କୁଆଡେ ଲମ୍ବିଛି ନକଲି ଔଷଧ କାରବାର ଚେର? ରାଜ୍ୟ ବାହାରକୁ ଯିବ ଡ୍ରଗ କଂଟ୍ରୋଲର ଟିମ୍ 

82

କନକ ବ୍ୟୁରୋ: କଟକରେ ଜବତ ହୋଇଥିବା ଟେଲମା-୪୦ ଓ ଟେଲମା-ଏଏମ୍ ଔଷଧ ନକଲି ବୋଲି ସ୍ପଷ୍ଟ ହୋଇଛି । ଡ୍ରଗ୍ସ କଂଟ୍ରୋଲର ଅଫିସର ଅଧିକାରୀମାନେ ଏ ନେଇ ବଳିଷ୍ଠ ପ୍ରମାଣ ପାଇଛନ୍ତି । ଏହା ପରେ ଏହି କାରବାର କରୁଥିବା ଭିଆର ଏଜେନ୍ସିର ମାଲିକ ବର୍ଷାରାଣୀ କୌଲ ଓ ତାଙ୍କ ପୁଅ ଏବଂ ପୂଜା ଏଣ୍ଟରପ୍ରାଇଜେସ୍ର ମାଲିକ ସଂଜୟ ଜଲାନ ଓ ତାଙ୍କ ସ୍ତ୍ରୀଙ୍କ ନାଁରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏହି ଦୁଇ ଏଜେନ୍ସିର ଲାଇସେନ୍ସ ବାତିଲ କରାଯାଇଛି । ଆଗକୁ ଦୋଷୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ କରିବାକୁ କଟକ ମେଡିସିନ ବିକ୍ରେତା ସଂଘ ଦାବି କରିଛି ।

ଘଟଣା ପରେ ଫେରାର ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ ହୋଇଛି । ଦୁଇ ଔଷଧ ବିତରକ ସଂସ୍ଥାର ଅନ୍ୟ କିଛି କର୍ମଚାରୀଙ୍କୁ ପୁଲିସ ପଚରାଉଚରା କରୁଛି । ଆବଶ୍ୟକ ପଡିଲେ ଏହି ଦୁଇ ସଂସ୍ଥାର ଅଫିସ ସିଲ ବି କରାଯାଇପାରେ ବୋଲି କଟକ ଡିସିପି କହିଛନ୍ତି ।

ନକଲି ଔଷଧର କ’ଣ ରହିଛି ସାଇଡ ଇଫେକ୍ଟସ?
-କମିବ ନାହିଁ ବରଂ ବଢିପାରେ ରୋଗ
-ନକଲି ଟେଲମା-୪୦ ଓ ଟେଲମା-ଏଏମ୍ ଖାଇଲେ ବଢିପାରେ ସାଇଡ ଇଫେକ୍ଟ
-କିଡନୀ ଓ ହାର୍ଟ ସମସ୍ୟା ଦେଖାଦେବା ସମ୍ଭାବନା ଅଧିକ
-ଔଷଧ କିଣିଲା ବେଳେ ଆବଶ୍ୟକ ତଥ୍ୟ ଦେଖନ୍ତୁ
-ସନ୍ଦେହ ହେଲେ ଔଷଧ ଖାଆନ୍ତୁ ନାହିଁ, ଡାକ୍ତରଙ୍କୁ ଦେଖାନ୍ତୁ

ଡଗ୍ସ କଂଟ୍ରୋଲ ଟିମ୍ ଯେଉଁ ସବୁ ଟ୍ରେଡିଂ ବିଲ୍ ଜବତ କରିଛି ସେସବୁକୁ ଯାଞ୍ଚ କରାଯିବ । ବର୍ତମାନ ପ୍ରଶ୍ନ ଉଠୁଛି, ଏହି ନକଲି ଔଷଧ କାରବାରରେ ଆଉ କେଉଁମାନେ ସାମିଲ ଅଛନ୍ତି ଓ ତାଙ୍କ ବିରୋଧରେ ଆଗକୁ କି କାର୍ଯ୍ୟାନୁଷ୍ଠାନ ନିଆଯିବ ।