ଲୋ ଭୋଲଟେଜ୍ ସମସ୍ୟା ଦୂର ପାଇଁ ଟ୍ରାନ୍ସମିସନ ପ୍ରକଳ୍ପ । ଖର୍ଚ୍ଚ ହେବ ୨୬୦ କୋଟି ଟଙ୍କା । ପ୍ରତିଷ୍ଠା କରାଯିବ ୩୩ କେଭି ଓ ୧୧ କେଭି ସବଷ୍ଟେସନ 

179

କନକ ବ୍ୟୁରୋ: ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଶେଷ ହୋଇଛି । ଏହି ବୈଠକରେ ମୋଟ ୧୩ଟି ପ୍ରସ୍ତାବ ଉପରେ ମୋହର ବାଜିଛି । ତେବେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଲୋକଙ୍କ ଲୋ ଭୋଲଟେଜ୍ ସମସ୍ୟା ଦୂର କରିବା ପାଇଁ ଏହି ବୈଠକରେ ଟ୍ରାନ୍ସମିସନ ପ୍ରକଳ୍ପକୁ କ୍ୟାବିନେଟ୍ ମୋହର ବାଜିିଛି । ତେବେ ଏହି ଟ୍ରାନ୍ସମିସନ ପ୍ରକଳ୍ପ ପାଇଁ ମୋଟ ୨୬୦ କୋଟି ଟଙ୍କା ଖଚ୍ଚ୍ ହେବ ବୋଲି ମୁଖ୍ୟ ଶାସନ ସଚିବ ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ, ଉପଭୋକ୍ତାମାନଙ୍କୁ ଗୁଣାତ୍ମକ ଓ ଭରସାଯୋଗ୍ୟ ବିଦ୍ୟୁତ ଯୋଗାଣ ପାଇଁ ରାଜ୍ୟ ସରକାର ବିଭିନ୍ନ ପ୍ରକଳ୍ପ କାର୍ଯ୍ୟକାରୀ କରୁଛନ୍ତି । ଏହାସତ୍ତେ୍ୱ ମଧ୍ୟ ରାଜ୍ୟର କିଛି ଅଂଚଳରେ ଲୋ ଭୋଲଟେଜ୍ ସମସ୍ୟା ଦେଖିବାକୁ ମିଳୁଛି । ତେଣୁ ଏହାକୁ ଆଖି ଆଗରେ ରଖି ଓଡିଶା ବିଦ୍ୟୁତ ଶକ୍ତି ସଂଚାରଣ ସଂସ୍ଥା ଅଥବା ଓପିଟିସିଏଲ୍ ବିତରଣ କମ୍ପାନୀମାନଙ୍କର ପ୍ରସ୍ତାବକୁ ଭିତ୍ତିକରି ୪ଟି ଗ୍ରୀଡ ସବ ଷ୍ଟେସନ ଓ ଗୋଟିଏ ୧୩୨ କେଭି ଲାଇନ୍ ପ୍ରକଳ୍ପ କାର୍ଯ୍ୟକାରୀ କରିବାକୁ ପ୍ରସ୍ତାବ ଆଗତ କରିଛି । ଏହି ପ୍ରକଳ୍ପରେ ମୋଟ ୨୫୯.୪୩ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି କୁହାଯାଇଛି ।

ସେହିପରି ବିଦ୍ୟୁତ ଉପଭୋକ୍ତାଙ୍କୁ ଗୁଣାତ୍ମକ ଓ ଭରସାଯୋଗ୍ୟ  ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବା ପାଇଁ ଓଡିଏସଏସପି ଯୋଜନା ମାଧ୍ୟମରେ ୪୭୨ଟି ୩୩/୧୧ କେଭି ପ୍ରାଇମେରୀ ସବ ଷ୍ଟେସନ ଓ ଏହାର ଆନୁସଙ୍ଗିକ ବିଦ୍ୟୁତ ଲାଇନ୍ ନିର୍ମାଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ତେବେ ବିଦ୍ୟୁତ ବିତରଣ କମ୍ପାନୀ ୧୭୯୩.୭୩ କୋଟି ଟଙ୍କା ବ୍ୟୟରେ ୯୯ଟି ୩୩/୧୧ କେଭି ସବ ଷ୍ଟେସନ ଓ ୮୧୨.୦୫ କୋଟି ଟଙ୍କାରେ ଦୀର୍ଘ ୬୪ଟି ସ୍ୱତନ୍ତ୍ର କେଭି ଲାଇନ୍ ନିର୍ମାଣ ନିମନ୍ତେ ପ୍ରସ୍ତାବ ଆଗତ ହୋଇଛି ।  ତେବେ ରାଜ୍ୟ କ୍ୟାବିନେଟ୍ ଆସନ୍ତା ୩ ବର୍ଷ ଭିତରେ ରାଜ୍ୟରେ ଏହି ୯୯ଟି ୩୩/୧୧ କେଭି ସବ ଷ୍ଟେସନ ଓ ୬୪ଟି ସ୍ୱତନ୍ତ୍ର କେଭି ଲାଇନ୍ ନିର୍ମାଣ ପାଇଁ ବ୍ୟୟ ମଞ୍ଜୁରୀ କରିଛି ।