ପୋଲିସ ଗାଡ଼ି ଧକ୍କାରେ ୩ମୃତ, ୪ ଗୁରୁତର : ଗାଡ଼ିରୁ ମିଳିଲା ପୋଲିସ ପୋଷାକ; ଏସପି କହିଲେ, ଦୁର୍ଘଟଣା ପରେ ଭୟରେ ଫେରାର ହେଲେ ଇନସ୍ପେକ୍ଟର

593

କନକ ବ୍ୟୁରୋ : ସୁନ୍ଦରଗଡ଼ର ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନାଙ୍କ ଗାଡି ଧକ୍କାରେ ସୋନପୁର ଖାରୀ ନିକଟରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ଥାନା ଅଧିକାରୀଙ୍କ ଗାଡି ଏକ ଅଟୋକୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ତିନି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଗୁରୁତର ହୋଇଛନ୍ତି । ସୋନପୁର ହଙ୍କଳର ଚାରା ବିକିବା ପାଇଁ ରାଘବପାଳିରୁ ଅଟୋ ଯୋଗେ ଯାଉଥିବା ସମୟରେ ସୋନପୁର ପଟୁ ଆସୁଥିବା କାର ସହ ମୁହାଁମୁହିଁ ଧକ୍କା ହୋଇଥିଲା ।

ଧକ୍କା ଦେଇଥିବା କାରରୁ ଏକ ପୋଲିସ ପୋଷାକ ମିଳିଥିଲା । ଯେଉଁଥିରେ ସ୍ନିଗ୍ଧାରାଣୀ ସୁନାଙ୍କ ନାଁ ଲେଖା ହୋଇଥିଲା । ସୋନପୁର ଏସ୍ପି କହିଛନ୍ତି, ସ୍ନିଗ୍ଧାରାଣୀ ପୁରୀରୁ ଡ୍ୟୁଟି ସାରି ଫେରୁଥିଲେ । ଗାଡିକୁ ଥାନା ଅଧିକାରୀଙ୍କ ଡ୍ରାଇଭର ଚଲାଉଥିଲେ । ଦୁର୍ଘଟଣା ପରେ ଭୟରେ ଇନ୍ସପେକ୍ଟର ସ୍ନିଗ୍ଧାରାଣୀ ସୁନା ଗାଡି ଛାଡି ଫେରାର ହୋଇଯାଇଛନ୍ତି । ଘଟଣା ନେଇ ସ୍ନିଗ୍ଧାରାଣୀ ସୁନାଙ୍କ ପୋଷ୍ଟିଂ ଅଥରିଟିଙ୍କୁ ଜଣାଇ ଦିଆଯାଇଛି । ଖୁବ୍ ଶୀଘ୍ର ଡ୍ରାଇଭରଙ୍କୁ ଗିରଫ କରାଯିବ ବୋଲି ସୋନପୁର ଏସ୍ପି କହିଛନ୍ତି ।

– କାହିଁକି ଫେରାର ହୋଇଗଲେ ଥାନା ଅଧିକାରୀ ସ୍ନିଗ୍ଧାରାଣୀ ସୁନା ?
– ପୋଲିସକୁ କାହିଁକି ସହଯୋଗ କରୁନାହାନ୍ତି ସ୍ନିଗ୍ଧାରାଣୀ ?
– ଯଦି ସେ ଗାଡି ଚଲାଉନଥିଲେ, ତେବେ ଏତେ ଭୟ କାହିଁକି ?
– ଡ୍ରାଇଭରଙ୍କୁ ସାଥୀରେ ନେଇ ଫେରାର ହୋଇଯାଇଛନ୍ତି କି ?
– ପୋଲିସ ଅଧିକାରୀଙ୍କ ଅଭିଜ୍ଞ ଡ୍ରାଇଭର ଏପରି ଦୁର୍ଘଟଣା ଘଟାଇଲେ କିପରି ?
– ଗାଡିରୁ ପୋଲିସ ପୋଷାକ ମିଳିନଥିଲେ ସ୍ନିଗ୍ଧାଙ୍କ ସଂପର୍କରେ ଜଣାପଡ଼ିଥାନ୍ତି କି ?
– ଡ୍ରାଇଭରଙ୍କୁ ବଂଚାଇବା ପାଇଁ କାହିଁକି ଚେଷ୍ଟା କରୁଛନ୍ତି ସ୍ନିଗ୍ଧାରାଣୀ ?
– ପୁରୀରୁ ଫେରୁଥିବାରୁ ଗାଡି ଚଳାଇବା ବେଳେ ଡ୍ରାଇଭରଙ୍କ ଆଖି ଲାଗି ଯାଇଥିଲା କି ?