ଏବେ ବି ଉତ୍ତର ଥାଇଲାଣ୍ଡ ଚିଆଙ୍ଗରାଇର ଗୁମ୍ଫାରେ ଫସିଛନ୍ତି ୧୨ ଫୁଟବଲ ଖେଳାଳ : ଉଦ୍ଧାର କରିବାକୁ ଲାଗିପଡିଛନ୍ତି ଅଷ୍ଟ୍ରେଲିଆ ସରକାର

73

କନକ ବ୍ୟୁରୋ : ଗୁମ୍ଫା ଭିତରେ ଫସିଛନ୍ତି ଫୁଟବଲ ଖେଳାଳି । ଉତ୍ତର ଥାଇଲ୍ୟାଣ୍ଡ ଚିଆଙ୍ଗ ରାଇ ପ୍ରଦେଶର ଏକ ଗୁମ୍ଫାରେ ଫଶି ରହିଛନ୍ତି ୧୨ଜଣ ଫୁଟବଲ ଖେଳାଳି । ଏମାନଙ୍କୁ ଉଦ୍ଧାର କରିବା ପାଇଁ ଅଷ୍ଟ୍ରେଲିଆ, ଆମେରିକା, ଚୀନ ଓ ବ୍ରିଟେନ ଭଳି ରାଷ୍ଟ୍ରର ଗୁମ୍ଫା ବିଶେଷଜ୍ଞମାନେ ଆଗେଇ ଆସିଛନ୍ତି । ଅତ୍ୟାଧୁନିକ ପ୍ରଯୁକ୍ତି ବିଦ୍ୟାର ସହାୟତାରେ ସେମାନେ ଉଦ୍ଧାର ପ୍ରକ୍ରିୟା ଆରମ୍ଭ କରିଛନ୍ତି । ତେବେ ଗୁମ୍ଫା ଭିତରେ ଏହି ଫୁଟବଲ ଖେଳାଳିମାନଙ୍କୁ ଠାବ କରାହୋଇଛି । ବିଶେଷଜ୍ଞମାନଙ୍କ ମତରେ ଏମାନଙ୍କୁ ଉଦ୍ଧାର କରିବା ପାଇଁ ମାସ ମାସ ସମୟ ଲାଗିବ । କାରଣ ସେମାନେ ପହଁରା ଜାଣିନାହାନ୍ତି । ବିଶ୍ୱର ସର୍ବୋତ୍ତମ ଗୁମ୍ଫା ଡାଇଭରଙ୍କୁ ଏହି କାର୍ଯ୍ୟରେ ନିୟୋଜିତ କରାଯାଇଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସେଠାକାର ବାତାବରଣକୁ ସ୍ଥିର କରାଯିବା ଉଚିତ । ପାନୀୟ ଜଳ, ଖାଦ୍ୟ ଏବଂ ଉତ୍ତମ ବାୟୁ ସେଠାରେ ପହଂଚିବା ଦରକାର ବୋଲି ବିଶେଷଜ୍ଞମାନେ କହିଛନ୍ତି ।

ସ୍କୁବା ଟ୍ୟାଙ୍କ ଦ୍ୱାରା ଅମ୍ଳଜାନ ବ୍ୟବସ୍ଥା ହେବା ଉପରେ ସେମାନେ ଗୁରୁତ୍ୱ ଦେଇଛନ୍ତି । ଅଷ୍ଟ୍ରେଲିଆ ଗୃହ ମନ୍ତ୍ରୀ ପିଟର ଡଟନ ଓ ପ୍ରତିରକ୍ଷା ମନ୍ତ୍ରୀ ମେରାଇନ ପେନ କହିଛନ୍ତି ଫସିଥିବା ଫୁଟବଲ ଖେଳାଳିଙ୍କୁ କିଭଳି ସୁରକ୍ଷିତ ଭାବେ ଉଦ୍ଧାର କରାଯିବ ସେଥିପାଇଁ ଯୋଜନା ତିଆରି ହେଉଛି । ଏଥିସହ ସେମାନଙ୍କୁ ୪ମାସର ଖାଦ୍ୟ ଯୋଗାଇବା ସହିତ ସନ୍ତରଣ ତାଲିମ ଦିଆଯିବାକୁ ଯୋଜନା ହୋଇଛି । ୧୧ରୁ ୧୬ବର୍ଷର ଏହି ଫୁଟବଲ ଖେଳାଳିମାନେ ୱାଇଲ୍ଡ ବୋର୍ଡ ଟିମର ସଦସ୍ୟ । ଗତ ଜୁନ ୨୩ତାରିଖରେ ଏହି ଖେଳାଳିମାନେ କୋଚଙ୍କ ସହିତ ଦର୍ଶନୀୟ ସ୍ଥାନ ପାଲଟିଥିବା ଲୁଆଙ୍ଗ ନାଙ୍ଗ ଗୁମ୍ଫା ଦେଖିବାକୁ ଯାଇ ଆଉ ଫେରିନଥିଲେ । ସେମାନେ ଗୁମ୍ଫା ଭିତରେ ପ୍ରାୟ ୪ କିଲୋମିଟର ଭିତରକୁ ଯାଇଥିବା ଅନୁମାନ କରାଯାଉଛି ।