ସ୍କୁଲ ସୁନ୍ଦର ପାଇଁ କଟା ହେଉଛି ଗଛ। ମୁହଁ ଖୋଲିଲେ ପ୍ରଧାନଶିକ୍ଷକ କରୁଛନ୍ତି ଭୟଭୀତ।

108

କନକ ବ୍ୟୁରୋ : ସ୍କୁଲ ସୁନ୍ଦର କରିବା ପାଇଁ କଟା ହେଉଛି ଗଛ । ବଲାଙ୍ଗୀର ଜିଲ୍ଲାରେ ତାତି ଅସହ୍ୟ ହେଉଛି । ଏହାରି ଭିତରେ ଫାଇଭ-ଟି କାର୍ଯ୍ୟକ୍ରମ ଜରିଆରେ ସ୍ମାର୍ଟ ସ୍କୁଲ ତିଆରି କରିବା ପାଇଁ ବଡବଡ ଗଛ ଗୁଡିକୁ କାଟିଦିଆଯାଉଛି । ପାଟଣାଗଡ ବାଲିକା ବିଦ୍ୟାଳୟରେ ମୂଲ୍ୟବାନ ଶାଗୁଆନ ଗଛ କାଟିଦିଆଯାଇଛି । ସ୍କୁଲ ପରିଚାଳନା କମିଟି ଓ ବନ ବିଭାଗର ବିନା ଅନୁମତିରେ ପ୍ରଧାନ ଶିକ୍ଷକଙ୍କ ନିର୍ଦ୍ଦେଶରେ ଗଛ କଟା ଯାଇଥିବା କିଛି କର୍ମଚାରୀ ଅଭିଯୋଗ କରୁଥିବା ବେଳେ କ୍ୟାମେରା ସମ୍ମୁଖରେ ମୁହଁଖୋଲୁନାହାନ୍ତି । କାରଣ ପ୍ରଧାନ ଶିକ୍ଷକ ସେମାନଙ୍କୁ ଭୟଭିତ କରାଉଛନ୍ତି ।
ସ୍କୁଲ ପରିସରରେ ଥିବା ଶାଗୁଆନ ଗଛ କାଟି, କାଠଗଣ୍ଡିକୁ ଜିପ ଏବଂ ଟ୍ରାକ୍ଟର ଯୋଗେ ଅନ୍ୟତ୍ର ବୋହି ନେବାର ଦୃଶ୍ୟକୁ କିଛି ବ୍ୟକ୍ତି ମୋବାଇଲ୍ରେ କଏଦ କରିଛନ୍ତି । ସେପଟେ ଏବାବଦରେ ପ୍ରତିକ୍ରିୟା ରଖି, ପାଟଣାଗଡ ବନଖଣ୍ଡ ରେଞ୍ଜର କହିଛନ୍ତି ୭ ଦିନ ତଳେ ସେ, ସ୍ଥାନୀୟ ଡି.ଏଫ୍.ଓଙ୍କ ଠାରୁ ଏନେଇ ଖବର ପାଇଥିଲେ । ତଦନ୍ତ ପାଇଁ ଯାଇଥିବା ବେଳେ କିଛି ପ୍ରମାଣ ପାଇନାହାନ୍ତି । ଏହାସହ ଏହି ଦୃଶ୍ୟ ୨୦୨୧ର କହି ସଂପୂର୍ଣ୍ଣ ଘଟଣାକୁ ଏଡାଇ ଯାଇଛନ୍ତି ରେଞ୍ଜର । ଅନ୍ୟପଟେ ବ୍ଲକ ଶିକ୍ଷା ଅଧିକାରୀ କହିଛନ୍ତି ସ୍କୁଲ ପରିସରରେ ଥିବା ଶାଗୁଆନ ଗଛ କାଟିବା ଅପରାଧ, ଏହାର ତଦନ୍ତ କରାଯିବ ।