କଟକଣାରେ ପାଳନ ହେବ ନୂଆବର୍ଷ । ବଡଦିନ ଓ ନୂଆବର୍ଷ ପାଇଁ ଗାଇଡଲାଇନ ଜାରି କଲେ ରାଜ୍ୟ ସରକାର ।

292

କନକ ବ୍ୟୁରୋ: ଓମିକ୍ରନ ଭୟ ଭିତରେ ଆଜି ଓଡ଼ିଶା ସରକାର ନୂଆବର୍ଷ ପାଳନ ଉପରେ କଟକଣା ଲଗାଇଛନ୍ତି । ସାରା ରାଜ୍ୟରେ କେଉଁଠି ନୂଆବର୍ଷ ପାଳନ କରାଯାଇ ପାରିବ ନାହିଁ । ଡିସେମ୍ବର ୨୫ ଓ ଏବଂ ୩୧ ଏବଂ ଜାନୁୟାରୀ ୧ ଓ ୨ ତାରିଖ ଏହି କଟକଣା ବଳବତ୍ତର ରହିବ । ହୋଟେଲ, କ୍ଲବ, ରେଷ୍ଟୁରାଣ୍ଟ ଓ ପାର୍କ ଭଳି ସ୍ଥାନରେ କୌଣସି ସେଲିବ୍ରେସନ ହୋଇପାରିବ ନାହିଁ । ବଡଦିନ ପାଳନ ଉପରେ ମଧ୍ୟ କଟକଣା ଲଗାଇ ସରକାର କହିଛନ୍ତି, କେବଳ ଚର୍ଚ୍ଚ ଭିତରେ, ସର୍ବାଧିକ ୫୦ଜଣ ଉପସ୍ଥିତିରେ ଏହା ପାଳନ କରାଯାଇ ପାରିବ ।

ବଡଦିନ ଓ ନୂଆବର୍ଷ ପାଳନ ପାଇଁ ନୂଆ ଗାଇଡଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । ଭିଡ ବଢିଲେ ସଂକ୍ରମଣ ବଢିବା ଆଶଙ୍କା ଥିବାରୁ ଉତ୍ସବ ପାଳନ ଉପରେ ଅଙ୍କୁଶ ଲଗାଯାଇଛି । ବଡ଼ଦିନ, ନୂଆବର୍ଷ ପାଇଁ ମାର୍ଗଦର୍ଶିକା….

  • ସର୍ବାଧିକ ୫୦ ଜଣଙ୍କୁ ନେଇ କେବଳ ଚର୍ଚ୍ଚରେ ପାଳନ ହେବ ଖ୍ରୀଷ୍ଟମାସ୍
  • ଜିରୋ ନାଇଟ୍ ଓ ନ୍ୟୁ ଇୟର ସେଲିବ୍ରେସନ୍ ଉପରେ ସଂପୂର୍ଣ୍ଣ କଟକଣା
  • ହୋଟେଲ, କ୍ଲବ ଓ ରେଷ୍ଟୁରାଣ୍ଟରେ ନୂଆବର୍ଷ ପାଳନ ମନା
  • ପାର୍କ, କନଭେନସନ୍ ହଲ, କଲ୍ୟାଣ ମଣ୍ଡପରେ ପାଳନ ହେବନି ଉତ୍ସବ
  • ନୂଆବର୍ଷରେ ହୋଇପାରିବନି ପିକନିକ୍ କିମ୍ବା ବଣଭୋଜି
  • ଅକ୍ରେଷ୍ଟ୍ରା ଓ ନାଚ, ଗୀତ ଉପରେ ବି ରୋକ୍ ଲଗାଇଲେ ସରକାର
  • ରାଲି, ସାଂସ୍ମୃତିକ ଓ ସାମାଜିକ କାର୍ଯ୍ୟକ୍ରମ ଉପରେ ଲାଗିଲା କଟକଣା
  • କଟକଣା ଭିତରେ ବିବାହ ଓ ଦଶାହ କାମକୁ ମିଳିବ ଅନୁମତି
  • କିନ୍ତୁ ରିସେପସନ୍ ଭୋଜି କିମ୍ବା ଅନ୍ୟାନ୍ୟ ଉତ୍ସବ ହୋଇପାରିବ ନାହିଁ

ଓଡିଶାରୁ ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହେବା ପରେ ସତର୍କ ହୋଇଛି ସ୍ୱାସ୍ଥ୍ୟ ବିଭାଗ । ଡେଲ୍ଟା ପ୍ରଜାତି ଅପେକ୍ଷା ଓମିକ୍ରନ ଭୂତାଣୁ ଦ୍ରୁତ ବେଗରେ ବ୍ୟାପୁଥିବାରୁ ବଣଭୋଜି, ଗହଳି ଉପରେ ରୋକ୍ ଲଗାଯାଇଛି । ନିୟମ ଉଲ୍ଲଂଘନକାରୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେବାକୁ କୁହାଯାଇଛି । ସାରା ଦେଶରେ କରୋନାର ଦ୍ୱିତୀୟ ଲହର ଆଣିଥିବା ଡେଲ୍ଟା ଭୁତାଣୁ ଅପେକ୍ଷା ଓମିକ୍ରନ୍ ଅଧିକ ବେଗରେ ସଂକ୍ରମିତ ହେଉଥିଲେ ମଧ୍ୟ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେଉନଥିବା କୁହାଯାଉଛି । ତେଣୁ ଭିଡକୁ ନିୟନ୍ତ୍ରଣ କରି ସଂକ୍ରମଣକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି ଅର୍ଥନୀତିଜ୍ଞ । ହେଲେ ଲୋକଙ୍କ ଜୀବିକା ପ୍ରଭାବିତ ହେଲାଭଳି କାର୍ଯ୍ୟକ୍ରମ ଉପରେ କଟକଣା ନଲଗାଇବାକୁ କହିଛନ୍ତି ।