ଚାଷୀଙ୍କ ମନରୁ ଯାଉନି ବାତ୍ୟା ଭୟ । ଅଧା ପାଚିଲା ଧାନକୁ କାଟିନେଲେ ଉପକୂଳିଆ ଅଞ୍ଚଳର ଚାଷୀ ।

65

କନକ ବ୍ୟୁରୋ: ବାତ୍ୟା ଓଡିଶାରେ ମାଡ ନହେଲେ ବି ଏହାର ପ୍ରଭାବରେ ବର୍ଷା ହେବାର ଯଥେଷ୍ଟ ସମ୍ଭାବନା ରହିଛି । ଯାହା ଚାଷୀଙ୍କ ଭିତରେ ଛନକା ସୃଷ୍ଟି କରିଛି । ବର୍ଷା ହେଲେ ଫସଲ ନଷ୍ଟ ହେବା ଭୟରେ ଅଧା ପାଚିଲା ଧାନକୁ କାଟି ନେଉଛନ୍ତି ଚାଷୀ ।

  • ମନରୁ ଯାଉନି ବାତ୍ୟା ଭୟ
  • ଚାଷୀ କରୁଛି ଦର ପାଚିଲା ଧାନ ଅମଳ

ସମ୍ଭାବ୍ୟ ବାତ୍ୟା ପୂର୍ବରୁ ଉପକୂଳବର୍ତ୍ତୀ ଅଞ୍ଚଳ ପାଟକୁରା ଓ ଅସ୍ତରଙ୍ଗ ଅଞ୍ଚଳରେ ଚିନ୍ତାରେ ପଡିଛନ୍ତି ଚାଷୀକୂଳ । ବାତ୍ୟା ପାଇଁ କେନ୍ଦ୍ରାପଡା ଜିଲ୍ଲାକୁ ରାଜ୍ୟ ସରକାର ଆଲର୍ଟ କରିବା ପରେ ଚାଷୀଙ୍କ ମଧ୍ୟରେ ଛନକା ପଶିଛି । ଗରଦପୁର ବ୍ଲକର ହଜାର ହଜାର ହେକ୍ଟର ଚାଷ ଜମିରେ ଧାନଫସଲ କ୍ଷତିଗ୍ରସ୍ତ ହେବା ଆଶଙ୍କା ରହିଛି । ତେଣୁ ତରବର ହୋଇ ଦରପାଚିଲା ଧାନକାଟି ଅମଳ କରୁଛନ୍ତି ଚାଷୀ । ଅମଳ ପରେ ସୁରକ୍ଷିତ ସ୍ଥାନକୁ ମଧ୍ୟ ନିଆଯାଉଛି ।

  • ଅସ୍ତରଙ୍ଗ ଅଞ୍ଚଳରେ ବି ସମାନ ଚିତ୍ର
  • ରାସ୍ତାରେ ଧାନବିଡା ପକାଯାଇ ଚାଲିଛି ଅମଳ

ବାତ୍ୟା ପ୍ରଭାବରେ ଉପକୂଳ ଅଞ୍ଚଳରେ ୨୪ ତାରିଖରେ ପ୍ରବଳ ବର୍ଷାର ଅନୁମାନ କରାଯାଇଛି । ତେଣୁ ଅସ୍ତରଙ୍ଗର କାକଟପୁର ଅଞ୍ଚଳରେ ଚାଷୀଙ୍କ ମନରେ ଛନକା ପଶିଛି । ଫଳରେ ଅଧପାଚିଲା ଧାନକୁ କାଟିନେଉଛନ୍ତି ଚାଷୀ । ଅନେକ ସ୍ଥାନରେ ଅମଳ ଧାନବିଡାକୁ ରାସ୍ତାରେ ପକାଯାଇ ଅମଳ ବି କରାଯାଉଛି । ସଅଳ ଅମଳ ଛଡା ଚାଷୀଙ୍କ ପାଖରେ କିଛି ବିକଳ୍ପ ନାହିଁ ।

ସେପଟେ କୌଣସି ପ୍ରକାରର ଦୁର୍ବିପାକକୁ ମୁକାବିଲା କରିବାକୁ କୃଷି ଅଧିକାରୀଙ୍କୁ ସଜାଗ ରଖାଯାଇଛି । ଚାଷୀଙ୍କୁ କ୍ଷତିପୂରଣ ଦେବାକୁ ଆକ୍ସନ ପ୍ଲାନ ବି ପ୍ରସ୍ତୁତ କରିଛନ୍ତି ସରକାର । ତେବେ ଏଥର ଭଲ ଧାନ ଫସଲ ହୋଇଛି । ତେଣୁ ସବୁପ୍ରକାରର ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛି କୃଷି ବିଭାଗ ।