ଝାରସୁଗୁଡାରେ ବିଜେପିର ଶକ୍ତି ପ୍ରଦର୍ଶନ। ଶୋଭାଯାତ୍ରାରେ ଗଲେ, ନାମାଙ୍କନ ଭରିଲେ।

603

କନକ ବ୍ୟୁରୋ: ଝାରସୁଗୁଡା ଉପନିର୍ବାଚନ ପାଇଁ ଏକ ପ୍ରକାର ଶକ୍ତି ପ୍ରଦର୍ଶନ କରିଛି ବିଜେପି। ସହରରେ ବିରାଟ ଶୋଭାଯାତ୍ରାରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ଭରିଛନ୍ତି ବିଜେପି ପ୍ରାର୍ଥୀ ଟଙ୍କଧର ତ୍ରିପାଠୀ । ହଜାର ହଜାର ସମର୍ଥକ, ଦଳୀୟ କର୍ମୀ ଓ ନେତାଙ୍କ ସହ ଯାଇ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

କେନ୍ଦ୍ରମନ୍ତ୍ରୀ ବିଶ୍ୱେଶ୍ୱର ଟୁଡୁ, ସାଂସଦ ସୁରେଶ ପୂଜାରୀ, ବସନ୍ତ ପଣ୍ଡା, ରାଜ୍ୟ ସଭାପତି ମନମୋହନ ସାମଲଙ୍କ ସମେତ ଦଳର ବହୁ ବରିଷ୍ଠ ନେତା ଶୋଭାଯାତ୍ରାରେ ସାମିଲ ହୋଇ, ରାଜ୍ୟର ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛନ୍ତି । ଆଉ କହିଛନ୍ତି, ଝାରସୁଗୁଡାରୁ ପରିବର୍ତନର ଆରମ୍ଭ ହେବ ।

ବିଜେଡି ପ୍ରାର୍ଥୀ ଦିପାଳୀ ଦାସ ମଙ୍ଗଳବାର ନାମାଙ୍କନ ଭରିବାର କାର୍ଯ୍ୟକ୍ରମ ରହିଛି । ନାମାଙ୍କନ ପୂର୍ବରୁ ଦଳୀୟ ନେତା ଓ କର୍ମୀଙ୍କୁ ନେଇ ଦିପାଳୀ ଶକ୍ତି ପ୍ରଦର୍ଶନ କରିବେ ବୋଲି ସୂଚନା ମିଳିଛି । ତେବେ ରାଜ୍ୟର ଆଇନ ଶୃଙ୍ଖଳାକୁ ନେଇ ବିଜେପି ନେତା ପ୍ରଶ୍ନ ଉଠାଇବା ପରେ, କଟାକ୍ଷ କରିଛନ୍ତି ବିଜେଡି ନେତା । କହିଛନ୍ତି, ଚାଲୁଣି କହୁଛି ଛୁଞ୍ଚିକୁ । ଅନ୍ୟପଟେ କଂଗ୍ରେସ ବିଧାୟକ ସୁର ରାଉତରାୟ କହିଛନ୍ତି, ବିଜେପି ତିନି ନମ୍ବରରେ ରହିବ । ଗତ ଶନିବାର ଦିନ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ପ୍ରାର୍ଥିପତ୍ର ଦାଖଲ କରିଥିଲେ । ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଏବେ ସରଗରମ ରହିଛି ଝାରସୁଗୁଡ଼ା ରାଜନୀତି । ତିନି ପ୍ରମୁଖ ଦଳର ବରିଷ୍ଠ ନେତା ଝାରସୁଗୁଡ଼ାରେ ଡେରା ପକାଇଛନ୍ତି ।