ମାଙ୍ଗାନିଜ ଖଣି ଉତ୍ତୋଳନରେ ବ୍ୟାପକ ଅନିୟମିତତା! ରାଜ୍ୟ ସରକାରଙ୍କୁ ଘେରିଲେ ଅପରାଜିତା

119

କନକ ବ୍ୟୁରୋ: ୬ ଏପ୍ରିଲରେ କେନ୍ଦ୍ର ଖଣି ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଲେଖିଥିଲେ ଚିଠି । ଆଉ ଏହି ଚିଠିକୁ ଦେଖାଇ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଏଥିରେ କେନ୍ଦ୍ର ଖଣିଜ ମନ୍ତ୍ରଣାଳୟ ରାଜ୍ୟ ସରକାରଙ୍କୁ ଜଣାଇଛନ୍ତି ଯେ, ନୂଆ ମାଙ୍ଗାନିଜ ଖଣି ନିଲାମଧାରୀ ନିର୍ଦ୍ଧାରିତ ନିଲାମ ମୂଲ୍ୟକୁ ଅବଜ୍ଞା କରି ଟ୍ରେଡିଙ୍ଗ କମ୍ପାନୀ ମାଧ୍ୟମରେ କମ ମୂଲ୍ୟରେ ବିକ୍ରି କରିଛନ୍ତି । ଆଉ ସରକାରଙ୍କୁ ଦେୟ ଫାଙ୍କି ଦୁର୍ନୀତି ଓ ଭ୍ରଷ୍ଟାଚାର କରି ହରିଲୁଟ କରିଛନ୍ତି । କେବଳ ଏହି ଚିଠି ନୁହେଁ ଆଉ ୩ ଚିଠି ଦେଖାଇ ରାଜ୍ୟ ସରକାର ଓ ଖଣି ମାଫିଆଙ୍କ ମଧ୍ୟରେ ଅନୈତିକ ବୁଝାମଣା ହୋଇଥିବା ଅଭିଯୋଗ ଆଣିଛନ୍ତି ଅପରାଜିତା । ଲୁହା, ମାଙ୍ଗାନିଜ୍, କ୍ରୋମ୍ ଖଣିରେ କୋଟି କୋଟି ଟଙ୍କାର ଟଙ୍କାର ଦୁର୍ନୀତି ହୋଇଥିବା ସେ କହିଛନ୍ତି । ସାଂସଦ ଅଭିଯୋଗ କରିଛନ୍ତି…

-ରାଜ୍ୟ ସରକାର ଖଣି ମାଲିକଙ୍କ ଉପରେ ଚାପ ପ୍ରୟୋଗ କରି ଠିକାଦାର ଓ ଟ୍ରାନ୍ସପୋର୍ଟ କମ୍ପାନୀ ସ୍ଥିର କରୁଛନ୍ତି
-ଉତ୍ପାଦ ଦ୍ରବ୍ୟ କମ ମୂଲ୍ୟରେ ପରିବହନ ପାଇଁ ସ୍ୱତନ୍ତ୍ର ନିୟମ ପ୍ରଣୟନ କରୁଛନ୍ତି
-ରାଜ୍ୟ ସରକାର, ଖଣି ବେପାରୀଙ୍କ ମଧ୍ୟରେ ଭିତିରି ବୁଝାମଣା ଅଛି

ଅପରାଜିତା ପ୍ରଶ୍ନ କରିଛନ୍ତି, ୩ ଥର କେନ୍ଦ୍ର ସରକାର ଚିଠି ଲେଖିବା ପରେ ଦୁର୍ନୀତି ଓ ଚୋରୀକୁ ରୋକିବା ପାଇଁ ରାଜ୍ୟ ସରକାର କାହିଁକି ଖଣି ପାଇଁ ଏସଓପି ଜାରି କରୁନାହାନ୍ତି । ଅପରାଜିତା ଆହୁରି ଅଭିଯୋଗ କରିଛନ୍ତି, ମାଙ୍ଗାନିଜ ଖଣି କ୍ଷେତ୍ରରେ ଆଭରେଜ ପ୍ରାଇସ୍ ସେଲ ଦେଖାଇ ହାଇଗ୍ରେଡ୍କୁ ଲୋ ଗ୍ରେଡ୍ କରି ବିକ୍ରି କରିଦିଆଯାଉଛି । ଲୋ-ଗ୍ରେଡ୍ ଦେଖାଇବା ଦ୍ୱାରା ରାଜ୍ୟ ରାଜକୋଷକୁ ରୟାଲିଟିରେ କ୍ଷତି ପଂହଚିଛି । ଡିଏମଏଫ ବା ଜିଲ୍ଲା ଖଣିଜ ପାଣ୍ଠି କମିଯାଉଛି ଓ କୁପରିଚାଳନା ହେଉଛି । ଆଇବିଏମ୍ ମାଙ୍ଗାନିଜ ଖଣି ପାଇଁ ଆଭରେଜ ସେଲ ପ୍ରାଇସ ସ୍ଥିର କରେ । ଆଭରେଜ ସେଲ ପ୍ରାଇସ ଦେଖାଇ ହାଇଗ୍ରେଡକୁ ଲୋ ଗ୍ରେଡ କରାଯାଉଛି ।

ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ବାରମ୍ବାର ପଦକ୍ଷେପ ନେଇଥିଲେ ବି ରାଜ୍ୟ ସରକାର ଲୁହା, କ୍ରୋମ ଓ ମାଙ୍ଗାନିଜ ଭଳି ଖଣିଜ ପଦାର୍ଥ ପରିଚାଳନାରେ ହେଉଥିବା ବ୍ୟାପକ ଦୁର୍ନୀତିକୁ ଆଖି ବୁଜିଦେଇଛନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଅପରାଜିତା । ପୂର୍ବରୁ ଖଣି ଓ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ନେଇ ଅପରାଜିତା ରାଜ୍ୟ ସରକାରଙ୍କୁ ଘେରିଥିଲେ । ଏବେ ମାଙ୍ଗାନିଜ ଖଣି ପରିଚାଳନାରେ ଅନିୟମିତତା ନେଇ ପ୍ରଶ୍ନ ଉଠାଇଛନ୍ତି । ତେବେ ଏ ନେଇ ବିଜେଡିର ପ୍ରତିକ୍ରିୟା ମିଳିପାରିନାହିଁ ।