ଆମ୍ବ ଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି ଗାଁ: ସୁନ୍ଦରୀ, ଦେଶୀ, ଲଙ୍ଗ୍ରା ସହ ୧୫ ପ୍ରଜାତିର ଆମ୍ବ ଚାଷ କରୁଛନ୍ତି ୪୩ ଆଦିବାସୀ ପରିବାର

81

କନକ ବ୍ୟୁରୋ: ବଦଳୁଥିବା ଜଳବାୟୁ ତଥା ଅନିୟମିତ ବର୍ଷା ସାଙ୍ଗକୁ ତାପମାତ୍ରା ବୃଦ୍ଧି ଖରାଦିନିଆ ଫଳ ଉତ୍ପାଦନକୁ ପ୍ରଭାବିତ କରିଛି । ବିଶେଷ ଭାବେ କହିବା ପାଇଁ ଗଲେ ଦେଶ ବିଦେଶରେ ଚାହିଦା ଶୃଷ୍ଟି କରିଥିବା ମୟୂରଭଞ୍ଜ ଜିଲ୍ଲାର ଆମ୍ବ ଚଳିତ ବର୍ଷ ବାହାରକୁ ଯାଇପାରିବନି । ବିଗତ ବର୍ଷ ମାନଙ୍କ ତୁଳନାରେ ଚଳିତ ବର୍ଷ ଜିଲ୍ଲାରେ ଆମ୍ବ ଉତ୍ପାଦନ ଯଥେଷ୍ଟ କମ୍ ହୋଇଥିବାରୁ ଚାଷୀ ଓ ବ୍ୟବସାୟିଙ୍କ ଚିନ୍ତା ବଢ଼ାଇଦେଇଛି । ବିଗତ ବର୍ଷ ମାନଙ୍କରେ ଗଛରେ ପେନ୍ଥା ପେନ୍ଥା ଆମ୍ବ ଫଳୁଥିବା ବେଳେ ଚଳିତ ବର୍ଷ ଗଛରେ ଆମ୍ବ ଖୋଜିଲେ ବି ମିଳୁନି ।

ଆମ୍ବ ଚାଷ ପାଇଁ ସ୍ୱତନ୍ତ୍ର ପରିଚୟ ପାଇଛି ମୟୂରଭଞ୍ଜର ବାସ୍କେତୋଳା ଗାଁ । ଗାଁର ୪୩ ଆଦିବାସୀ ଆମ୍ବ ଚାଷୀଙ୍କର ୧୫ ଶହରୁ ଉର୍ଦ୍ଧ ଆମ୍ବ ଗଛ ରହିଛି । ଅନ୍ୟ ରାଜ୍ୟ ଅପେକ୍ଷା ଏଠାରେ ଆମ୍ବ ଶିଘ୍ର ଫଳୁଥିବାରୁୁ ରାଜ୍ୟ ଏବଂ ରାଜ୍ୟ ବାହାରେ ଏଠାକାର ଆମ୍ବର ବେଶ୍ ଚାହିଦା ରହିଆସିଛି । ଏଠାରେ ସୁନ୍ଦରୀ, ଆଲଫାନସୋ, ଦଶେରୀ, ମଲ୍ଲୀକା, ଲାଙ୍ଗ୍ରା ସହ ୧୫ରୁ ଅଧିକ ପ୍ରଜାତିରେ ଆମ୍ବ ଫଳିଥାଏ । ଗତ ବର୍ଷ ତୁଳନାରେ ଆମ୍ବ ୬୦ ପ୍ରତିଶତ କମ୍ ଫଳିଥିବାରୁ ଚିନ୍ତାରେ ଅଛନ୍ତି ଆମ୍ବ ଚାଷୀ ।

ପ୍ରଥମେ ଏଠାକାର ଚାଷୀମାନେ ଆମ୍ବକୁ ବାହାର ରାଜ୍ୟର ବେପାରୀଙ୍କୁ ଅଳ୍ପ ଟଙ୍କାରେ ବିକି ଦେଉଥିଲେ । କିନ୍ତୁ ଏବେ ଆମ୍ବ ବିକ୍ରି କରିବା ପାଇଁ ଅନ୍ତରାଜ୍ୟ କମ୍ପାନୀଙ୍କ ସହ ଯୋଗସୂତ୍ର କରାଯାଇଛି । ସମସ୍ତ ଆମ୍ବ ଚାଷୀଙ୍କୁ ସଂଗଠିତ କରି ମୟୂରଭଞ୍ଜ ଫୁଡ୍ସ ଆଣ୍ଡ ଭେଜିଟେବୁଲ୍ସ୍ ପ୍ରଡ୍ୟୁସର୍ସ ନାମକ ଏକ କମ୍ପାନୀ ଗଠନ କରାଯାଇ ଦେଶ ବିଦେଶକୁ ଆମ୍ବ ପଠାଯାଉଛି । ମୟୂରଭଞ୍ଜ ଜିଲ୍ଲାରେ ୩ ଶହରୁ ଊଦ୍ଧ୍ୱର୍ ଚାଷୀ ମୋଟ୍ ୧୫ ହଜାର ୮ ଶହ ହେକ୍ଟର ଜାଗାରେ ଆମ୍ବ ଚାଷ କରିଛନ୍ତି । କିନ୍ତୁ ଏବର୍ଷ ଆମ୍ବ କମ ଫଳିଥିବାରୁ ସରକାରୀ ସହାୟତା ପାଇଁ ଦାବି କରିଛନ୍ତି ଚାଷୀ । ଆମ୍ବ ଗୋଟିଏ ବର୍ଷ କମ୍ ଫଳିଲେ ପୂର୍ବ ବର୍ଷକୁ ପୁଣି ଅଧିକ ଫଳିବ ଏବଂ ଏହା ପ୍ରକୃତିର ନିୟମ । କିନ୍ତୁ ଯେଉଁ ବର୍ଷ କମ ଫଳୁଛି ସେ ବର୍ଷ ଚାଷୀ କଣ କରିବ ତାର ସମାଧାନର ବାଟ ବାହାରିପାରିନାହିଁ ।