ବିନା ଇଣ୍ଟରନେଟରେ ଜୀବନ। ହୋଇପାରୁନି କାମ, ହନ୍ତସନ୍ତ ଜନତା।

323

କନକ ବ୍ୟୁରୋ: ବିନା ଇଣ୍ଟରନେଟରେ ଜୀବନ । ଏକଥା ଭାବିବା ଆଜି ଦିନରେ ସ୍ୱପ୍ନ ଭଳି ଲାଗୁଛି । କିନ୍ତୁ ସମ୍ବଲପୁରରେ ଏବେ ସେମିତି ସ୍ଥିତି ଉପୁଜିଛି । ପ୍ରଶାସନ ଇଣ୍ଟରନେଟ୍ ବନ୍ଦ କରିବା ପରେ, ହନ୍ତସନ୍ତ ହେଉଛନ୍ତି ଜନସାଧାରଣ । ଡିଜିଟାଲ ଦୁନିଆଁରେ ଅଧିକାଂଶ ଲୋକ ଅନଲାଇନ ପେମେଣ୍ଟ ଉପରେ ନିର୍ଭର କରୁଥିବାବେଳେ, ନେଟ୍ ଆସୁନଥିବାରୁ ବନ୍ଦ ହୋଇ ଯାଇଛି ଫୋନ-ପେ, ଗୁଗୁଲ-ପେ ଭଳି ପେମେଣ୍ଟ ଆପ୍ । ଯାହାଫଳରେ ଉଭୟ ବ୍ୟବସାୟୀ ଓ ଗ୍ରାହକ ଏବେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଅନଲାଇନ୍ ପେମେଣ୍ଟ ହୋଇନପାରିବାରୁ ଲୋକେ ଏବେ ଅଧିକରୁ ଅଧିକ ନଗଦ ଟଙ୍କା ଆବଶ୍ୟକ କରୁଛନ୍ତି । ଆଉ ନଗଦ ଟଙ୍କା ପାଇଁ ଏଟିଏମ ଆଗରେ ଲାଇନ୍ ଲଗାଇଛନ୍ତି । ଇଂଟରନେଟ ବନ୍ଦ ଯୋଗୁଁ ସବୁ ଏଟିଏମ ବି ଚାଲୁନି । ଯେଉଁ କେତେଟା ଏଟିଏମ ଚାଲୁଛି, ସେଠି ଟଙ୍କା ଉଠାଇବାକୁ ଲାଇନ ଲଗାଇଛନ୍ତି ଲୋକେ ।

ରୋଗୀମାନେ ମଧ୍ୟ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେଉଁ ରୋଗୀଙ୍କ ବିଭିନ୍ନ ପ୍ରକାର ପରୀକ୍ଷା ପାଇଁ ନମୁନା ବାହାରକୁ ପଠା ଯାଇଥାଏ, ଓ ଇଂଟରନେଟରେ ରିପୋର୍ଟ ଆସିଥାଏ, ଏବେ ସେହି ରିପୋର୍ଟ ମିଳିପାରୁନି । ନେଟ ଚାଲୁନଥିବାରୁ ଅନଲାଇନରେ ରିପୋର୍ଟ ବାହାର କରିବା ସମ୍ଭବ ହୋଇପାରୁନଥିବା କହିଛନ୍ତି କ୍ଲିନିକ କର୍ତୁପକ୍ଷ ।

କେବଳ ଏତିକି ନୁହେଁ, ବହୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ମଧ୍ୟ ହୋଇପାରୁନି । ଯେଉଁମାନଙ୍କର ସରକାରୀ ଅଫିସରେ କୌଣସି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରହିଛି ତାହା ଯେଉଁଠି ଥିଲା, ସେଇଠି ଅଟକି ଯାଇଛି । ଆଉ ଆଗକୁ ବଢ଼ିପାରୁନି । ତେବେ କିଛି ଲୋକ କହିଛନ୍ତି, ଇଂଟରନେଟ୍ ବାହାରେ ବି ଜୀବନ ରହିଛି । ଏକଥାକୁ ପୁଣି ଥରେ ସେମାନେ ବୁଝିପାରିଛନ୍ତି । ଆଉ ତାରି ଭିତରେ ବଞ୍ଚୁଛନ୍ତି । ହନୁମାନ ଜୟନ୍ତୀ ଶୋଭାଯାତ୍ରାରୁ ଆରମ୍ଭ ହୋଇଥିବା ହିଂସାକାଣ୍ଡକୁ ନିୟନ୍ତ୍ରଣ କରିବା ପାଇଁ ୧୩ତାରିଖରୁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ ରହିଛି ।