ପାକିସ୍ତାନ ମନ୍ଦିରରେ ଗୁଞ୍ଜରିତ ହେଲା ଶଙ୍ଖଧ୍ୱନି ! ୭୨ ବର୍ଷ ପରେ ଖୋଲିଲା ଏହି ପୁରାତନ ମନ୍ଦିର, ଲୋକେ କଲେ ପୂଜାର୍ଚ୍ଚନା ।

384

କନକ ବ୍ୟୁରୋ : ଆଜି ଆଲୋକର ପର୍ବ ଦୀପାବଳି । ଉତ୍ସବମୁଖର ହୋଇପଡିଛି ପୂରପଲ୍ଲୀ । ଆଉ ଏତିକିବେଳେ ପାକିସ୍ତାନ ପଟୁ ଆସିଛି ବଡ ଖବର । ଭାରତ ପାକିସ୍ତାନ ବିଭାଜନ ସମୟରୁ ପାକିସ୍ତାନର ସିଆଲକୋଟରେ ଥିବା ୧ ହଜାର ବର୍ଷ ପୁରୁଣା ଶିବାଲା ତେଜା ସିଂହ ମନ୍ଦିର ବନ୍ଦ ହୋଇପଡିଥିଲା ।
କିନ୍ତୁ ପାକିସ୍ତାନ ସରକାର ଏବେ ପାଖାପାଖି ୫୦ ଲକ୍ଷ ଟଙ୍କା ଖର୍ଚ୍ଚ କରି ୭୨ ବର୍ଷ ଧରି ବନ୍ଦ ହୋଇପଡିଥିବା ଏହି ମନ୍ଦିରକୁ ପୁଣି ଥରେ ଖୋଲିଛନ୍ତି ।

ବିଭାଜନ ପରେ ଆଜି ପ୍ରଥମ ଥର ପାଇଁ ଏହି ମନ୍ଦିରରେ ଶଙ୍ଖ ଗୁଞ୍ଜରିତ ହୋଇଛି ଏବଂ ଲୋକମାନେ ପୂଜାର୍ଚ୍ଚନା ମଧ୍ୟ କରିଛନ୍ତି । ସ୍ଥାନୀୟ ହିନ୍ଦୁଙ୍କ କହିବା ଅନୁସାରେ, ମନ୍ଦିରର ସଂରକ୍ଷଣ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିଲା । ଏନେଇ ଦୀର୍ଘ ଦିନରୁ ମଧ୍ୟ ଦାବି ହୋଇଆସୁଥିଲା ।

ତେବେ ସବୁଠାରୁ ବଡ କଥା ହେଉଛି, ବିଭାଜନ ପରେ ଭାରତ ପାକିସ୍ତାନ ସିନା ଅଲଗା ହୋଇଗଲେ, କିନ୍ତୁ ହିନ୍ଦୁ ମାନ୍ୟତା ସହ ଯୋଡି ହୋଇଥିବା ଏମିତି ଅନେକ ସ୍ମୃତି ଆଜି ବି ପାକିସ୍ତାନରେ ହିଁ ରହିଯାଇଛି । ପାକିସ୍ତାନରେ ଏମିତି ଅନେକ ମନ୍ଦିର ରହିଛି, ଯାହାକି ଅନେକ ପ୍ରସିଦ୍ଧ ଅଟେ । ପାକିସ୍ତାନର ଗୋରଖନାଥ ମନ୍ଦିର ଏହା ମଧ୍ୟରୁ ଅନ୍ୟତମ ଅଟେ । ଏହି ଐତିହାସିକ ମନ୍ଦିର ୧୬୦ ବର୍ଷ ପୁରୁଣା ଅଟେ । ଏହି ମନ୍ଦିର ମଧ୍ୟ ବିଭାଜନ ସମୟରୁ ବନ୍ଦ ହୋଇପଡିରହିଥିଲା, କିନ୍ତୁ ପେଶାବର ହାଇକୋର୍ଟଙ୍କ ଆଦେଶ ପରେ, ୨୦୧୧ ନଭେମ୍ବରରେ ଏହାକୁ ପୁଣି ଥରେ ଖୋଲାଯାଇଥିଲା ।