ଜଳବାୟୁ ପରିବର୍ତ୍ତନ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ । ବଢିଚାଲିଛି ବିଶ୍ୱ ତାପମାତ୍ରା । 

132

କନକ ବ୍ୟୁରୋ: ତାପମାତ୍ରା ବୃଦ୍ଧି ବିଶ୍ୱପାଇଁ ବର୍ତ୍ତମାନ ସବୁଠାର ଚିନ୍ତାର କାରଣ । ଦିନକୁ ଦିନ ଗ୍ଲୋବାଲ ୱାର୍ମିଂ ବା ତାପମାତ୍ରା ବୃଦ୍ଧି ଲୋକଙ୍କ ପାଇଁ ସମସ୍ୟା ବଢାଇଚାଲିଛି । ଏହି ଜଳବାୟୁ ପରିବର୍ତ୍ତନ ଆମ ସ୍ୱାସ୍ଥ୍ୟ ଉପରେ ବି ଅନେକ ପ୍ରଭାବ ପକାଉଛି ।  ୨୦୨୧ରେ ଦି ଲାନସେଟରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ, ବିଶ୍ୱ ତାପମାନକୁ ଚିନ୍ତାର କାରଣ କୁହାଯାଇଛି । କୋଭିଡ୍- ୧୯ର ମହାମାରୀ ବେଳେ ଜଳବାୟୁ ପରିବର୍ତ୍ତନର ସ୍ଥିତିକୁ ନେଇ ଏହି ରିପୋର୍ଟ ପ୍ରକାଶ ପାଇଛି ।  ଗତ ୨ ବର୍ଷ ଧରି ଦେଖାଦେଇଥିବା ଅତ୍ୟଧିକ ତାତି ଏବଂ ପ୍ରାକୃତିକ ବିପର୍ଯ୍ୟୟ ସନ୍ଦର୍ଭରେ ଏହି ରିପୋର୍ଟଟି ପ୍ରକାଶ ପାଇଛି ।

ରିପୋର୍ଟରେ କୁହାଯାଇଛି ଜଳବାୟୁ ପରିବର୍ତ୍ତନର ପ୍ରଭାବ ଲୋକଙ୍କ ଜୀବନଜୀବିକା ଉପରେ ପଡିଛି । ମାନସିକ ତଥା ଶାରିରୀକ ସ୍ୱାସ୍ଥ୍ୟ ଉପରେ ମଧ୍ୟ ଏହାର ପ୍ରଭାବ ପଡିଛି । କେବଳ ଏତିକି ନୁହେଁ ସଂକ୍ରାମକ ରୋଗ କ୍ଷେତ୍ରରେ ଏହା ସହଯୋଗ କରିଛି । ‘ଇଣ୍ଟରଗଭରମେଣ୍ଟାଲ ପ୍ୟାନେଲ ଅନ୍ କ୍ଲାଇମେଟ ଚେଞ୍ଜ-୨୦୨୨ର ରିପୋର୍ଟ ଅନୁସାରେ ମଣିଷ ଦ୍ୱାରା ଯେଉଁ ସ୍ଥିତି ବିଶ୍ୱରେ ସୃଷ୍ଟି ହେଉଛି ତାହା ପରିବେଶର ସନ୍ତୁଳନକୁ ବିଗାଡୁଛି । ତେବେ ଏହାକୁ ପୂରଣ କରିବା ବର୍ତ୍ତମାନ ସମ୍ଭବ ନୁହେଁ । କେବଳ ଏତିକି ନୁହେଁ ଆମ ପାଣିପାଗ, ଜଳବାୟୁ ପରିବର୍ତ୍ତନ ସହ ଜଡିତ । ଏହା ହେବା ଦ୍ୱାରା ଖାଦ୍ୟ ଉତ୍ପାଦନରେ ମଧ୍ୟ ବିଶେଷ ପ୍ରଭାବ ପଡୁଛି । କୃଷି, ଜଙ୍ଗଲ, ମତ୍ସ୍ୟଚାଷ କ୍ଷେତ୍ରରେ ମଧ୍ୟ ଏହାର ପ୍ରଭାବ ପଡିଛି । ଏହା ଦ୍ୱାରା ଖାଦ୍ୟ ସୁରକ୍ଷା ବି ହୋଇପାରୁନାହିଁ ’ ।

ଜଳବାୟୁ ପରିବର୍ତ୍ତନର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପଡିଥାଏ । ଏହା ଭେକ୍ଟର ବୋନ ରୋଗ ମଧ୍ୟ ସୃଷ୍ଟି କରିଥାଏ । ଯେମିତି ମ୍ୟାଲେରିଆ, ଡେଙ୍ଗୁ ଭଳି ରୋଗ । ଏହା ଅତି ସହଜରେ ବ୍ୟାପିଥାଏ । ଏହା ଲୋକଙ୍କୁ ହେବା ପରେ ସେମାନଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ପକାଏ । ସେହି ରିପୋର୍ଟରେ କୁହାଯାଇଛି, ‘୨୦୨୧ରେ ବିଶ୍ୱର ତାପମାତ୍ରା ୧.୨ ଡିଗ୍ରୀ ଅଧିକ ଗରମ ରହିଥିଲା । ଏହା ୧୮୫୦ରୁ ୧୯୦୦ ମସିହାର ସ୍ୱାଭାବିକ ଠାରୁ ଅଧିକ ଉତ୍ତପ୍ତ । ଗତ କିଛି ବର୍ଷରେ ଏହା ରେକର୍ଡ ହୋଇଛି । ୨୦୧୬ରେ ସର୍ବାଧିକ ତାପମାତ୍ରା ରେକର୍ଡ ହୋଇସାରିଛି । ସେହିଭଳି ୨୦୨୨ରେ ଏହା ଆହୁରି ବଢିଛି । ଏହି ସ୍ତର ୧.୨ଡିଗ୍ରୀରୁ ବୃଦ୍ଧି ପାଇ ୧.୫ ଡିଗ୍ରୀ ଅଧିକ ଉତ୍ତପ୍ତ ହୋଇଛି’ । ନାସାର ରିପୋର୍ଟ ଅନୁଯାୟୀ ଗତ ୪୦ ବର୍ଷରେ ମଣିଷର କାର୍ଯ୍ୟକଳାପ ଯୋଗୁ ବର୍ତ୍ତମାନ ଏହି ସ୍ଥିତି ସୃଷ୍ଟି ହୋଇଛି । ଏହା ସହ ସବୁଜ ଗ୍ୟାସର ସ୍ତର ବି ବଢିଚାଲିଛି ।

ଲାନସେଟର ଗ୍ଲୋବାଲ ହେଲଥ ଡାଇରେକ୍ଟର ଡା. ମାରିନ ରୋମାନେଲିଓ କହିଛନ୍ତି, ସବୁଜ ଗ୍ୟାସ ସ୍ତର ବଢିବାର ପ୍ରମୁଖ କାରଣ ବାୟୁମଣ୍ଡଳରେ ଥିବା ଅଙ୍ଗାରକାମ୍ଲ ଓ ମିଥେନର ସ୍ଥର ବଢିବା । ଏହା ହେବା ଦ୍ୱାରା ବାୟୁମଣ୍ଡଳରେ ସବୁଜ ଗ୍ୟାସ ବଢୁଛି ଏବଂ ପରିବେଶର ସନ୍ତୁଳନ ବିଗୁଡୁଛି । ଏହି ଗ୍ୟାସ ସୂର୍ଯ୍ୟଙ୍କ ପାଖରୁ ଆସୁଥିବା ଉତ୍ତାପକୁ ନିଜେ ଗ୍ରହଣକରି ପୃଥିବୀକୁ ଦରକାର ଉତ୍ତାପ ପ୍ରଦାନ କରିଥାଏ । ଜଳବାୟୁରେ ପରିବର୍ତ୍ତନ ଫଳରେ ସିଧାସଳଖ ଉତ୍ତାପ ଲୋକଙ୍କ ଚିନ୍ତା ବଢାଉଛି । ସୂର୍ଯ୍ୟଙ୍କ ଉତ୍ତାପ ପୃଥିବୀରେ ପହଞ୍ଚିବା ପରେ ତାହା ସ୍ୱାଭାବିକ ଠାରୁ ଅଧିକ ଗରମ ସୃଷ୍ଟି କରି ପୃଥିବୀର ତାପମାତ୍ରା ବଢାଉଛି ।

ଯଦି ଆମେ ପରିବେଶକୁ ସନ୍ତୁଳିତ ତଥା ଜଳବାୟୁକୁ ପରିବର୍ତ୍ତନକୁ ରୋକିବା ପାଇଁ ଚାହୁଁଛେ ତେବେ ଆମେ ନିଜେ ନିଜକୁ ପରିବର୍ତ୍ତନ କରିବା ଦରକାର । ବିଶେଷ କରି ଏଥିପାଇଁ ଦାୟୀ ଥିବା କାରଣ ଯେପରି ଗଛକାଟିବା ବନ୍ଦ କରିବା, ଶିଳ୍ପାୟନ ପାଇଁ ଜଙ୍ଗଲ ନଷ୍ଟକୁ ବନ୍ଦ କରିବା, କଂକ୍ରିଟ ଜଙ୍ଗଲରୁ କ୍ଷାନ୍ତ ରହିବା ତେବେ ଆମେ ବଞ୍ଚିବା ସହ ଆମ ପରିବେଶକୁ ବଞ୍ଚାଇପାରିବା । ଯେଉଁ ଖାଦ୍ୟ ସୁରକ୍ଷାର ସଙ୍କଟ ବି ସୃଷ୍ଟି ହୋଇଛି ତାହା ବି ଆଉ ହେବ ନାହିଁ । ତେଣୁ ଆସନ୍ତୁ ଆମ ପୁରୁଣା ପୃଥିବୀକୁ ଫେରାଇ ଆଣିବାକୁ ଚେଷ୍ଟା କରିବା । ପୁନଶ୍ଚ ପୃଥିବୀ ଗଢିବାରେ ସଙ୍କଳ୍ପ ନେବା ।