା ସ୍ୱାମୀ-ସ୍ତ୍ରୀଙ୍କ ଜୀବନ । ଅଧାରେ ରହିଗଲା ଦମ୍ପତ୍ତିଙ୍କ ଜଗା ଦର୍ଶନ ।

161

କନକବ୍ୟୁରୋ :ରାଜଧାନୀର ସେହି ପଳାଶୁଣୀ ରାସ୍ତା, ଯାହା ପାଲଟିଛି ମରଣଯନ୍ତା । ରାସ୍ତା ପାର ହେଉଥିବାବେଳେ ଦୁଇଜଣଙ୍କୁ ଘୋଷାରି ନେଇଛି ଟ୍ରକ । ଆଜି ସକାଳୁ ସୋନପୁର ଅଂଚଳର ଉମେଶ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ନଳିନୀ ପାଣିଗ୍ରାହୀ ପୁରୀ ଯିବା ପାଇଁ ପଳାଶୁଣୀ ଛକରେ ରାସ୍ତା ପାର୍ ହେଉଥିବା ସମୟରେ ବାଣୀବିହାର ପଟୁ ଆସୁଥିବା ଟ୍ରକ ଧକାରେ ପ୍ରାଣ ହରାଇଛନ୍ତି । ପ୍ରଥମେ ଟ୍ରକଟି ନଳୀନିଙ୍କୁ ଧକ୍କା ଦେଇଥିବା ବେଳେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଅନ୍ୟପଟେ ସେହି ସମାନ ଟ୍ରକ ଉମେଶଙ୍କୁ ଧକ୍କା ଦେଇ ପଳାଶୁଣୀରୁ ସତ୍ୟବିହାର ପର୍ଯ୍ୟନ୍ତ ଘୋଷାରି ନେଇଥିଲା ।

ପରେ ତାଙ୍କର ବି ମୃତ୍ୟୁ ଘଟିଛି । ପଳାଶୁଣି ରାସ୍ତାରେ ଏଭଳି ଭୟଙ୍କର ଦୁର୍ଘଟଣା କିଛି ନୁଆ କଥା ନୁହେଁ । ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ । ଗୋଟିଏ ପଟେ ଜାତୀୟ ରାଜପଥରେ ବସ୍ ,ଟ୍ରକ,କାର୍ ଦୃତଗତିରେ ଆସୁଥିବା ବେଳେ କିଭଳି ବିପଦଜନକ ଭାବେ ରାସ୍ତା ପାର୍ ହେଉଛନ୍ତି ଲୋକେ । ଦୁର୍ଘଟଣା ରୋକିବାକୁ ଏଠାରେ ଏକ ଫୁଟ ଓଭରବ୍ରିଜ ନିର୍ମାଣ କରିବା ପାଇଁ ସ୍ଥାନୀୟ ଲୋକ ଦୀର୍ଘବର୍ଷ ଧରି ଦାବି କରୁଛନ୍ତି

। ଜାତୀୟ ରାଜପଥ କର୍ତ୍ତୃପକ୍ଷଙ୍କ ଠାରୁ ଆରମ୍ଭ କରି କର୍ପୋରେଟର,ବିଧାୟକ,ସାଂସଦଙ୍କୁ ବାରମ୍ବାର ଅନୁରୋଧ କରିବା ସହ ଆନ୍ଦୋଳନ ଓ ରାସ୍ତାରୋକ ମଧ୍ୟ କରିଛନ୍ତି । ହେଲେ ଲୋକ ପ୍ରତିନିଧି ଯେମିତି ନିଦାବିଷ୍ଣୁ ପାଲଟିଛନ୍ତି । ଆଉ ଦୁର୍ଘଟଣାରେ ଚାଲିଯାଉଛି ଜୀବନ । ରାସ୍ତାରେ ଫୁଟ ଓଭରବ୍ରିଜ ନିର୍ମାଣ ହୋଇସାରିଛି । କିନ୍ତୁ କଟକ ପଟୁ ଭୁବନେଶ୍ୱର ପ୍ରବେଶପଥ ପଳାଶୁଣୀରେ କାହିଁକି ଓଭରବ୍ରିଜ ତିଆରି ହେଉନି, ତାର ଉତ୍ତର ବୋଧେ ଜନପ୍ରତିନିଧିଙ୍କ ପାଖରେ ନାହିଁ । ଫଳରେ ଭଗବାନଙ୍କ ଭରସାରେ ରାସ୍ତା ପାର ହେଉଛନ୍ତି ଲୋକେ ।