ଅମ୍ପାୟରଙ୍କ ନିଷ୍ପତ୍ତିକୁ ନେଇ ହୋଇଥିଲା ବିବାଦ: ବ୍ୟାଟ୍ ଓ ଛୁରାରେ ଲକିଙ୍କୁ ହୋଇଥିଲା ଆକ୍ରମଣ

627

କନକ ବ୍ୟୁରୋ: ସ୍ମୃତି ରଂଜନ ରାଉତ ଓରଫ୍ ମୁନ୍ନା । ସଂଗ୍ରାମ ରାଉତ ଓରଫ୍ ଜଗା । ସଂଜୟ ରାଉତ ଓରଫ୍ ମୁଗୁନି । ଏବଂ ବାଦଲ କୈବତଲ୍ । ଇଏ ହେଉଛନ୍ତି ସେହି ଚାରି ଜଣ ଅଭିଯୁକ୍ତ, ଯେଉଁମାନଙ୍କୁ ମହିଷାନଣ୍ଡା ଗାଁର ଲକି ରାଉତଙ୍କ ହତ୍ୟା ଘଟଣାରେ ଗିରଫ କରିଛି ପୁଲିସ୍ । ଗତକାଲି ସଂଗ୍ରାମ ଓରଫ୍ ଜଗାକୁ ପୁଲିସ୍ ଗିରଫ କରିଥିବା ବେଳେ ବିଳମ୍ବିତ ରାତିରେ ଅନ୍ୟ ତିନି ଜଣଙ୍କୁ କଟକର ବିଭିନ୍ନ ସ୍ଥାନରୁ ଗିରଫ କରିଛି ପୁଲିସ୍ । ଆଉ ହତ୍ୟାକାଣ୍ଡରେ ବ୍ୟବହୃତ ହୋଇଥିବା ଛୁରୀ ଏବଂ କ୍ରିକେଟ ବ୍ୟାଟ୍ ଜବତ କରାଯାଇଛି ।

ହତ୍ୟାକାଣ୍ଡକୁ ନେଇ ଗାଁରେ ଏବେ ବି ଲାଗି ରହିଛି ଉତେଜନା । ଅକାଳରେ ଜଳି ଯାଇଛି ଜଣେ ଯୁବକଙ୍କ ଚିତା । ଅନ୍ତିମ ସଂସ୍କାର ପାଇଁ ଯେତେ- ବେଳେ ଲକିଙ୍କ ମୃତଦେହକୁ ଶ୍ମଶାନ ନିଆଯାଉଥିଲା, ଗାଁରେ ଦେଖିବାକୁ ମିଳିଥିଲା ଚାପା ଉତେଜନା ଭଳି ସ୍ଥିତି ।

କଟକ ଜିଲ୍ଲା ଚୌଦ୍ୱାର ଥାନା ମହିଷାନଣ୍ଡା ପଡ଼ିଆରେ ଶଙ୍କରପୁର ଓ ବ୍ରହ୍ମପୁର ଗାଁ ମଧ୍ୟରେ ଖେଳାଯାଉଥିଲା କ୍ରିକେଟ ମ୍ୟାଚ୍ । ପ୍ରଥମେ ବ୍ୟାଟିଂ କରି ଶଙ୍କରପୁର ୧୧୫ରନ୍ ସଂଗ୍ରହ କରିଥିଲା । ଜବାବରେ ବ୍ରହ୍ମପୁର ଟିମ୍ ବ୍ୟାଟିଂ କରିବାକୁ ଆସିଥିଲା । କିନ୍ତୁ ପ୍ରଥମ ବଲ୍ ବ୍ରହ୍ମପୁର ଟିମ୍ ଓପନର ଆଉଟ୍ ହୋଇଯିବା ପରେ ସୃଷ୍ଟି ହୋଇଥିଲା ଉତେଜନା । ବ୍ରହ୍ମପୁର ଗାଁର ଯୁବକମାନେ ଆସି ଅମ୍ପାୟରଙ୍କ ସହ ଯୁକ୍ତିତର୍କ କରିଥିଲେ । ଜାଣିଶୁଣି ମ୍ୟାଚ୍ ହରାଇବା ପାଇଁ ନୋ ବଲ୍’ରେ ଆଉଟ୍ ଦିଆଯାଇଥିବା ଅଭିଯୋଗ କରି ଅମ୍ପାୟରଙ୍କୁ ଠେଲାପେଲା କରିଥିଲେ । ଏହି ସମୟରେ ମହିଷାନଣ୍ଡା ଗାଁର ଲକି ରାଉତ, ବୁଝାସୁଝା କରିବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କୁ ବ୍ୟାଟ୍ ଓ ଛୁରାରେ ଆକ୍ରମଣ କରାଯାଇଥିଲା ।

ଏହି ଘଟଣା ପରେ ଚୌଦ୍ୱାର ଥାନାରେ ମାମଲା ରୁଜୁ ହୋଇଥିବା ବେଳେ ତଦନ୍ତ ପ୍ରକ୍ରିୟାକ ଜାରି ରଖିଛି ପୁଲିସ୍ । ସେହିପରି ଗାଁରେ ଉତେଜନା ଆଶଙ୍କା କରି ଘଟଣା ଉପରେ ନଜର ରଖାଯାଇଛି ।