ରାଷ୍ଟ୍ରପତି ଭବନ ପରେ ପୁରୁଣା ସଂସଦ ଗୃହ ଦଖଲ କଲେ ଶ୍ରୀଲଙ୍କାବାସୀ । ସଂସଦରେ ପ୍ରବେଶ କରିବାକୁ ପହଂଚିଲେ ହଜାର ହଜାର ଲୋକ

118

କନକ ବ୍ୟୁରୋ : ସେ ଗଣତନ୍ତ୍ର ହେଉ କି, ରାଜତନ୍ତ୍ର ଦେଶର ସର୍ବୋଚ୍ଚ କ୍ଷମତା ସର୍ବଦା ଲୋକମାନଙ୍କ ପାଖରେ ଥାଏ ବୋଲି ପ୍ରମାଣ କରିଦେଇଛନ୍ତି ଶ୍ରୀଲଙ୍କାର ନାଗରିକ । ଶ୍ରୀଲଙ୍କାରେ ଆଥିର୍କ ସଂକଟରୁ ଜନ୍ମ ନେଇଥିବା ରାଜନୈତିକ ସଂକଟ ଏବେ ଗମ୍ଭୀର ରୂପ ନେଇଛି । ଶନିବାରଦିନ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋଟବାୟା ରାଜପକ୍ଷେ ଦେଶଛାଡି ପଳାଇଯାଇଥିବା ଖବର ଆସିବା ପରେ ଦେଶବାସୀଙ୍କ କ୍ରୋଧ ଦେଖିବାକୁ ମିଳିଛି । ଦୀର୍ଘଦିନ ହେବ ଆର୍ଥକ ସଂକଟ ସହ ଲଢେଇ କରୁଥିବା ଲୋକମାନେ ଏବେ ସରକାରଙ୍କ ସହ ଲଢିବାକୁ ଓହ୍ଲାଇ ଆସିଛନ୍ତି । ଶନିବାର ଦିନ କ୍ରୋଧିତ ନାଗରିକ ପ୍ରଥମେ ରାଷ୍ଟ୍ରପତି ଭବନ ଦଖଲ କରିନେଇଥିଲେ । ହେଲେ ଆଜିର ଖବର ମୁତାବକ କେବଳ ରାଷ୍ଟ୍ରପତି ଭବନ ନୁହେଁ ବରଂ ରାଷ୍ଟ୍ରପତି ଭବନ ନିକଟରେ ଥିବା ପୁରୁଣା ସଂସଦ ଗୃହକୁ ବି ପ୍ରଦର୍ଶନକାରୀମାନେ ଦଖଲକୁ ନେଇଛନ୍ତି । ଏବେ ହଜାର ହଜାର ଲୋକ ଏହି ପୁରୁଣା ସଂସଦକୁ ଭିତରୁ ଦେଖିବାକୁ ଭିଡ ଜମାଇଥିବା ଦେଖିବାକୁ ମିଳିଛି ।

ସେପେଟେ ସେଠାରେ କାର୍ଯ୍ୟରତ ପୋଲିସ କର୍ମୀମାନେ କହିଛନ୍ତି କି, ଏତେ ଲୋକଙ୍କ ଭିଡ ଜମିଛି ଯେ ସେମାନଙ୍କୁ ଅଟକାଇବା ପୋଲିସ ପକ୍ଷରେ ସମ୍ଭବ ନୁହେଁ । ଏବେ ଶ୍ରୀଲଙ୍କାର ପୁରୁଣା ସଂସଦ ଲୋକଙ୍କ ପାଇଁ ପର୍ଯ୍ୟଟନ ସ୍ଥଳୀ ପାଲଟିଥିବା କଥା ପୋଲିସ କହିଛି ।

କହିରଖୁ କି ଶ୍ରୀଲଙ୍କାରେ ମାର୍ଚ୍ଚ ମାସରୁ ଲାଗିରହିଥିବା ବିଜୁଳୀ ସଂକଟ ଏପର୍ଯ୍ୟନ୍ତ ଲାଗି ରହିଛି । ଏହି କାରଣରୁ ପ୍ରଥମେ କଲମ୍ବୋର ଲୋକମାନେ ବିରୋଧ ପ୍ରଦର୍ଶନ କରିବା ଆରମ୍ଭ କରିଥିଲେ । ଦେଶରେ ଚଳିତ ବର୍ଷ ସବୁଠାରୁ ଅଧିକ ଗରମ ଅନୁଭୂତ ହୋଇଥିଲେ ବି ଦୈନିକ ୧୩ ଘଂଟା ପର୍ଯ୍ୟନ୍ତ ବିଜୁଳୀ କାଟ ଲୋକମାନଙ୍କୁ ଅସ୍ତବ୍ୟସ୍ତ କରିଦେଇଥିଲା ।