ପୁରୀ ହୋଟେଲ ସଂଘର ନିଆରା ପ୍ରୟାସ । ମତଦାତାଙ୍କୁ ଉତ୍ସାହିତ କରିବା ପାଇଁ ହୋଟେଲ ଖାଇବାରେ କଲେ ରିହାତି ଘୋଷଣା ।

129

କନକବ୍ୟୁରୋ :ମତଦାନ କରିବା ପାଇଁ ଭୋଟରଙ୍କୁ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଅନେକ ସଚେତନ କରାଯାଉଛି । ଏକ୍ଷେତ୍ରରେ ଆଉ ପାଦେ ଆଗେଇଛି ପୁରୀ ହୋଟେଲ ସଂଘ । ମତଦାତାଙ୍କୁ ଉତ୍ସାହିତ କରିବା ପାଇଁ ହୋଟେଲ ଖାଇବାରେ ରିହାତି ଘୋଷଣା କରାଯାଇଛି । ଯେଉଁ ଭୋଟର ମାନେ ମତଦାନ କରିଥିବା ପ୍ରମାଣ ସ୍ୱରୁପ ଆଙ୍ଗୁଠିରେ ଅଲିଭା କାଳି ଲାଗିଥିବା ପ୍ରଦର୍ଶନ କରିବେ ସେମାନଙ୍କୁ ପୁରୀର ବିଭିନ୍ନ ହୋଟେଲ ମାନଙ୍କରେ ୨୦ ପ୍ରତିଶତ ରିହାତି ମିଳିବ ।

ଏନେଇ ସୂଚନା ଦେଇଛନ୍ତି ସଂଘର ସଭାପତି ରାମକୃଷ୍ଣ ଦାସ ମହାପାତ୍ର । ଗତକାଲି ଜିଲ୍ଲାପାଳଙ୍କ ଆବାସିକ କାର୍ଯ୍ୟାଳୟରେ ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁଙ୍କୁ ସାକ୍ଷାତ କରି ରାମକୃଷ୍ଣ ଦାସ ମହାପାତ୍ର ଏହି ସୂଚନା ଦେଇଛନ୍ତି । ଏହାସହ ନିର୍ବାଚନରେ ନିୟୋଜିତ ସମସ୍ତ ପୁଲିଂ ଅଧିକାରୀ ମାନଙ୍କ ପାଇଁ ପୁରୀ ହୋଟେଲ ସଂଘ ପକ୍ଷରୁ ଅତ୍ୟାବଶ୍ୟକୀୟ ଉପକରଣ ଯୋଗାଇଦେବାକୁ ନିଷ୍ପତି ନିଆଯାଇଛି । ଏହି କିଟ୍ରେ ଟୁଥ ବ୍ରସ୍, ତେଲ, ପାନିଆ, ରୁମାଲ ଆଦି ସାମଗ୍ରୀ ରହିଛି । ହୋଟେଲ ସଂଘର ଏପରି ଉଦ୍ୟମ ପାଇଁ ଜିଲ୍ଲାପାଳ ସଂଘକୁ କୃତଜ୍ଞତା ଜଣାଇବା ସହ ମତଦାତାଙ୍କୁ ଉତ୍ସାହିତ କରିବ ବୋଲି କହିଛନ୍ତି ।