ଗୁଜୁରାଟରେ ପର୍ଦ୍ଦାଫାଶ ହେଲା ଆଇପିଏଲ ବେଟିଂ । ଚାଷ ଜମିରେ ଆଇପିଏଲ ଢ଼ାଞ୍ଚାରେ ଲିଗ୍ କରାଇ ୟୁଟ୍ୟୁବରେ କରୁଥିଲେ ସିଧାପ୍ରସାରଣ

348

କନକ ବ୍ୟୁରୋ : ଇଣ୍ଡିଆନ୍ ପ୍ରିମିୟର ଲିଗ୍ ବା ଆଇପିଏଲ୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ବେଶ୍ ଲୋକପ୍ରିୟ । ଲୋକଙ୍କ ମନରେ ଆଇପିଏଲରେ ଏତେ କ୍ରେଜ ରହିଥାଏ ଯେ, ମ୍ୟାଚର ଫଳାଫଳକୁ ନେଇ ବେଟିଂ ମଧ୍ୟ ଚାଲିଥାଏ । ଆଉ ଏଥିରୁ ପ୍ରଚୁର ଅର୍ଥ ରୋଜଗାର କରନ୍ତି ବୁକିଂ । ଭାରତରେ ବର୍ତ୍ତମାନ ଆଇପିଏଲ୍ ଚାଲିନାହିଁ, କିନ୍ତୁ ଅନ୍ୟ ସ୍ଥାନରେ ଚାଲିଥିଲା ନକଲି ଆଇପିଏଲ୍ । ଏହା ଆଉ କେଉଁଠି ନୁହେଁ, ଗୁଜୁରାଟର ମେହସାନା ଜିଲ୍ଲାର ବଡ଼ନଗରରେ ଆୟୋଜିତ କରାଯାଇଥିଲା ।

ଆଇପିଏଲ୍ ଢ଼ାଞ୍ଚାରେ ଆୟୋଜିତ ନକଲି ଟି-୨୦ ଲିଗର ପର୍ଦ୍ଦାଫାଶ କରିଛି ମେହସାନା ପୋଲିସ । ଫେକ୍ ଆଇପିଏଲ୍ ଆୟୋଜନ ନାଁରେ ଆୟୋଜକ ବିଦେଶର ଲୋକଙ୍କୁ ବେଟିଂ ଜାଲରେ ଫସାଇଥିଲା । ଯାହା ପରେ ପୋଲିସ୍ ୪ ଜଣଙ୍କୁ ଗିରଫ କରିଛି । ଏହି ନକଲି କ୍ରିକେଟ୍ ଲିଗର ଆୟୋଜନ କରିବା ପାଇଁ ଏକ ଚାଷ ଜମିକୁ ଭଡ଼ା ଆକାରରେ ନିଆଯାଇଥିଲା । ଏଥିରେ ସ୍ଥାନୀୟ ଯୁବକ ତଥା ଶ୍ରମିକ ଶ୍ରେଣୀର ଲୋକଙ୍କୁ ମ୍ୟାଚ୍ ପିଛା ୪୦୦ ଟଙ୍କା ଦେଇ ବିଭିନ୍ନ ଦଳର ନାଁର ଟି-ସାର୍ଟ ପିନ୍ଧାଇ ଖେଳାଉଥିଲା ।

ମ୍ୟାଚ୍ ଗୁଡ଼ିକୁ ୟୁଟ୍ୟୁବ ଚ୍ୟାନେଲରେ ସିଧାପ୍ରସାରଣ କରି ବେଟିଂ କରାଯାଉଥିଲା । ଏଥିଲାଗି ପଡ଼ିଆରେ ଦାମୀ କ୍ୟାମେରା ଲଗାଯାଇଥିଲା । ମ୍ୟାଚ୍ ବେଳେ ପଡ଼ିଆରେ ଅଡିଓ ଇଫେକ୍ଟ ମଧ୍ୟ ବଜାଯାଉଥିଲା । ବୁକିଂଙ୍କ ନିର୍ଦ୍ଦେଶ ଅନୁସାରେ, ଖେଳାଳିଙ୍କୁ ଆଉଟ୍ କରି ଏମାନେ ଅର୍ଥ ରୋଜଗାର କରୁଥିଲେ । ଏନେଇ ସୂଚନା ଦେଇଛନ୍ତି ମେହସାନା ସ୍ୱତନ୍ତ୍ର ଗ୍ରୁପର ପୁଲିସ୍ ଇନ୍ସପେକ୍ଟର ଭବେଶ ରାଠୋର । ନକଲି ଲିଗ୍ ଆୟୋଜନ ହେଉଥିବା ଖବର ପାଇ ପୋଲିସ୍ ମୁଖ୍ୟ ଅଭିଯୁକ୍ତ ସୋଏବ ଦାବଦାଙ୍କ ସମେତ ଚାରିଜଣଙ୍କୁ ଗିରଫ କରିଛି ।

ନକଲି ଟି-୨୦ ଠାବ ବେଳେ ପୋଲିସ୍ ଅଭିଯୁକ୍ତମାନଙ୍କ ନିକଟରୁ କ୍ରିକେଟ୍ କିଟ୍, ଫ୍ଲଡ୍ ଲାଇଟ୍, ଜେନେରେଟର ଓ ଭିଡିଓ କ୍ୟାମେରା, ଏଲଇଡି ଟିଭି, ଲ୍ୟାପଟପ୍ ଏବଂ କିଛି ରେଡିଓ ୱାକି-ଟକି ସହ ୩ଲକ୍ଷରୁ ଅଧିକ ଟଙ୍କାର ଜିନିଷପତ୍ର ଜବତ କରିଥିଲା । ଗୁଜରାଟରେ ଆୟୋଜିତ ଏହି ଫେକ୍ ଆଇପିଏଲର ଚେର ରୁଷକୁ ଲମ୍ବିଥିଲା । ଅଭିଯୁକ୍ତ ରୁଷର ତିନି ସହର ଯଥା ତବେର, ବୋରୋନିଶ୍ ଓ ମସ୍କୋର ଲୋକଙ୍କୁ ନିଜ ଜାଲରେ ଫସାଇ ବେଟିଂ କରାଉଥିଲେ । ତେବେ ଏଥିରେ ଅନ୍ତର୍ଜାତୀୟ ରାକେଟର ସଂପୃକ୍ତି ଥିବା ପୋଲିସ୍ ସୂଚନା ଦେଇଛି ।