କ୍ୱାଲିଫାୟର-୨ରେ ହାରିଲା ରାଜସ୍ଥାନ । ଟାଇଟଲ ପାଇଁ ମୁହାଁମୁହିଁ ହେବେ କୋଲକାତା-ହାଇଦ୍ରାବାଦ ।

93

କନକ ବ୍ୟୁରୋ : ଆଇପିଏଲର ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ରାଜସ୍ଥାନ ରୟାଲ୍ସକୁ ୩୬ ରନରେ ମାତ୍ ଦେଇ ଫାଇନାଲ ଟିକେଟ ହାତେଇଛି ସନରାଇଜର୍ସ ହାଇଦ୍ରାବାଦ । ଏହାସହ ଆସନ୍ତା ୨୬ ତାରିଖରେ କୋଲକାତା ବିପକ୍ଷରେ ଟାଇଟଲ ହାସଲ କରିବାକୁ ମୈଦାନକୁ ଓହ୍ଲାଇବ ସନରାଇଜର୍ସ ହାଇଦ୍ରାବାଦ ।

କ୍ୱାଲିଫାୟର-୨ରେ ଟସ୍ ଜିତି ରାଜସ୍ଥାନ ପ୍ରଥମେ ବୋଲିଂ ପାଇଁ ନିଷ୍ପତ୍ତି ନେଇଥିଲା । ସଞ୍ଜୁଙ୍କ ନିଷ୍ପତ୍ତିକୁ ମଧ୍ୟ ସଠିକ୍ ପ୍ରମାଣିତ କରିଥିଲେ ରାଜସ୍ଥାନର ବୋଲର । ପାୱାର ପ୍ଲେ ମଧ୍ୟରେ ହିଁ ୩ଟି ୱିକେଟ ହରାଇ ସଙ୍କଟରେ ପଡିଥିଲା ସନରାଇଜର୍ସ ହାଇଦ୍ରାବାଦ । ତେବେ ଶେଷ ଆଡକୁ କ୍ଲାସେନ ଓ ଶାହବାଜ ଅହମ୍ମଦ ଧୈର୍ଯ୍ୟପୂର୍ଣ୍ଣ ବ୍ୟାଟିଂ କରି ହାଇଦ୍ରାବାଦକୁ ସମ୍ମାନଜନକ ୧୭୫ରେ ପହଞ୍ଚାଇଥିଲେ । ୧୭୬ ରନର ବିଜୟଲକ୍ଷ୍ୟ ନେଇ ମୈଦାନକୁ ଓହ୍ଲାଇଥିବା ରାଜସ୍ଥାନ ନିୟମିତ ବ୍ୟବଧାନରେ ୱିକେଟ ହରାଇବା ସହ ଫାଇନାଲ ଟିକେଟ ହାତେଇବାରୁ ୩୬ ରନ ପଛରେ ରହିଥିଲା । ହାଇଦ୍ରାବାଦ ବୋଲରଙ୍କ ମାପଚୁପ୍ ବୋଲିଂ ଆଗରେ ବିଧ୍ୱସ୍ତ ହୋଇଥିଲା ରାଜସ୍ଥାନର ଶକ୍ତିଶାଳୀ ବ୍ୟାଟିଂ ଲାଇନ୍ ଅପ୍ । ଶାହବାଜ ଅହମ୍ମଦ ଓ ଅଭିଷେକ ଶର୍ମା ମିଳିତ ଭାବେ ୫ ୱିକେଟ ନେଇ ହାଇଦ୍ରାବାଦକୁ ବିଜୟ ଭେଟି ଦେଇଥିଲେ । ଇମ୍ପାକ୍ଟ ପ୍ଲେୟାର ଭାବେ ଶାହାବାଜ ପଡିଆକୁ ଓହ୍ଲାଇବା ସହ ରାଜସ୍ଥାନ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟିଥିଲେ । ଚଳିତ ସିଜିନରେ ଶାହାବାଜ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ । ୧୪ ମ୍ୟାଚରୁ ମାତ୍ର ୩ଟି ୱିକେଟ ନେଇଥିଲେ । କିନ୍ତୁ କ୍ୱାଲିଫାୟର-୨ରେ ଦଳର ବିଜୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଶାହାବାଜ ।