ସର୍ବାଧିକ ଅନୁଦାନ ଦେବା ପରେ ବିକାଶର ଚିତ୍ର ଦେଖାଇଲେ ବୈଷ୍ଣବ । କହିଲେ, ୟୁପିଏ ତୁଳନାରେ ଏନଡିଏ ବେଳେ ମିଳିଛି ୧୦ ଗୁଣା ଅଧିକ ଟଙ୍କା

144

କନକ ବ୍ୟୁରୋ: ଓଡିଶାକୁ କେନ୍ଦ୍ରର ରେକର୍ଡ ରେଳ ଅନୁଦାନ ନେଇ କେନ୍ଦ୍ର ରେଳମନ୍ତ୍ରୀ ଦିଲ୍ଲୀରେ ଜବାବ ରଖିଛନ୍ତି ।  ସେ କହିଛନ୍ତି, ଏଥରର ଅନୁଦାନ ୟୁପିଏ ସରକାରର ଅନୁଦାନ ତୁଳନାରେ ୧୦ ଗୁଣା ଅଧିକ । ତେବେ ରାଜ୍ୟରେ ରେଳ ପ୍ରକଳ୍ପକୁ ଅଗ୍ରଗତି କରିବାରେ ପାଣ୍ଠିର ଅଭାବ ରହିବ ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ତେବେ ରାଜ୍ୟରେ ଅଂସପୂର୍ଣ୍ଣ ରେଳପ୍ରକଳ୍ପ ଗୁଡିକ ଆଗେଇବା କ୍ଷେତ୍ରରେ ମାପିଚୁପି ଉତ୍ତର ରଖିଛନ୍ତି ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସେ କହିଛନ୍ତି, ରେଳ ପ୍ରକଳ୍ପ ଗୁଡିକୁ ଆଗେଇବାରେ କେନ୍ଦ୍ର ସହ ରାଜ୍ୟର ଭୂମିକା ବି ଗୁରୁତ୍ୱପୂର୍ଣ୍ଣ ।

  • ଚଳିତ ବର୍ଷର ଅନୁଦାନ ୟୁପିଏ ସରକାରର ତୁଳନାରେ ୧୦ ଗୁଣ ଅଧିକ
  • ୨୦୦୯ରୁ ୨୦୧୪ ଯାଏଁ ବାର୍ଷିକ ହାରାହାରି  ୮୩୪ କୋଟି ମିଳୁଥିଲା
  • ୨୦୧୪ରୁ  ୨୦୧୯ ଯାଏଁ ହାରାହାରି ବାର୍ଷିକ ୪୧୨୬ କୋଟି ଦିଆଯାଇଛି
  • ରାଜ୍ୟରେ ରେଳ ଭିତ୍ତିଭୂମିକୁ କେନ୍ଦ୍ର ଅଧିକ ଗୁରୁତ୍ୱ ଦେଉଛି ବୋଲି ଅଶ୍ୱିନୀ ବୈଷ୍ଣବ କହିଛନ୍ତି

୨୦୨୨-୨୩ ବଜେଟରେ ଓଡିଶାକୁ ରେଳବାଇ ପାଇଁ ରେକର୍ଡ ଅନୁଦାନ ମିଳିବା ପରେ ଏହାକୁ ସ୍ୱାଗତ କରିଛନ୍ତି ରାଜନୈତିକ ଦଳ ।  ବଜେଟକୁ ସ୍ୱାଗତ କରି ବିଜେଡି କହିଛି, ଅଧାପନ୍ତରିଆ ପ୍ରକଳ୍ପ ଉପରେ ଅଧିକ ଫୋକସ ଦେବା ଉଚିତ୍ । କଂଗ୍ରେସ କହିଛି, ଅଧିକ ଅନୁଦାନ ମିଳିଛି ସତ କିନ୍ତୁ ଏହା କେତେ କାର୍ଯ୍ୟକାରୀ ହେଉଛି ତାହା ବଡ କଥା । ବିଜେପି ସଭାପତି ସମୀର ମହାନ୍ତି କହିଛନ୍ତି. ଏଥର ଆଉ କେନ୍ଦ୍ର ଅବହେଳା କଥା ଉଠାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଚଳିତ ରେଳ ବଜେଟରେ ଓଡିଶାକୁ ରେକର୍ଡ ୯୭୨୩ କୋଟି ମିଳିଛି । ଓଡିଶା ପାଇଁ ଏହାକୁ ସର୍ବକାଳୀନ ରେକର୍ଡ ଅନୁଦାନ ବୋଲି କୁହାଯାଇପାରେ ।  ୨୦୨୧-୨୨ରେ ଏହି ପରିମାଣ ୬୪୭୧ କୋଟି ଥିଲା ।  ସବୁଠାରୁ ବଡ କଥା ହେଲାସ  ସମ୍ବଲପୁର-ବ୍ରହ୍ମପୁର ପ୍ରସ୍ତାବିତ ରେଳପଥକୁ ରେଳବାଇ ପିଙ୍କ୍ ଜୋନରେ ସାମିଲ କରିଛି । ଏହାଦ୍ୱାରା ପଶ୍ଚିମ ଓଡିଶାର ଶିଳ୍ପାନୁଷ୍ଠାନ ପାଇଁ  ଗୋପାଳପୁର ବନ୍ଦରର ଦ୍ୱାର ଖୋଲିବ ।