ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ ରହସ୍ୟ ଖୋଜୁଛି କ୍ରାଇମବ୍ରାଞ୍ଚ: ହୋଟେଲରେ ଛାନଭିନ୍, କର୍ମଚାରୀଙ୍କୁ ପଚରାଉଚରା

83

କନକ ବ୍ୟୁରୋ: ରୁଷୀୟ ପର୍ଯ୍ୟଟକଙ୍କର ରାୟଗଡାରେ କେମିତି ମୃତ୍ୟୁ ହେଲା ତାକୁ ସନ୍ଦେହ ବଢ଼ୁଥିବାବେଳେ, କନକ ନ୍ୟୁଜ୍ ହାତରେ ଲାଗିଛି ଆଉ କିଛି ଏକ୍ସକ୍ଲୁସିଭ୍ ଫଟୋ । ସେପଟେ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଚଂ । ଯେଉଁଠି ରୁଷିୟା ସାଂସଦ ପାଭେଲଙ୍କର ମୃତ୍ୟୁ ହୋଇଥିଲା ସେଠି ଛାନଭିନ୍ କରିଛନ୍ତି କ୍ରାଇମବ୍ରାଂଚର ଏକ ଟିମ୍ ।

ଓଡିଶାରେ ମୃତ୍ୟୁ ହୋଇଥିବା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁକୁ ନେଇ ରହସ୍ୟ ଲାଗି ରହିଥିବାବେଳେ, କନକ ନ୍ୟୁଜ୍ ହାତରେ ଲାଗିଛି ଆଉ କିଛି ଏକ୍ସକ୍ଲୁସିଭ୍ ଫଟୋ । ଫଟୋରୁ ସ୍ପଷ୍ଟ ହେଉଛି, ଏହା ଭୁବନେଶ୍ୱରର ପ୍ରସିଦ୍ଧ ଶୈବପୀଠ ଲିଙ୍ଗରାଜ ମନ୍ଦିର ପାଖର । ଯେଉଁ ଫଟୋରେ ଥିବା ସମସ୍ତେ ବେଶ୍ ଖୁସି ଥିବା ଜଣାପଡୁଛି । ସମସ୍ତେ ହସ ହସ ମୁହଁରେ ସାଂଗ ହୋଇ ଫଟୋ ଉଠାଇଛନ୍ତି । ସାଥିରେ ଗାଇଡ ବି ଅଛନ୍ତି । କୁହାଯାଉଛି, ରୁଷରୁ ଆସି ଭୁବନେଶ୍ୱରରେ ପହଁଚିବା ପରେ ଚାରି ଜଣ ପର୍ଯ୍ୟଟକ, ବିଭିନ୍ନ ଐତିହ୍ୟ ସ୍ଥଳକୁ ବୁଲିବାକୁ ଯାଇଥିଲେ । ଆଉ ଲିଙ୍ଗରାଜକୁ ବୁଲିବାକୁ ଯାଇଥିବାବେଳେ ଏହି ଫଟୋ ଉଠାଇଥିଲେ । ପୂର୍ବରୁ ସାମନାକୁ ଆସିଥିଲା ଦାରିଙ୍ଗିବାଡିରେ ସେମାନେ ବୁଲିବାକୁ ଯାଇଥିବାବେଳର ଫଟୋ । ଯେଉଁ ଫଟୋରେ ଦେଖାଯାଉଥିଲା ୪ଜଣ ବନ୍ଧୁ ସମସ୍ତେ ଚେୟାରରେ ବସିଥିଲେ ଓ ଥଣ୍ଡାରୁ ରକ୍ଷା ପାଇବା ପାଇଁ ପାଖରେ ନିଆଁ ଜଳୁଥିଲା । ସେଠାରେ ଦିନେ ରହିବା ପରେ ରାୟଗଡାକୁ ଆସିଥିଲେ ।

ସୂଚନା ଅନୁସାରେ ରୁଷୀୟ ୧୯ ତାରିଖରେ ଦିଲ୍ଲୀରୁ ଆସି ଭୁବନେଶ୍ୱରରେ ପହଁଚିଥିଲେ । ୨୦ତାରିଖରେ ଦାରିଙ୍ଗିବାଡି ଯାଇଥିଲେ । ସେଠାରେ ଦିନେ ରହିବା ପରେ ୨୧ତାରିଖରେ ରାୟଗଡାକୁ ଯାଇ ହୋଟେଲରେ ରହିଥିଲେ । କିନ୍ତୁ ରାୟଗଡାରେ ରହିବାର ମାତ୍ର ୪୮ଘଂଟା ବ୍ୟବଧାନରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା ।

ରୁଷୀୟ ସାଂସଦ ପାଭେଲ ଆଂଟୋଭଙ୍କ ମୃତ୍ୟୁ ଏକ ଅନ୍ତର୍ଜାତୀୟ ପ୍ରସଙ୍ଗ ହୋଇଥିବାରୁ, ତାଙ୍କର କେମିତି ଜୀବନ ଗଲା, ସେ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ କେହି ହତ୍ୟା କରିଛି, ତାର କାରଣ ଖୋଜିବାକୁ ତଦନ୍ତକୁ ଜୋରଦାର କରିଛି କ୍ରାଇମବ୍ରାଂଚ । କ୍ରାଇମବ୍ରାଂଚର ଏକ ୧୨ଜଣିଆ ଟିମ୍ ରାୟଗଡାକୁ ଯାଇ ସ୍ଥାନୀୟ ପୋଲିସକୁ ପଚରାଉଚୁରା କରିବା ସହ ହୋଟେଲକୁ ଯାଇ ଛାନଭିନ କରିଛନ୍ତି । ପର୍ଯ୍ୟଟକମାନେ ରହୁଥିବା ହୋଟେଲ ସାଇ ଇଂଟରନେସନାଲର ୨୦୩ ଏବଂ ୩୦୫ ନମ୍ବର ରୁମରେ ଅନୁଧ୍ୟାନ କରିଛନ୍ତି । ପାଭେଲ ଯେଉଁ ଛାତ ଉପରୁ ପଡି ମୃତ୍ୟୁ ହୋଇଛି ବୋଲି କୁହାଯାଉଛି, ସେଠି ଯାଂଚ କରିଛନ୍ତି । ହୋଟେଲ ତଳେ ଯେଉଁଠି ପାଭେଲ ପଡିଥିଲେ, ସେହି ସ୍ଥାନର ଯାଂଚ କରିବା ସହ ବିଭିନ୍ନ ଆଂଗେଲରୁ ଫଟୋ ଉଠାଇଛନ୍ତି ।

ରୁଷ ସାଂସଦ ତଥା ବ୍ୟବସାୟୀ ପାଭେଲ ଆଂଟୋଭ ଓ ତାଙ୍କର ବନ୍ଧୁ ଭ୍ଲାଦିମିର ବିଦାନୋଭଙ୍କ ମୃତ୍ୟୁ ଘଟଣାର ତଦନ୍ତ ଓଡିଶା ଗୁଇନ୍ଦା ଓ କ୍ରାଇମବ୍ରାଂଚ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସ୍ଥିତି ଏମିତି ହୋଇଛି ଘଟଣା ଯେତିକି ଆଗଉଛି, ରହସ୍ୟ ସେତିକି ବଢ଼ି ବଢ଼ି ଚାଲିଛି । ସେପଟେ ପାଭେଲଙ୍କ ଭିସେରା ରଖା ନଯିବା, ତରବରିଆ ଭାବେ ପୋଡିଦେବା ସନ୍ଦେହକୁ ବଢ଼ାଇଛି । ହେଲେ ରହସ୍ୟରୁ ଉଠୁନି ପରଦା ।