‘ମୋଦୀ ସାଙ୍ଗିଆ’ ମାନହାନୀ ମାମଲା । ଏପ୍ରିଲ ୧୩ ଯାଏଁ ବୃଦ୍ଧି ପାଇଲା ରାହୁଲ ଗାନ୍ଧୀଙ୍କ ଜାମିନ ଅବଧି । ମେ ୩ରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି

321

କନକ ବ୍ୟୁରୋ: ସାରା ଦେଶରେ ରାହୁଲ ଗାନ୍ଧୀଙ୍କୁ ନେଇ ଚର୍ଚ୍ଚା । ‘ମୋଦୀ ସାଙ୍ଗିଆ’ ଉପରେ ବିବାଦୀୟ ବୟାନ ଦେଇ ଦୋଷୀ ସାବ୍ୟସ୍ତ ହୋଇଥିବା ରାହୁଲ, ଜେଲ ଯିବେ ନାଁ ତାଙ୍କୁ ମିଳିବ ବେଲ୍ ଏହାକୁ ନେଇ ସବୁଆଡେ ଚର୍ଚ୍ଚା । ଆଉ ଏଭଳି ଆଲୋଚନା ଭିତରେ ରାହୁଲଙ୍କୁ ମିଳିଛି କୋର୍ଟଙ୍କ ଆଶ୍ୱସ୍ତି । ୧୩ ଏପ୍ରିଲ ପର୍ଯ୍ୟନ୍ତ କଂଗ୍ରେସ ନେତାଙ୍କୁ ଜାମିନ ପ୍ରଦାନ କରିଛନ୍ତି ସୁରଟ ସେସନ୍ କୋର୍ଟ ।

  • ରାହୁଲ ଗାନ୍ଧୀଙ୍କୁ ସୁରଟ କୋର୍ଟଙ୍କ ଆଶ୍ୱସ୍ତି
  • ୧୩ ଏପ୍ରିଲ ପର୍ଯ୍ୟନ୍ତ ରାହୁଲଙ୍କୁ ମିଳିଲା ଜାମିନ୍

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ମିଳିଲା ଜାମିନ୍ । ସୁରଟର ସେସନ୍ କୋର୍ଟ ରାହୁଲଙ୍କୁ ଏପ୍ରିଲ ୧୩ ତାରିଖ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୩ ତାରିଖରେ ହେବ । କେବଳ ସେତିକି ନୁହେଁ ‘ମୋଦୀ ସାଙ୍ଗିଆ’ ମାନହାନି ମାମଲାରେ ଗୁଜରାଟ ଜିଲ୍ଲା ଅଦାଲତ ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଆବେଦନ କରିଛନ୍ତି ରାହୁଲ । ଯାହାର ଶୁଣାଣି ମେ ୩ ତାରିଖରେ ହେବ । ସୋମବାର ସୁରଟ ସେସନ୍ କୋର୍ଟରେ ରାହୁଲଙ୍କ ଲିଗାଲ ଟିମ୍ ଦୁଇଟି ଆବେଦନ କରିଛି ।

  • ପ୍ରଥମ ଆବେଦନ: ରାହୁଲ ଗାନ୍ଧୀଙ୍କୁ ଦୋଷୀ ସାବ୍ୟସ୍ତ କରାଯିବା ଆଦେଶ ଉପରେ ରହିତାଦେଶ
  • ଦ୍ୱିତୀୟ ଆବେଦନ: ଜାମିନ୍ ଅବଧି ବୃଦ୍ଧି

ଯଦି ରାହୁଲ ଗାନ୍ଧୀଙ୍କୁ ନେଇ ହୋଇଥିବା ଏହି ଅପରାଧିକ ମାନହାନୀ ମାମଲାରେ କୋର୍ଟ ରହିତାଦେଶ ଲଗାନ୍ତି, ତାହାଲେ ତାଙ୍କ ସାଂସଦ ପଦ ଫେରିବାର ବାଟ ଫିଟିଯିବ । ନହେଲେ ଉପର କୋର୍ଟରେ ଆବେଦନ କରିବେ ରାହୁଲ ।

ଭଉଣୀ ଓ ନିଜ ଲିଗାଲ ଟିମ୍ ସହ ଏକ ବସ୍ ଯୋଗେ ଏୟାରପୋର୍ଟରୁ ଆସି ସୁରଟ କୋର୍ଟରେ ପହଞ୍ଚିଥିଲେ ରାହୁଲ । କେବଳ ପ୍ରିୟଙ୍କା ଗାନ୍ଧୀ ହିଁ ନୁହଁନ୍ତି କଂଗ୍ରେସର ବରିଷ୍ଠ ନେତା ମଧ୍ୟ ରାହୁଲଙ୍କ ପାଇଁ ସୁରଟରେ ପହଁଚିଥିଲେ । ‘ମୋଦୀ ସାଙ୍ଗିଆ’ ଅପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହେବା ୧୧ ଦିନ ପରେ ରାୟ ବିରୋଧରେ କୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି ରାହୁଲ । ତେବେ କୋର୍ଟ ଜାମିନ୍ ଆବେଦନର ଶୁଣାଣି କରି ରାହୁଲଙ୍କୁ ୧୩ ଏପ୍ରିଲ ପର୍ଯ୍ୟନ୍ତ ଜାମିନ ପ୍ରଦାନ କରିଛନ୍ତି । ଏହାପରେ ରାହୁଲ ଟ୍ୱିଟ କରି କହିଛନ୍ତି, ଲୋକତନ୍ତ୍ର ପାଇଁ ଏହି ଲଢେଇରେ ସତ୍ୟ ହିଁ ମୋର ଏକମାତ୍ର ଅସ୍ତ୍ର ।

ସେପଟେ ରାହୁଲଙ୍କ ଏଭଳି ଦଳ, ବଳ ସହ କୋର୍ଟରେ ପହଁଚିବାକୁ ନେଇ କଟାକ୍ଷ କରିଛି ବିଜେପି । କେନ୍ଦ୍ର ଆଇନମନ୍ତ୍ରୀ କିରଣ ରିଜିଜୁ କହିଛନ୍ତି, – ଆବେଦନ ପତ୍ର ଦାଖଲ ଲାଗି ଜଣେ ଦୋଷୀ ବ୍ୟକ୍ତିଗତ ଭାବେ ଯିବା ଅନାବଶ୍ୟକ । ରାହୁଲ ଗାନ୍ଧୀ ଯାହା କରୁଛନ୍ତି, ତାହା କେବଳ ଅଦାଲତଙ୍କ ଉପରେ ଚାପ ପକାଇବା । ବ୍ୟକ୍ତିଗତ ଭାବେ କୋର୍ଟ ଯିବା ଗୋଟିଏ ଡ୍ରାମା ଛଡା ଆଉ କିଛି ନୁହେଁ ।

ରାହୁଲ ଗାନ୍ଧୀଙ୍କ ଏହି ମାମଲା ଉପରେ ଏବେ ସାରା ଦେଶର ନଜର ରହିଛି । ‘ମୋଦୀ ସାଙ୍ଗିଆ’ ଅପରାଧିକ ମାନହାନି ମାମଲା ଦାୟର କରିଥିବା ବିଜେପି ବିଧାୟକ ପୂର୍ଣ୍ଣେଶ ମୋଦୀ, ରାହୁଲଙ୍କ ଆବେଦନ ଉପରେ ଏପ୍ରିଲ ୧୦ ସୁଦ୍ଧା ଜବାବ ରଖିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହାର ପରବର୍ତୀ ଶୁଣାଣି ଏପ୍ରିଲ ୧୩ ତାରିଖରେ ହେବ । ସେପଟେ ରାହୁଲ ଗାନ୍ଧୀ ବ୍ୟକ୍ତିଗତ ଭାବେ କୋର୍ଟରେ ହାଜର ହେବାର ଆବଶ୍ୟକତା ନାହିଁ ବୋଲି କୋର୍ଟ କହିଛନ୍ତି ।